Unknown

 

 

 

 

 

 

 

 

 

 

 

ପତିତ ମୋଚନ

ଗୋପୀନାଥ ମହାନ୍ତି

 

ଭୂମିକା

 

ଅସ୍ପୃଶ୍ୟତା ଆମ ସମାଜର ଏକ କଳଙ୍କ । ଜନ୍ମ-ପରିଚୟ ଘେନି ନୁହେଁ, କର୍ମ ଘେନି ମନୁଷ୍ୟ ମହାନ୍‌ ହୁଏ । ମନରେ ଏହି ଧାରଣା ରହିଲେ, ଜାତି ଭେଦଭାବ ମନକୁ ମନ ଉଠିଯିବ । ଏହି ଆଦର୍ଶର ଭିତ୍ତି ଉପରେ ‘ପତିତ ମୋଚନ’ ଲିଖିତ ।

ଏ ସଂସାରରେ ଧନ ଓ ଯୌବନ ଅପେକ୍ଷା ଆଧ୍ୟାତ୍ମିକବୋଧ ତଦନୁଯାୟୀ କର୍ମ ଶ୍ରେୟଃ-। ହୃଦୟରେ ଅହଂଭାବ ପୋଷଣ ନ କରି ଧର୍ମର ମାର୍ଗ ଅନୁସରଣ କଲେ ମନୁଷ୍ୟ ସତ୍‌-ଚିତ୍‌-ଆନନ୍ଦର ସତ୍ତା ଉପଲବ୍‌ଧି କରି ପାରିବ । ‘ନର୍ତ୍ତକୀ’ ବାସବଦତ୍ତା ଜୀବନରେ ଏହି ସତ୍ୟ ପ୍ରମାଣିତ ହୋଇଛି ।

ଚାଷୀ ଆମ ଦେଶର ଭାଗ୍ୟ-ନିୟନ୍ତାବୋଲି ‘କୁଳ ଚନ୍ଦ୍ରମା’ର ଲେଖକ ପ୍ରତିପାଦିତ କରାଇଛନ୍ତି । ବାସ୍ତବିକ୍‌ ଆମ ଦେଶର ଶିଳ୍ପ, ବାଣିଜ୍ୟ, କଳା ଓ ସଂସ୍କୃତିର ଅଗ୍ରଗତି ପଥରେ କୃଷି ହିଁ ପ୍ରଧାନ ଅବଲମ୍ୱନ । ଶସ୍ୟ-ଶ୍ୟାମଳା ଭାରତବର୍ଷ ଯଦି ପ୍ରାଣ-ପ୍ରାଚୁର୍ଯ୍ୟରରେ ହସି ଉଠେ, ସେଥିପାଇଁ ପ୍ରଧାନତଃ ଦାୟୀ ଏ ଦେଶର ଚାଷୀଭାଇ ।

ସାମାଜିକ ଶିକ୍ଷାବିଭାଗ ଆନୁକୂଲ୍ୟରେ ଉପରୋକ୍ତ ଏହି ତିନୋଟି ପାଲାକୁ ଏକତ୍ର ଗୋଟିଏ ସଂକଳନରେ ପ୍ରକାଶ କରାଯାଉଛି । ଜନସାଧାରଣଙ୍କ ଜୀବନଯାତ୍ରାରେ ଏହା କିଞ୍ଚିତ ଶିକ୍ଷାପ୍ରଦ ହେବ ବୋଲି ବିଶ୍ୱାସ ।

ପ୍ରକାଶକ

Image

 

ସୂଚୀପତ୍ର

 

୧.

ହରିଜନର ଦୁଃଖୀ ଜୀବନ

୨.

ଦେଶର ସମୃଦ୍ଧି ମୂଳରେ ରହିଛି ହରିଜନ

୩.

ସ୍ୱାର୍ଥ ପାଖରେ ଛୁଆଁ ଅଛୁଆଁ ନାହିଁ

୪.

ଦୁଃଖର ସାଥି

୫.

ଧର୍ମ ଆଖିରେ ଧୂଳି

୬.

ବାପ ମା’ଙ୍କ ଧୂଳି

୭.

ସାନ୍ତ୍ୱନା

୮.

ଜାତୀୟ ସମସ୍ୟା ଓ ଅଛବ ଗଠନ

୯.

ଅବିଚାର

୧୦.

ସ୍ନେହର ବଂଧନ

୧୧.

ଗ୍ରାମ ସଙ୍ଗଠନ

୧୨.

ଅସହଯୋଗ

୧୩.

ସତ୍ୟର ଜୟ

୧୪.

ପତିତମୋଚନ

Image

 

ହରିଜନର ଦୁଃଖୀ ଜୀବନ

 

ମଧୁପୁର ନାମେ ଗୋଟିଏ ଥିଲା ଜନ ବସତି

ଛତିଶ ପାଟକ ତହିଁରେ ବାସ କରି ରହନ୍ତି,

ସେହି ଗାଁଟିର ଗୋଟିଏ ଅଂଶ ବିପ୍ର ଶାସନ

ଉଚ୍ଚ କୁଳ, ଜ୍ଞାନ, ମାନରେ ସଦା ପାଏ ସମ୍ମାନ,

ସମସ୍ତେ ଜାଣନ୍ତି ବ୍ରାହ୍ମଣ ପୂଜେ ଦିଅଁ ଦେବତା

ଛତିଶ ପାଟକ ସଭିଏଁ ତେଣୁ ନୁଆଁନ୍ତି ମଥା

ଆଖପାଖ ଜନ ବସତି ସବୁ ଉଚ୍ଚ ଜାତିର

ଧନୀ, ମାନୀ, ଦୁଃଖୀଦରିଦ୍ର ସର୍ବେ ନୁଆଁନ୍ତି ଶିର

ଦେବଦେବୀ ପୂଜା ଅର୍ଚ୍ଚନା କାମ ଅଟେ ତାଙ୍କର

ନିଇତି କରନ୍ତି ସମାଜେ ପାପ ପୁଣ୍ୟ ବିଚାର

ସେହି ଗାଁଟିର ଗୋଟିଏ ପାଖେ ଅଛବ ବସ୍ତି

ଚିରଦିନ ସାଥି ଦୁଃଖର ହୋଇ କାଳ କାଟନ୍ତି

ବ୍ରାହ୍ମଣ, କରଣ, କ୍ଷତ୍ରିୟ, ସାହୁ, ମହାଜନଙ୍କ

ସେବକ ହୋଇଣ ନରକ ସଫା କରମ ତାଙ୍କ

ଭୋକ ଆତୁରରେ କାତର ନିତି ହୁଏ ଉଦର

ଜୋକ ମୁଖେ ଲୁଣ ସମାନ ଭୋକେ ମିଳେ ଆହାର

ରୋଗ ବଇରାଗେ ସରାଗ ତାଙ୍କ ସପନ ସମ

ଆତୁରେ କାତରେ ଧରମ ଡାକି ନିନ୍ଦି କରମ

ରୋଗଗଣ ସଙ୍ଗେ କରନ୍ତି ନିତି ଜୀବନ ରଣ

ଅକାଳେ ମରଣ ବରଣ କରି ଛାଡ଼ନ୍ତି ପ୍ରାଣ

ଭୋକରେ ଆତୁର ଛୁଆର ଦୁଃଖ ଦେଖେ ଜନନୀ

ଆଧାର ନ ଦେଇ ଅନ୍ଧାରେ ଢାଳେ ନୟନୁ ପାଣି

ହା ହୁତାଶର ବତାଶ ବହେ ହୃଦୟେ ତା’ର

ଦୃଷ୍ଟି ଦେଇ ପଶୁ ସୃଷ୍ଟିରେ ନିନ୍ଦେ ନର ବେଭାର

ଉଚ୍ଛବ ନାମକ ଅଛବେ ଦିନେ ଧଇଲା ଜର

ନୀର କ୍ଷୀର ତୁଣ୍ଡେ ନ ଦେଇ ମୁଣ୍ଡେ ଲଗାଇ କର ।

ଦରଭଙ୍ଗା ଘର ଛପର ଚିର ଛିଦ୍ର ବହୁଳ

ବରଷଣା ବାରି ବରଷି ଓଦା ସଦା ଭୂତଳ

ବେନି ବରଷର ପୁଅଟି ତା’ର କଙ୍କାଳମାଳ

ଅହଣ୍ଡି ରୋଗରେ ଫୁଲିଲା ପେଟ ଦିଶେ ପୃଥୁଳ

ଷୋଡ଼ଶୀ ରୂପସୀ ନାରୀ ତା’ ନିଜ ଉପାସେ ପଡ଼ି

ଯଉବନେ ଜରା ବରଣ କରି ଗଲାଣି ଝଡ଼ି

ଝଡ଼ ବରଷାର ନିଶୂନ ଘରେ ଜରରେ ପଡ଼ି

କତରାରେ ପଡ଼ି ବିକଳେ ଶୋଷେ ଛାଡ଼ୁଛି ରଡ଼ି ।

ଆଖି ଲୁହ ଯାକି ଡାକିଲା ତା’ର ପ୍ରିୟାକୁ ପାଶେ

ତତଲା ନିଶ୍ୱାସ ତେଜିଲା ଦୁଃଖ ଉଶ୍ୱାସ ଆଶେ ।

ନିରିମାଖି ପରି ପ୍ରିୟାର କୋଳେ ମୁଣ୍ଡଟି ଥୋଇ

‘ଶୁଖିଲା ତଣ୍ଟି ମୋ’ କହିଲା ଆଖି ଲୁହେ ଭସାଇ

ପ୍ରିୟାର ହୃଦୟୁ ଉଠିଲା କୋହ ଶୁଣି ଏ କଥା

କଇଁ କଇଁ ହୋଇ ନୁଆଁଇଦେଇ ସଧୀରେ ମଥା

କହିଲା, ‘‘ପ୍ରିୟ ହେ, ନ କୁହ ଆଉ ସେ କଥା ଥରେ

ହାଣ୍ଡିରେ ଗୁଣ୍ଡିଏ ପଖାଳ ସୁଦ୍ଧା ନାହିଁ ଏ ଘରେ

ଛୁଆଟି ଭୋକରେ ଆଉଟି ହୋଇ ଲୋଟୁଛି ତଳେ

ନାହିଁ କିଛି, ଦେଇ ବୁଝାନ୍ତି ଥିଲେ ତୋରାଣି ଚଳେ

ଝରି ହୋଇଲାଣି ବଇରି କାମ କାଲିଠୁ ନାହିଁ

ପଡ଼ିଶା କି ଦେବେ ପଇସା କିପାଁ ମାଗିବି ଯାଇଁ’’

ଦୁହିଁଙ୍କ ହୃଦରୁ ଉଠିଲା କୋହ-ଆଖିରୁ ଲୁହ,

ବରଷଣା ପାଣି ପରାଏ ଝରି ତିନ୍ତାଏ ଦେହ ।

କୋଳେ ରଖି ସ୍ୱାମୀ ମଥାକୁ ଗଲେ ଲଗାଇ କର

ଅଞ୍ଚଳେ ଚଞ୍ଚଳେ ପୋଛିଲା ସ୍ୱାମୀ ନୟନ ନୀର

କରେ ଧରି ସ୍ୱାମୀ ଚିବୁକ ବୋକ ଦେଲା ଅଧରେ

‘‘ନ ଭିଜାଅ ଆଉ ହୃଦୟ ବୃଥା ନୟନ ନୀର

ରୋଗ ଭଗାରୀର ଅହନ୍ତା ଯେବେ ଲୁହେ ତୁଟନ୍ତା

ଗରିବ କିପାଇଁ ନୀରବେ ଲୁହ ଢାଳି ମରନ୍ତା’’

ବୁଝାଇ ସ୍ୱାମୀକୁ ଶୁଆଇ ଦେଲା କତରା ପାରି

କହିଲା, ‘‘ଯାଉଛି ତୋରାଣି ଆଣି ଆସିବି ଫେରି

ପେଟ ଛୁଆଟିର ଅଜଟ ଆଉ ନ ପାରେ ସହି

ସାଆନ୍ତାଣୀ ଘରୁ ତୋରାଣି ନେଇ ଦେବି ବୁଝାଇ’’

ପଡ଼ିଶା ଘରର ସାରକୁ ଧୀରେ ଡାକି କହିଲା–

‘‘ସୁନାଟି ମୋ ବୋଲ ମାନିବୁ ଭାଇ ତତେ ଲାଗିଲା ।’’

Image

 

ଦେଶର ସମୃଦ୍ଧି ମୂଳରେ ରହିଛି ହରିଜନ

 

ଗଡ଼ାଇ ନୟନୁଁ ଲୁହ ଚିନ୍ତି ଭଗବାନ

ତର ତର ହୋଇ ବେଗେ ଚଳାଇ ଚରଣ

ପ୍ରବେଶ ହୋଇଲା ଯାଇଁ ସାଆନ୍ତ ଦୁଆରେ

ଚାକର ହୋଇ ତା ସ୍ୱାମୀ ଖଟେ ଯାର ଘରେ

ଭୂମି ସାତମାଣ ତାଙ୍କ କରଇ ସେ ଚାଷ

ବଇଶାଖ ଖରାବେଳେ ନ ମାରି ନିଶ୍ୱାସ

ଗୋରୁପରି ଖଟେ ପେଟ ଚାଖଣ୍ଡକ ପାଇଁ

ତିନିଥର ଭାତ ମାଗି ପେଟ ନ ପୂରଇ

ବଇଶାଖୀ ଖରାତାତି ସହି ବିଲୁଁ ଫେରି

ପେଟ ଭୋକ ମାରି ଆଗେ ଗୋରୁ ମୁହାଁ ସାରି

ତେଲ ଟିକେ ବାଜେ କି ନ ବାଜେ ତା ଶରୀରେ

ଗ୍ରୀଷମ ଆତୁରେ ଯାଇଁ ବୁଡ଼ଇ ପାଣିରେ

ଜଳେ ବୁଡ଼ି ରହିବାକୁ ମନ ତାର ଲୋଡ଼େ

ପେଟ ଭୋକ ଦାଉ ତାକୁ ଉପରକୁ ଭିଡ଼େ

ତର ତର ହୋଇ ଲୁଗା ପାଲଟି ପକାଇ

ଭାତ ମାଗେ ବସି ଦ୍ୱାରେ ପତର ପକାଇ

ଭାତ ଦେଇ ସାଆନ୍ତାଣୀ ବସନ୍ତି ପିଣ୍ଡାରେ

ତରକାରି ଦିଅନ୍ତି ଯା’ ବଡ଼ି ପରକାରେ

କେଉଁ ଦିନ ଖଟା ଅବା ଲୁଣ ଲଙ୍କା ମିଳେ

ଶୁଖିଲା ଭାତ ବିଚରା ଶୁଣ୍ଠା କରି ଗିଳେ

ଶୁଣିବାକୁ ପଡ଼େ ପୁଣି ମଧୁର ବଚନ

ସେ ଦିନ ସେ କରି ନାହିଁ ବାଡ଼ିରେ କି କାମ

‘‘ବାଡ଼ିରେ କଲରା ମୂଳେ ରଂଜା ଦେଲୁ ନାହିଁ

ଭାଡ଼ି ନ କଲୁ କଖାରୁ ଲଟାଇବା ପାଇଁ

ଆଁ କରି ବସିଅଛୁ ଗିଳିବାକୁ ଭାତ

ଦଶ ଥର ତରକାରୀ ‘‘ପାଇଁ ପାତୁ ହାତ’’

ତରକାରୀ ବିନା ଭାତ ନ ଯାଏ ପେଟକୁ

ମଧୁର ବଚନ-ବାଣ ବିଦାରେ ବୁକୁକୁ ।

କେବେ ଅବା ଅଧା ପେଟ କେବେ ବା ଉପାସ

ଏହି ପରି କାଟିଲାଣି ଚାରୋଟି ବରଷ

କେବେ ହେଲେ ଭରସି ସେ ନ ଦିଏ ଉତ୍ତର

ଜାଣିଛି ଉତ୍ତର ଦେଲେ ଦୁଃଖ ହେବ ସାର ।

ଧାରା ଶିରାବଣେ କିଏ ପଲଙ୍କେ ବିହରି

ବିରହ ବେଦନା ନାଶେ କାନ୍ତା ମୁଖ ହେରି

ଫୁଟନ୍ତ ଗୋଲାପ-ଶୋଭା ଲୋଭା ପ୍ରିୟା ଗଣ୍ଡେ

ପ୍ରେମେ ଆଲିଙ୍ଗି ଚୁମ୍ୱନ ଦାଗ ସ୍ନେହେ ମଣ୍ଡେ

କୁଞ୍ଚିତ ଖଚିତ-ପୁଷ୍ପ-କବରୀ ଫିଟାଇ

କୋମଳ ପରଶେ ଧୀରେ କରେ ଟାଣି ଦେଇ

ପ୍ରେମେ ଆଲିଙ୍ଗନେ ଜାତ ହୁଏ ଶିହରଣ

କବି-କଳପନା-ରାଜ୍ୟେ କରେ ବିଚରଣ

ଧାରା ଶରାବଣେ ଦୁଃଖୀ ଅଛବ ବାପୁଡ଼ା

କେଦାର ପଙ୍କ ପଲଙ୍କେ ହୁଏ ଗଡ଼ା ପଡ଼ା

ଭୋକ-ବିରହବେଦନା ଶସ୍ୟ ଶିରୀ ହେରି

କାମ ପ୍ରେମେ ସତେ ଅବା ସବୁ ଯାଏ ଭୁଲି

ଶ୍ୟମାଙ୍ଗୀ ନାୟିକା ରୂପେ କେଦାର ନର୍ତ୍ତକୀ

ଶ୍ରମିକ-ପ୍ରେମିକ ମନ ନିଏ ଅବା ଝିଙ୍କି

ସୁଦୀର୍ଘ ମିଳନେ ଜାତ ହୁଏ ଶିହରଣ ।

ରୋମାଞ୍ଚିତ ତନୁ ତହୁଁ ଲୋଡ଼େ ଚୁମ୍ୱଦାନ

ନୀଳୋତ୍ପଳ ଶୋଭା ଜିଣି ଦୁର୍ବାଦଳ ବେଣୀ

ଶ୍ରମିକ-ପ୍ରେମିକ ଧୀରେ କରେ ଦିଏ ଟାଣି ।

ଗାଢ଼େ ପିଙ୍କା ଫିକା ଗଣ୍ଡେ ଚୁମ୍ୱେ ବାରମ୍ୱାର

ଶ୍ରମ-ପ୍ରେମ ଅବସାଦ କରିଦିଏ ଦୂର

ଏହିପରି ଦୁଃଖୀ କାଟେ ଧାରା ଶିରାବଣ

କବି କଳପନା ରାଜ୍ୟେ କରି ବିଚରଣ ।

ପୁଷ ମାସ ଶୀତେ କେହୁ ନିଶା ଅବସାନେ

ସାଲ ଶେଯ ଘୋଡ଼ି ହୋଇ ରହନ୍ତି ଯତନେ

ଅଛବ-ବାପୁଡ଼ା-ଦୁଃଖୀ ଗରିବ ମୂଲିଆ

ନିଶା ଅବଶାନେ ଯାଇଁ ବିଲେ ହୁଏ ଠିଆ

ଛିଣ୍ଡା କାନି ଖଣ୍ଡି ତା’ର ଅଟଇ ସମ୍ୱଳ

ଶୀତର ଦାରୁଣ କୋପେ ତୁଟେ ତା’ର ବଳ

ଶୀତେ ଥୁରୁ ଥୁରୁ ହୋଇ ଗରିବ ବିଚରା

ପେଟ ଭୋକ ନାଶ ଆସେ ହୁଏ ଦରମରା

ସହି ବଇଶାଖ ଖରା ଶିରାବଣେ ଧାରା

ହାଡ଼ଭଙ୍ଗା ପୁଷ ଜାଡ଼େ ଥରାଇ ପଞ୍ଜରା

ପେଟ ଭୋକ ପେଟେ ମାରି ଲୁହଧାର ଢାଳି

ପେଟ ପାଇଁ ସହି ନିତି ଦୁଃଖ ମାଡ଼ ଗାଳି

ଅକାତରେ ଲହୁ ଲୁହେ ପରିଣତ କରି

ନୀରବେ ବଢ଼ାଏ ଦେଶେ ଯେ ସରବ ଶିରୀ

ସେ ଯେବେ ହୋଇବ ଦେଶେ ଅଛବ ପତିତ

କିଏ ବଢ଼ାଇବ ଦେଶ ଧନ ଦଉଲତ ?

ଏହିପରି ନିର୍ଯ୍ୟାତିତ ପତିତ ଉଚ୍ଛବ

ଦୁଃଖ ଭୋକ ଶୋକେ ଗତ ସାଆନ୍ତ ବିଭବ

ପଡ଼ିଛି ସେ ଜରେ ଆଜି ନାହିଁ ଦାନାପାଣି

ଘରଣୀ ତା’ ଆସିଅଛି ନେବାକୁ ତୋରାଣି

ଦେଖିଲା ସାଆନ୍ତ ବୁଲୁ ଅଛନ୍ତି ଦୁଆରେ

କାନ୍ଦି କାନ୍ଦି ଜଣାଇବା ସାଆନ୍ତ ଛାମୁରେ

‘‘କାଲିଠୁଁ ଚାକର ତୁମ ପଡ଼ିଛି ଜରରେ

ତୁଣ୍ଡରେ ଦେବାକୁ କିଛି ନାହିଁ ଟିକେ ଘରେ;

କାନ୍ଦୁଛି ବିକଳେ ଶୋଷେ ଶୁଖୁଛି ତା ତଣ୍ଟି

ଆସିଛି ନେବାକୁ କିଛି ଭରସା ନ ଦେଖି ।’’

ଦେଖି ତାକୁ ସାଆନ୍ତାଣୀ କୋପେ ଗଲେ ଜଳି

ମନକୁ ଆସିଲା ଯାହା ଦେଲେ ବହେ ଗାଳି

କହିଲେ, ‘‘ମାଗଣା ଭାତ ପାଇଛୁ ଏଠାରେ

ସକେଇ ହେଉଛୁ ଆସି ରୋଗ ବାହାନାରେ

ଯା, ଯା ଅଲକ୍ଷଣୀ ପାଦ ନ ପକା ଏଠାରେ

କାଲିଠୁ ଆସିଲା ନାହିଁ କିଏ କାମ କରେ ?

 

ହୀନ ନୀଚ୍ଚ ଜାତି ତମ ବୁଦ୍ଧି ବଡ଼ ଛୋଟ

ଭଲ ଜାଣ ମାଗି ଖାଇ ପୂରାଇବା ପେଟ

ପଡ଼ିଲେ ତୋ ପାଦ ଏଠୁ ଲକ୍ଷ୍ମୀ ଯିବେ ଛାଡ଼ି

ଯାଆ ତୁ କହୁଛି ଏଠୁ ଚଞ୍ଚଳ ବାହାରି ।’’

ଏ ସମୟେ କାଖେ ତାର ଭୋକାତୁଳି ପିଲା

ଭୋକ ପେଟେ ପାଟି ଶୁଣି ଉଚ୍ଚରେ କାନ୍ଦିଲା

ଦୁଖ ଭରା ମାଆ ଛାତି ଗଲା କିବା ଫାଟି

ରକତି କି ଲୁହଛଳେ ବୁକୁ ଆସି ଉଠି ।

ଦୁଃଖ ଶୋକେ ଜଡ଼ ପ୍ରାୟ ମୂକ ହୋଇ ଯାଇ

ରୁଦ୍ଧ ହୃଦୟ ବେଦନା ଲୋତକେ ଭସାଇ

କାନ୍ଦି କାନ୍ଦି ପଳାଇ ଆସିଲା ତହୁଁ ଖରେ

ଯାଉ ଏ ଜୀବନ ବୋଲି ଚିନ୍ତିଣ ମନରେ

Image

 

ସ୍ୱାର୍ଥ ପାଖରେ ଛୁଆଁ ଅଛୁଆଁ ନାହିଁ

 

ଜୀବନର ଆଶା

ଛିନ୍ନ କରି ସେ

ଚାଲିଛି ପାଗଳ ପରି

ଦୁଃସହ ଦୁଃଖେ

ଭାରାକ୍ରାନ୍ତ ବୁକେ

ଉଛୁଳି ପଡ଼ୁଛି ବାରି ।

ଭଗବାନ ସତ୍ତା

ମିଛ ମଣେ ଆଜି

ବିପ୍ଳବୀ ବିଚାରେ ତା’ର

ଜଗତରେ ଥିବା

ସରବ ଶକତି

ତା’ ପାଇଁ ହେଲା କି କ୍ରୂର ?

ହେମନ୍ତ ରାତିର

ପାହାନ୍ତିଆ ଜହ୍ନ

ଫିକା ଜୋଛନା ଯେହ୍ନେ

ଶିଶିର କଣାରେ

ଆବୃତ୍ତ ହୋଇ

ପାଣ୍ଡୁର ଶୋଭା ଘେନେ ।

ଗୋରା ତକ ତକ

ତନୁଟି ତାହାର

ଦୁଃଖ ଶିଶିରେ ଜଡ଼ି

ଭରା ଯଉବନ

କମନୀୟ କାନ୍ତି

ଗଲାଣି ମଳିନ ପଡ଼ି ।

ଦେଖୁଥିଲେ କେତେ

କରଣ ବ୍ରାହ୍ମଣ

ସାଆନ୍ତେ ପିଣ୍ଡାରେ ରହି

ଦେଖି ତା’ କାନ୍ଦଣା

ନ କହେ କେ ଆହା

କା’ ମନ ତଟିଲା ନାହିଁ ।

ଧନ୍ୟ ଏ ଜଗତ

ଯେଉଁଠାରେ ଥିବ

ନିଜ ସ୍ୱାର୍ଥ ସୁଖ ଭୋଗ

ସେହିଠାରେ ବନ୍ଧୁ

ବାନ୍ଧବ ସମ୍ପର୍କ

ଦୟା ଧର୍ମ ଅନୁରାଗ ।

ସର୍ବେ ଆଗୁସାର

ନିଜ ସୁଖ ପାଇଁ

ପର ସୁଖ ପୋଡ଼ି ଜାଳି,

ନିଜର ବଡ଼ିମା

ଦେଖାନ୍ତି ସକଳେ

ପରକୁ ପାଦରେ ଦଳି

ପର ପରାଣର

ପରାଶ କି କେବେ

ଦିଏ ନିଜ ହୃଦେ ଦାଗ ?

ଓଲଟି ଦୁଃଖରେ

ପରିହାସ କରି

ମୋଡ଼ନ୍ତି ସରାଗ ଅଗ ।

ହୋଇଥାନ୍ତା ଯେବେ

ଧନ, ଯଉବନ,

ଜୀବନ ଜଗତେ ଚିର;

ଖଳଜନ ଯେବେ

ଧରିଯାନ୍ତେ ହାତେ

ନିଜ ସୁଖ ଦୁଃଖ ଡ଼ୋର

ଅଳପ ଶକତି

ଲାଭେ ଖଳ ମତି

ଘଟାଏ ଯେଉଁ ବିପାକ

ଚିର-ଶକ୍ତି ବଳେ

ବଳୀ ହୋଇଥିଲେ

ହୁଅନ୍ତା ସୃଷ୍ଟି ନରକ ।

ଗାଁ ମୁଣ୍ଡେ ଏକ

ଯୁବକ ବଇଦ

ଖୋଲି ଅଉଷଧ ଘର

ରୋଗୀ ଆସିବାକୁ

ବସିଥିଲେ ଚାହିଁ

ଶୁଣିଲେ କାନ୍ଦଣା ସ୍ୱର

ଚାହାନ୍ତେ ପଦାକୁ

ପରିଚିତ ମୁହଁ

ଆଖି ଆଗେ ଦେଲା ଦେଖା

ଅତୀତର କେତେ

ମଧୁର ସ୍ୱପନ

ମନରେ ହୋଇଲା ଅଙ୍କା ।

ତା’ ନୟନ ନୀର

ଢେଉ ଖେଳାଇଲା

ଯୁବକ ଅନ୍ତର ସରେ ।

ଅତୀତର କେତେ

ସଂଚିତ ପିପାସା

ଅନ୍ତର ଅଲୋଡ଼ିଲେ

ଦୁଃଖେ ସମ ଦୁଃଖୀ

ହୋଇ ବୁଝାଇଲେ

କଅଁଳ ବଚନେ ଡାକି

ନୟନ ଲୋତକେ

ଭିଜା ଗଣ୍ଡ ତା’ର

ଅଂଚଳେ ଦେଲେ ଜଣାନ୍ତି ।

ଯାହାର ପରଶ

ପାଇଁକି ଦିନେ ସେ

ପାଗଳ ପରାଏ ହୋଇ

ଫସଲ ଖେତର

ବଣ ଘେରା ପଥେ

ରହିଥିଲେ ବାଟ ଚାହିଁ

ବସନ୍ତ ଆଗମେ

ପିକ କୁହୁତାନ

ଶୁଣି ସହକାର କୁଂଜେ ।

ମିଳନ ପିପାସା

ଜାଗି ଉଠି ଥିଲା

ମତୁଆଲା ମଧୁ ସଂଜେ ।

ଫୁଟନ୍ତ କୁସୁମ

ସଉରଭ ଗଂଧେ

ମଧୁପ ପାଗଳ କରି

ଯଉବନ ପଥେ

ନୂତନ ପଥିକ

ପୀରତି ପାଥେୟ ହେରି ।

ନବ କିଶୋରୀର

ଉଦାସ ଚାହାଣୀ

କଳପନା ପୀଠେ ଟାଣ

ସତେ ବା କାହାର

ବୀଣା ଜିଣା କଣ୍ଠ

ନେଉଥିଲା ମନ କିଣି

ମିଳନର ଆଶା

ପୀରତି ପିପାସା

ବିଦ୍ରୋହ ସୃଷ୍ଟି କଲା

ଭ୍ରାନ୍ତ ସମାଜ

ବେଷ୍ଟନି ଭାଙ୍ଗ

ମନ ପରପାରେ ଗଲା

ଦେଖେ ଯହିଁ ଚାରୁ

ଗୋଲାପ ରାଣୀର

ବଧୁଲୀ ଅଧରେ ହସ

ମିଳନ ବାଟରେ

ସରଜି ପାରେନା

ବିରହ ଆଶଙ୍କା ଲେଶ

ଗୁଣୁ ଗୁଣୁ ଗୀତ

ଗାଇ ସାଥି ତା’ର

ନିଇତି ଆସି ତା କୁଂଜେ

ଉପହାର ଦେଇ

ମଧୁର ଚୁମ୍ୱନ

ନିତି ତା’ର ମନ ରଞ୍ଜେ ।

କଳପିତ ସେହି

କୁସୁମିତ ବନେ

ଯାଇଥିଲା ମନ ଧାଇଁ

ବୃଥା ହୋଇଥିଲା

ସବୁ ଅଭିସାର

ଶୂନ୍ୟେ ଖାଲି ପଥ ଚାହିଁ ।

ଶେଷେ ଦିନେ ଫୁଲ

ଅଳି ପାଖେ ଥରି

କହିଲା ଗୋପନେ କାନେ

ହେ ସମାଜ ପତି !

ପତିତ ବୋଲି ମୁଁ

ନ ଆସେ କି ଘୃଣା ମନେ ?

ଅନୁରାଗ ବୋଳା

ଯେତେ ଅନୁରୋଧ

ସବୁ ହୋଇଥିଲା ବୃଥା

ମଧୁପ ପାଖେ କି

କେତକୀ କୁସୁମ

ହୋଇଲା କଣ୍ଟାକାବୃତ୍ତା !

ଆଜି ସେ କୁସୁମ

ମଉଳିଛି ସତ

ନାହିଁ ତା’ଆଗ ବାସନା

ବୃନ୍ତୁ ନ ଖସି

ରହି ଥିବାରୁ ସେ

ଅଳି ମନ ହୁଏ ବଣା ।

ଲୁହଧୁଆ ଗଣ୍ଡ

ପରଶେ ନିଜକୁ

ମଣିଲେ ସେ ଭାଗ୍ୟବାନ

ପଚାରିଲେ କହ

କି ଦୁଃଖ ତୋର ଗୋ

କରୁଛୁ କିପାଁ ରୋଦନ ?’’

ଶୁଣି ଆହା ବାଣୀ

କହିଲା ରମଣୀ

‘‘କାଲିଠୁଁ ସ୍ୱାମୀକୁ ଜର’’

ନାହିଁ କିଛି ଘରେ

ଦେବାକୁ ତାଙ୍କର

ତୁଣ୍ଡେ ଟିକିଏ ଆହାର ।

ଛୁଆଟି ଭୋକରେ

ରଡ଼ି ଛାଡ଼ୁଅଛି

ଦେଖି ଫାଟିଯାଏ ଛାତି

କାନୁଗୋଇ ବାବୁ

ଘରକୁ ଆସିଲି

ନେବାପାଇଁ କିଛି ପଥି ।

ଶୁଣି ଏ ବିକଳ

ନ ଟଳିଲା ତାଙ୍କ

ଦାରୁଣ ହୃଦୟ ତିଳେ

ନ ହେବାରୁ ତାଙ୍କ

କାମ ଆଜ ଦିନ

ଗାଳି ଦେଇ ତଡ଼ି ଦେଲେ ।

ତେଣୁ ଆସି ବୁଦ୍ଧ

ନ ଦିଶେ ଗୋସାଇଁ

କିସ ଉପାୟ କରିବି

ସ୍ୱାମୀ ପୁଅ କଷ୍ଟ

ସହି ନପାରି ମୁଁ

ଜୀବନ ହରାଇ ଦେବି ।’’

ଶୁଣି କବିରାଜ

ମନେ ଚିନ୍ତା କଲେ

ଭଲ ଦିନଟିଏ ଆଜି

ସାହାଯ୍ୟ ପାଇଲେ

ଅନୁରୋଧ ମୋର

ହୋଇପାରେ ଅବା ରାଜି ।

ମନେ ଟିକେ ଭାବି

ଗମ୍ଭୀର ହୋଇ

କହିଲେ–‘‘ନକର ଭୀତି

ପାନେ ଓଷଦରେ

ତୋ ସ୍ୱାମୀ ଦେହରୁ

ଚାଲିଯିବ ଜର ତାତି ।

ପ୍ରଣୟ ପିପାସା

ମେଣ୍ଟାଇବାପାଇଁ

କୁପାଞ୍ଚ ପାଞ୍ଚିଲେ ମନେ

ଅଉଷଧେ ବିଷ

ଦେଇ ମାରିଦେବେ

ସ୍ୱାମୀକୁ ତା’ର ଜୀବନେ ।

ଚିରଦିନ ତାକୁ

ପ୍ରୀତି-ପଞ୍ଜରାରେ

ସାଇତିବେ ଧନ ଦେଇ

ସପନପୁରୀର

ଯେତେ କଳପନା

ରୂପ ପାଉଥିବ ତହିଁ ।

ମନେ ଏହା ଭାବି

ଟଙ୍କାଟିଏ କାଢ଼

ତା’ ହାତରେ ରଖିଦେଲେ

ପ୍ରଣୟନୀ ପାଶେ

ପ୍ରେମିକ ପରାଏ

ପର ହାସେ କଥା ହେଲେ ।

କହିଲେ, ‘‘ଏଇଲେ

ତୋ ସାଥିରେ ଯାଇ

ଅଉଷଧି ପାନେ ଦେବି

ଏଇ ଟଙ୍କାଟିରେ

ପଥି କିଣି ଆଣ

ମନରେ କିଛି ନ ଭାବି ।’’

କହି କବିରାଜ

ଚାଲିଲେ ସାଥିରେ

ବିଷ ଅଉଷଧି ଧର

ପରି ହାସ ଛଳେ

ପଛ ପ୍ରେମ କଥା

କହିଲେ ହୃଦୟ ଖୋଲି ।

ଦଇବକୁ ନିନ୍ଦା

କରି ପ୍ରଶଂସିଲେ

ତା ରୂପ ଯଉବନକୁ

କହିଲେ–‘‘ଦଇବ

ଅନ୍ୟାୟ ବିଚାରେ

ପତିତ କଲା ତୁମକୁ ।’’

Image

 

ଦୁଖର ସାଥୀ

 

ପରିହାସ ଶୁଣି ବିଷ ପରି ମଣି

ନ ଦେଲା କିଛି ଉତ୍ତର

ବିପଦ ମୁହଁରୁ ଉଧୁରିବା ପାଇଁ

ସବୁ ଶୁଣି ହେଲା ଥିର ।

ଦଇବ ଯୋଗକୁ ବାଟରେ ତାହାଙ୍କ

ଭେଟିଲେ ଜଣେ ଯୁବକ;

ଦେଖିଲେ ଜଣକୁ ହସୁଛି ସରାଗେ

ଆଉ ଜଣେ କରେ ଦୁଃଖ ।

ଜଣେ ବୁଲେ ପ୍ରେମ ନନ୍ଦନ କାନନେ

ପାରିଜାତ ଫୁଲ ଆଶେ

ଆଉ ଜଣେ ପଡ଼ି ମରୁ ରାଇଜର

ଭୀମ ଧୂଳି ଝଡ଼ ଗ୍ରାସେ ।

ଜଣେ ହସି ହସି ଚାଲିଛି ସରାଗେ

ଭାବି ସୁଖ ଆନନ୍ଦରେ

ଆରେକ ଚାଲିଛି ମଉଳିଲା ମୁହେଁ

ଭବିଷ୍ୟତ ଅନ୍ଧକାରେ ।

ଏ କରୁଣ ଛବି ଦେଖି ଆଗନ୍ତୁକ

ମନେ ପାଇ ବଡ଼ ବ୍ୟଥା

ପରିଚିତ କବି ରାଜ ଯୁବକକୁ

ପଚାରିଲେ–ଏ କି କଥା ?

ଦୁଃଖ ଯିଏ ଭୋଗେ ସେ ସିନା ଜାଣଇ

ଦୁଃଖର ଦୁଃସହ ଦାଉ

ପରେ ଦୁଃଖ ଦେଇ ସୁଖୀ ଯେହୁ ହୁଏ

ବ୍ୟଥା ସେ ବୁଝିବ କାହୁଁ ?

ଅତି ତୁଚ୍ଛ ଭାବେ ଦୁଃଖ ତା ନ ବୁଝି

କହିଲେ, ‘‘ନୁହଇ କିଛି

ସ୍ୱାମୀ ତାର ଟିକେ ଜର ଭୋଗିବାରୁ

ଦୁଃଖେ ଆସି କାନ୍ଦ ଅଛି ।

ନ ସହି ପାର ସେ ହୀନ ତୁଚ୍ଛ ଭାଷା

କହିଲା ସବୁ ଫିଟାଇ

ତା ଦୁଃଖ କାହାଣୀ ଆଗନ୍ତୁକ ପ୍ରାଣ

ଦୁଃଖେ ଦେଲା ତରଳାଇ ।

କହିଲେ ଦୈଦ୍ୟଙ୍କୁ ହୃଦହୀନ ନୋହି

ହୁଅ ପର ଦୁଃଖେ ଦୁଃଖୀ,

କି ସେବା କରିବ ଦୁଃସ୍ଥ ସମାଜରେ

ଦୁଃଖୀ ହୃଦୟ ନ ଦେଖି ।

ଚାଲ ଦୁହେଁ ଯିବା ସେବା କରି ତା’ର

ଦେଇ ଅଉଷଧି, ପଥି

ତାର ଦୁଃଖ ନିଜ- ଦୁଃଖ ପରି ମଣି

ହେବ ତା’ ଦୁଃଖର ସାଥି ।

ଅଉଷଧି ତୁମେ ଆଣିଛ କି ନାହିଁ’’

ପୁଛନ୍ତେ କବିରାଜଂକୁ

ଭୟେ କବିରାଜ ଜଡ଼ସଡ଼ ହୋଇ

କହିଲେ ‘‘ଡର ଧର୍ମକୁ ।

ବ୍ରାହ୍ମଣ କୁଳରେ ଜାତ ହୋଇ ତୁମେ

ସେବିଲେ ପତିତେ ଯାଇଁ ।

ଧର୍ମ ନଷ୍ଟ ହୋଇ କୁଳ ବୁଡ଼ିଯିବ

ନ ମାନିବେ ଆଉ କେହି ।’’

ଶୁଣି ରାଗେ ଜଳି ଯାଇ ଆଗନ୍ତୁକ

କହିଲେ, ‘‘ନିର୍ବୋଧ ପରି

ବୃଥା ଜାତି ଟେକ ନ ଦେଖାଅ ଥରେ

ଦେଖ ଜ୍ଞାନ ଚକ୍ଷୁ ଖୋଲି ।

ଭଗବାନ ସତ୍ତା ସଭିଙ୍କ ଶରୀରେ

ରହିଅଛି ପୂର୍ଣ୍ଣ ହୋଇ

ତାଙ୍କରି ଇଙ୍ଗିତେ ଚଳେ ସାରା ସୃଷ୍ଟି

ବ୍ୟକ୍ତି-ସତ୍ତା ତହିଁ ନାହିଁ ।

ଅଯଥା ବଡ଼ିମା ମନରେ ସାଇତି

ବଡ଼ ଭାବୁଛ ନିଜକୁ

ବିଶ୍ୱପିତା ଏକ ସାମ୍ୟ ଉପାଦନେ

ଗଡ଼ିଛନ୍ତି ଏ ସୃଷ୍ଟିକୁ

ତାଙ୍କ ପାଖେ ବଡ଼ ନୁହେଁ ବିପ୍ରକୁଳ

ହରିଜନ ନୁହେଁ ସାନ

ସତ୍ୟ, ଧର୍ମ, ନ୍ୟାୟ ବଡ଼ ତହିଁ ହୁଏ

ଅନ୍ୟାୟ ଅସତ ହୀନ ।

ଧର୍ମ ନୁହେଁ ଯାହା କହୁଅଛ ତୁମେ-

ପତିତେ ପତିତ ରଖି,

ଧର୍ମନାମେ ପାପ ଅଧର୍ମ କରୁଛ

ସତ୍ୟ ନ୍ୟାୟକୁ ନ ଦେଖି ।

ନୋହି ଅତ୍ୟାଚାରୀ ଅତ୍ୟାଚାରିତକୁ

ସାହାଯ୍ୟ କରିବା ଧର୍ମ

ପର ଦୁଃଖେ ଦୁଃଖୀ ହୋଇ ସେବା କଲେ

କରିବ ମହତ କର୍ମ ।

ଛାଡ଼ ମୂଢ଼ ପଣ କର ଦୃଢ଼ପଣ

ପତିତେ କରିବ ସେବା

ଉଚ୍ଚନୀଚ୍ଚ ଜାତି ଭେଦାଭେଦ ନୀତି

ସମାଜେ ରଖି ନ ଦେବା ।’’

ଶୁଣି କବିରାଜ ଉପହାସ କରି

କହିଲେ-‘‘ରଖ ସେ ନୀତି

ବିଧରମୀ ତୁମେ ପାପୀ ଦୁରାଚାର

ନାହିଁ ଧର୍ମକର୍ମେ ଭୀତି,

ଜାତିପତି ନାଶ କରି ପଉରୁଷ

ନେବାକୁ ଭାବିଛ ମନେ,

ପୂର୍ବ ପୁରୁଷଙ୍କ ବାଟ ଛାଡ଼ି କହ

ଚାଲିବାକୁ କଣ୍ଟା ବଣେ ।’’

ଅଭିସାର ପଥେ କଣ୍ଟା ବାଡ଼ଦେଖି

ରାଗେ ଫେରନ୍ତେ ସେଠାରୁ

ଅଉଷଧି ରୂପେ ବିଷଭରା ଶିଶି

ପଡ଼ିଲା ହାତ ମୁଠାରୁ

କବିରାଜେ ଚାଲି ଯିବାରୁ ଯୁବକ

ନେଲେ ତା ତଳୁ ଉଠାଇ

ଦେଖିଲେ ଔଷଧ ନୁହଁଇ ସେ ବିଷ,

ମଣିଷ ମାରିବା ପାଇଁ ।

ଭୟ ବିଷାଦରେ ଝାଉଁଳିଲା ମନ

ନ ଆସିଲା ତୁଣ୍ଡେ ଭାଷା

ଭାବିଲେ ବଇଦ କିପାଇଁ କରନ୍ତି

ମଣିଷ ମାରିବା ପେଷା

ବିଷଭରା ଶିଶି ରଖିଣ ଗୋପନେ

କହିଲେ ମହିଳା ପ୍ରତି’’

ଚାଲ ମା ସାଥେ ମୋ ଦେଖିବି ମୁଁ ରୋଗୀ

ନ ଆଣ ମନରେ ଭୀତି’’

ସାଥେ ତା’ର ଯାଇଁ ପହଞ୍ଚି ଦେଖିଲେ

ଉଚ୍ଛବ ଜରରେ ପଡ଼ି

ବାଉଳା ହୋଇ ସେ ଶୋଷ ଶୋଷ ବୋଲି

ବିକଳେ ଛାଡ଼ୁଛି ରଡ଼ି ।

ନାହିଁ କିଛି ଘରେ ଘୋଡ଼ି ହେବା ପାଇଁ

ଜରର ଶୀତ ଦାହରେ

ଦେଖି ଏ ଦୁର୍ଦ୍ଦଶା ନିଜ ଦେହୁଁ କାଢି

ଚଦର ଘୋଡ଼ାଇ ଦେଲେ ।

ବିଛଣାରୁ ତାକୁ ଟେକି ସଫା କରି

ପରାରେ ଦେଲେ ଶୁଆଇ

ଦମ୍ଭ ଧରିବାକୁ ବୁଝାଇଲେ ତାକୁ

କଅଁଳ ବଚନ କହି

ଡାକତର ଘରୁ ଅଉଷଧ ଆଣି

ଖୁଆଇ ଦେଲେ ରୋଗୀ କି

ସାଗୁ ବାଲି ମିଶ୍ରୀ କିଣି ଆଣି ଦେଲେ

ପଥି କରିବା ପାଇଁ କି ।

ଚୁଲୀ ନ ଜଳିବା ଦେଖି ତା’ର ଘରେ

ପଚାରିଲେ ତା’ କାରଣ

ବୁଝିଲେ କାଲିଠୁଁ ନ ଥିବାରୁ କିଛି

ଭୋକେ କଲବଲ ପ୍ରାଣ ।

ଦୀର୍ଘଶ୍ୱାସ ତେଜି କହିଲେ-‘‘ ହେ ବିଶ୍ୱ-

ଜନକ ତୋ ଦୁଃଖୀ ସୁତେ

କିପାଇଁ ପକାଅ ଦୁଃଖ କଷାଘାତେ

ଯେ ସାଧୁ ସରଳ ନିତ୍ୟେ ।

ଉଚ୍ଚ ଜାତି ବୋଲି ଗଢ଼ିଛୁ ଯାହାକୁ

ହେଲେ ଖଳ ଅବିବେକୀ

କାଳସାପ ଦାନ୍ତେ ବିଷ ଭରି ଦେଲ

ନିରୀହକୁ କଲ ଦୁଃଖୀ ।

ସାଧୁ ପ୍ରାଣେ ଦେଲ ଶାନ୍ତିର ଉଚ୍ଛ୍ୱାସ

ଖଳ ଭୁଜେ ଦେଲ ବଳ

ଗରିବ ଆଖିରେ ଲୁହ ଭରି ଦେଲ

ସୁଖୀ ଘରେ ହସ ଖେଳ ।

ବାଘ ଦେହେ ଦେଲ ହିଂସା, ରାଗ, ବଳ

ରକତ ଆହାର ଖଞ୍ଜି,

ସରବ ସହଣି, ଉପକାରୀ କରି

ସରଜିଲ ତରୁରାଜି

ଭୋକିଲା ପେଟକୁ ଦାନା ନ ଯୋଗାଇ

କାମ ବୋଝ ଲଦି ଦିଅ ।

ବସାଇ କାହାକୁ କ୍ଷୀର ପୁଳି ଖୋଇ

ମହୁ ପରେ ଢାଳ ଘିଅ ।

କହ ତୁମେ ତମ ସୃଷ୍ଟି ସତ, ଧର୍ମେ

ନ୍ୟାୟେ ଆତଯାତ ହୁଏ ।

କେଉଁ ନ୍ୟାୟ ବଳେ ଭୋକିଲା ପ୍ରାଣର

ନୟନୁଁ ଲୋତକ ବହେ ?

ହେ କରୁଣାମୟ ! ଏ ଦୀନ ଦଳିତ

ଜାତି ପ୍ରତି ଦୟା କର ।

ପାଆନ୍ତୁ ସକଳେ ପେଟଭରା ଭାତ

ନ ଭୋଗୁ କେ ଅନାହାର

ଭାତ, ଲୁଗା ଲାଗି ପର ମୁଖାପେକ୍ଷୀ

ନ ହେଉ ଏ ଦେଶେ କେହି

ଏ ଦେଶ ସନ୍ତାନ ଜାତି ଭେଦ ଭୁଲି

କହୁ ସମସ୍ତଙ୍କୁ ଭାଇ ।

Image

 

ଧର୍ମ ଆଖିରେ ଧୂଳି

 

ସରବେ ଶୁଣି ଏ କଥା ହେଲେ ଆଚମ୍ୱିତ

କବିରାଜେ ପଚାରିଲେ କହ ସବୁଁ ସତ ।

ଶୁଣି କବିରାଜେ ହାତ ଯୋଡ଼ି ଛିଡ଼ା ହୋଇ

କହିଲେ–‘‘ମିଶ୍ରଙ୍କ ପୁଅ ଦୀନବଂଧୁ ଯାଇ

ଉଚ୍ଛବ ଭୋଇ ଯେ ଅଛି କାନୁଗୋଇ ଘରେ

ଶୁଣିଲି ସେ କାଲିଠାରୁ ପଡ଼ିଛି ଜରରେ ।

ଦୀନବଂଧୁ ଯାଇଁ ତାର ସେବା କରୁଛନ୍ତି;

ନିଜ ହାତେ ତା ବିଛଣା ଝାଡ଼ି ପାରୁଛନ୍ତି;

ଖାଇବା ପିଇବା ଆଦି ସବୁ ତା’ର ଘରେ

ଅବିଚାର କରୁଛନ୍ତି ଦେଖିଲି ଆଖିରେ ।

ଆଧୁନିକ ପାଠ ପଢ଼ି ବୋଲାଇ ପଣ୍ଡିତ

ସମାଜ ସଂସ୍କାର ନାମେ ସେବନ୍ତି ପତିତ ।

କହନ୍ତି କଳଙ୍କ ଦେଶେ ଜାତି ଭେଦ ନୀତି

ଦେଶର ମଙ୍ଗଳ ଲାଗି ଛାଡ଼ ଜାତି-ପ୍ରୀତି

ଆହୁରି ଅସନା କଥା କରନ୍ତି ସେ ତହିଁ

ଏଠାରେ କରିବା ପାଇଁ ମୁହିଁ ଖୋଲା ନାହିଁ ।’’

ପୁଅ ଅପକୀର୍ତ୍ତି ଶୁଣି ଡକାଇ ବାପାଙ୍କୁ

ଏ କି ଅପବାଦ ବୋଲି ପଚାରିଲେ ତାଙ୍କୁ ।

‘‘ଡକାଇ ପଚାର ତାଙ୍କୁ କହିବ ସେ ସତ

ବୁଝିପାରିଲେ ସେ ନିଶ୍ଚେ ଛାଡ଼ିବ କୁପଥ ।’’

ଶୁଣିପାରି ଦୀନବଂଧୁ ପହଞ୍ଚିଲେ ଆସି

ବିନୟେ ପ୍ରଣାମ କଲେ ଥିର ହସ ହସି ।

ଦେଖିଣ ଦୀନବଂଧକୁ ପଚାରିଲେ ଜଣେ

ଅଛବ ସାହିକୁ ତୁମେ ଯାଅ କି କାରଣେ

ଅଛବ ଚଣ୍ଡାଳ ଲୋକେ ଛୁଇଁ ନ ଯୋଗାଇ

କେଉଁ ବୁଦ୍ଧି ବିଚାରରେ କାମ କର ତହିଁ ?

କେଉଁ ବିଚାରରେ ତୁମ୍ଭେ ଅଚ୍ଛବ ସାରିଲେ

ଖିଆପିଆ ଆଦି ସବୁ କର ଅବିଚାରେ ?’’

ଶୁଣି ଦୀନବଂଧୁ ନିଜ ନାମେ ଅପବାଦ

ବିନୟେ କହିଲେ ମନେ ନ ଆଣି ବିଷାଦ;

‘‘ମିଛଠାରୁ ବଳି ବୋଧେ ପାପ କିଛି ନାହିଁ

ଧରମ କଳେନା କେହି ମିଛ କଥା କହି ।

ସମସ୍ତେ କହନ୍ତି କିଛି ନ ଦେଖି ନୟନେ

ବିଶ୍ୱାସ ନ କର ପର କଥା ଶୁଣି କାନେ ।

ଖାଇ ନି ମୁଁ ଦିନେ କେଭେଁ ଅଛଇ ସାହିରେ

ବିପଦ ପଡ଼ିବା ବେଳେ ସାହାଯ୍ୟ ମୁଁ କରେ ।

ଅଛବ ନାରୀ ସାଥିରେ ପ୍ରେମ କାରବାର

କଲାବେଳେ ହୁଏ ନାହିଁ ଜାତିର ବିଚାର ।

ବିପଦରେ ସାହା ହେଲେ ଘୋଟିଯାଏ ପାପ

ଜାତି ଗଲା ବୋଲି ମନେ ଆସେ ଘୋର ତାପ

ବୁଝି ମୁଁ ପାରେନା ଏହା କେଉଁ ବୁଝାମଣା

ଧରମ ନାମରେ ଏହା ନିପଟ ଛଳନା ।

ମୋ ମତରେ ନୁହେଁ କେହି ପତିତ ଚଣ୍ଡାଳ

ପତିତ ସେ ଅଟେ ଯିଏ ନିଜ ସୁଖେ ଭୋଳ ।

ପର ଶିରୀ ନ ଦେଖେ ଯେ ନିଜ ସୁଖ ଭୋଳେ

ଚଣ୍ଡାଳ ରୂପେ ସେ ଗଣା ହୁଏ କାଳେ କାଳେ

ଏହାହିଁ ଧରମ ବୋଲି ବୁଝେ ମୋର ମନ

ଅଛବକୁ ନ ଛୁଇଁବା ନୁହଇ ଧରମ

ନିଃସ୍ୱାଥ ସେବାରୁ ବଳି ଧର୍ମ ନାହିଁ କିଛି

ନିଃସହାୟ ଜନେ ତେଣୁ ସେବା ମୁଁ କରୁଛି ।

ଦେଖିଲି ଉଚ୍ଛବ ଭୋଇ ନିଃସହାୟ ହୋଇ

ଜରରେ ପଡ଼ିଛି ଘରେ ଖୁଦମୁଣ୍ଡି ନାହିଁ ।

ଭୋକେ ଛଟପଟ ହୋଇ ତା ସ୍ତିରୀ ବାଳକ

ଭରସା ନ ପାଇ ଦୁଃଖେ ଗଡ଼ାଇ ଲୋତକ ।

ବୁଡ଼ାଇ ଜୀବନ-ତରୀ ଦୁଃଖ ପାରାବାରେ

ଲୋଡ଼ନ୍ତି ମୁକତି ବସି ମରଣ ଦୁଆରେ ।

ଏ ଦାରୁଣ ଦୁଃଖ ଦେଖି ସହି ନ ପାରିଲି

ମୋ ଶକତି ମତେ ତାଙ୍କ ସେବା କରିଗଲି ।

ଏଥିଯୋଗୁଁ କେଉଁ ପାପ ଅନ୍ୟାୟ ମୁଁ କଲି

ଯାହାଦ୍ୱାରା ସମାଜେ ମୁଁ କଳଙ୍କ ବୋଳିଲି ?’’

ଏହା ଶୁଣି ରାଗିଯାଇ ଉଠି ଜଣେ ବୁଢ଼ା

କହିଲେ–‘‘ଅଛବେ ସେବି ହେବ ଧର୍ମଛଡ଼ା ।

ଯେଉଁ ଅଛବ ଜାତିକୁ ଛୁଇଁ ନ ଯୋଗାଇ

ସେମାନଙ୍କୁ ସେବା କଲେ ଯଶ ହୁଏ ନାହିଁ ।

ଅଧରମ କଲେ ନିଶ୍ଚେ କୁଳ ବୁଡ଼ିଯିବ ।

ସାତପୁରୁଷକୁ ନେଇ ନରକେ ଥୋଇବ ।

ଛାଡ଼ ସେ ଅବାଟ ଶୀଘ୍ର ପ୍ରାୟଶ୍ଚିତ୍ତ କର

ବେଦମତେ କାମ ମଲେ ସବୁ ହେବ ଭଲ ।’’

ଶୁଣି ଦୀନବଂଧୁ ଉଠି କହିଲେ-‘‘ବେଦରେ

ଅଧରମ କାମ ନୁହେଁ ଯାହା ମୁହିଁ କରେ ।

ତେଣୁ ମୁଁ କଦାପି ପ୍ରାୟଶ୍ଚିତ୍ତ ନ କରିବି

ବିବେକ ବିଚାର ପାଖେ କିଛି ନ ମାନିବି ।

ଯାହା ମୁଁ କରୁଛି ତାହା ଧରମ ସମ୍ମତ

ସେବା କାମ ଲାଗି ଶାସ୍ତ୍ରେ ନାହିଁ ପ୍ରାୟଶ୍ଚିତ୍ତ ।’’

ଶୁଣିଲେ ସକଳେ ଯହୁଁ ଏଡ଼େ ଟାଣ ପଣ

କହିଲେ ବାପାଙ୍କୁ ତାଙ୍କ–‘‘ଶୁଣନ୍ତୁ ଆପଣ ।

ତୁମ ପୁଅ ନୀଚ୍ଚକୂଳ-ସେବାକାରୀ ହୋଇ

ଶୁଦ୍ଧ ପୂତ ବିପ୍ରକୂଳେ-କଳଙ୍କ ଲଗାଇ

ଅଛବ ଚଣ୍ଡାଳ ଘରେ କରିଲା ଆହାର

ଆଜିଠୁଁ ସମାଜେ ମନା ହେଲା ତମ ଘର

ଯଦି ସମାଜେ ରହିବ ଛାଡ଼ ସେ ପୁଅକୁ

ନତୁବା ତା’ସଙ୍ଗେ ଯାଅ ଅଚ୍ଛବ ସାହିକୁ ।’’

ଶୁଣାଇ ଏତକ ସବୁ ଉଠି ଚାଲିଗଲେ

ପୁଅ ସହ ମିଶ୍ରେ ମନ ଦୁଃଖରେ ଫେରିଲେ ।

Image

 

ବାପା ମା’ଙ୍କ ଅଳି

 

ଜନକ ଜନନୀ ଦୁଃଖେ ପାଇଣ ସନ୍ତାପ

ଧରି ଦୀନବଂଧୁ କର କହିଲେ ‘‘ମୋ ବାପ,

କଥା ମାନିବ ମୋ ଧନ

ବାପା ମାଆ ଦୁଃଖ ଭାର କରିବ ମୋଚନ ।’’

ବସାଇ ଜନନୀ କୋଳେ ବକ୍ଷେ ଚାପି ଧରି

କହିଲେ ‘‘ମୋ ବାପ ଧନ ନୋହିଁ ଅବିଚାରୀ;

ମୁଣ୍ଡ ପାଗଳା ମୋ ପୁଅ

ଛାଡ଼ିବ ସେ ସବୁ ଦେଖି ମୋ ଆଖିର ଲୁହ ।

ଦୁଃଖ-ବାରିଧି ସଲିଳେ ଆମେ ଭଙ୍ଗା-ତରୀ

କରାଳ ତରଙ୍ଗ ମାଳେ ତୋ ପରି ନାଉରୀ

ଯେବେ କାତ ଛାଡ଼ି ଦେବୁ

ଦୁଃଖ ଅକୁପାରେ ସିନା ବୁଡ଼ାଇ ମାରିବୁ ।

ଆମେ ଅଟୁ ବୁଢ଼ା ଗଛ ତୁ ଆମର ଚେର

କଅଁଳିବୁ କାହା ଘେନି ହେଲେ ତୁ ଅନ୍ତର

ବାପ ନ ବୁଝୁକି ତୁହି,

ପ୍ରାଣ ବିନେ ଜଡ଼ ପଣ୍ଡ ରହିଅଛି କାହିଁ ?

ତୁ ଅଟୁ ପୃଥିବୀ ଆମେ ଜୀବଜନ୍ତୁ ତହିଁ

ରହିଛୁ ଜୀବନ ଧରି ତୋ ଆଶ୍ରୟ ପାଇ

ବାପ ଅବୁଝା ନ ହୁଅ

ଦୁଃଖ ସାଗରେ ଆମକୁ ଭସାଇ ନ ଦିଅ ।

ଜାତି ପାଖେ ହାତୀ ବଳ ନୁହଇ ରେ ସରି

ଆମ ଆଖି ଲୁହ ଦେଖି ରହ ଅପସରି

ଧର୍ମ ହେବ ତୋତେ ସାହା

ଦେଶ ଦୁଃଖ ନାଶେ ତୋତେ ଦେଖାଇବ ରାହା ।

Image

 

ସାନ୍ତ୍ୱନା

 

ଜନନୀ ନୟନ ଲୋତକ ବିନ୍ଦୁକୁ

ପୋଛି ଦେଇ ନିଜ କରେ

କହିଲେ, ‘‘ସନ୍ତାପ ନ କର ଦୁଃଖେ ମା

ବିଚାର ନିଜ ମନରେ ।

ଦେଇଛନ୍ତି ବିଭୁ ଜନମ ସଭିଙ୍କୁ

ପର ଉପକାର ପାଇଁ

ପର ଉପକାର ଠାରୁ ବଳି ବଡ଼

ଧର୍ମ ଆଉ କିଛି ନାହିଁ ।

ଶୁଣିଛୁ ପୁରାଣେ ଯୁଗେ ଯୁଗେ ପ୍ରଭୁ

ନାନା ରୂପେ ଅବତରି

ଭଲ ଲୋକ ରଖି ପାଳନ୍ତି ସୃଷ୍ଟିକୁ

ଖଳ ଅତ୍ୟାଚାରୀ ମାରି

ଯେତେ ଯେତେ ମହାପୁରୁଷ ଶୁଣିଛୁ

ଜଗତେ ଜନମିଛନ୍ତି ।

ପର ଉପକାରେ ଦେଇଛନ୍ତି ପ୍ରାଣ

ରଖି ଅମର କୀରତି

ଜନମ ମରଣ ନାହିଁ ଆମ ହାତେ

ମରିବାକୁ କିଆଁ ଡର ?

ଅନ୍ୟାୟକୁ ଡରି ଶରଣ ପଶିଲେ

ଜୀଅନ୍ତା-ମରଣ ସାର ।

ଚାହୁଁ କି ତୋ ପୁଅ ସୁଖ ଭୋଗ ଆଶେ

କୁକୁର ପରାଏ ହୋଇ

ସତ, ଧର୍ମ, ନ୍ୟାୟ, ବିବେକକୁ ଦଳି

ପର ପଛେ ଥିବ ଧାଇଁ ।

ଜୀବନକୁ ଡରି କାପୁରୁଷ ପରି

ଅନ୍ୟାୟ ଚରଣ ତଳେ

ନୁଆଁଇବ ମଥା ନ ରଖି ତା ସତ୍ତା

ଅନିତ୍ୟେ ଜୀବନ ଡରେ

ଏହାଠାରୁ ଭଲ ନୁହେ କି ମରଣ

କହ ମା ବିଚାରି ମନେ

ତୁଚ୍ଛ ସେ କୁଟୁମ୍ୱ ସୁଖ ଭୋଗ ଧିକ-

ବଞ୍ଚି ରହିବା ଜୀବନେ

ଦୁଃଖୀ ଦୁଃଖ ପ୍ରାଣ କରୁଣ କ୍ରନ୍ଦନ

ନ ଘାଣ୍ଟେ କି ତୋ ଅନ୍ତର

କିଏ ସେ ନିଷ୍ଠୁର ! ସେ ଦୁଃଖ ନିରେଖି

ଚାପିବ ନୟନ ନୀର ?

ଯେଉଁ ଦେଶେ ବାର ବରଷ ପୁଅକୁ

ହସି ହସି ତାତ ମାତ

ଜାତି ସ୍ୱାର୍ଥ ଲାଗି ବଳି ଦେଇ ଥିଲେ

ନୋହି ଟିକେ ବିଚଳିତ

ଯେଉଁ ଦେଶେ ପିଲା ବାଜି ରାଉତ ମା

ହସି ହସି ନିଜ ପ୍ରାଣ–

ଜାତି ସ୍ୱାର୍ଥ ଲାଗ ଗୁଳି ମୁହେଁ ଦେଇ

ରଖିଲା ଜାତିର ଟାଣ ।

ଯେ ଦେଶ ଜନମ ଲଭି ଗୋ ଜନନୀ

ପୁଣ୍ୟଶୋକ ଗୋପବଂଧୁ

ପୁତ୍ର ପତ୍ନୀ ଶୋକେ ନ ହୋଇ ବିକଳ

ହେଲେ ଦୀନବନ୍ଧୁ ବଂଧୁ

ରାଜରାଣୀ ତେଜି ସମ୍ପଦେ ନ ମଜ୍ଜି

ଯେଉଁ ଦେଶ ରଜା ପୁଅ

ସବୁ ଛାଡ଼ି ଦେଇ ବଣରେ ପଶିଲେ

ଛୁଟାଇ ଜ୍ଞାନର ସୁଅ ।

ଦେଶ ଜନନୀକୁ ପର ପଦାନତ

ଦେଖି ଯେଉଁ ଦେଶେ ଗାନ୍ଧୀ

ଶୁଣି ଜାତି ପ୍ରାଣ ବିକଳ ବିଳାପ

ନ ହୋଇଲେ ସୁଖେ ବାନ୍ଧି ।

ସବୁ ସୁଖ ଛାଡ଼ି ବଦ୍ଧ ପରିକର

ହେଲେ ଜାତି ଦୁଃଖ ନାଶେ

କେତେ ଅପମାନ କେତେ ମାଡ଼ ଗାଳି

ସହିଛନ୍ତି କାରାବାସେ ।

ସବୁଠି ଦେଖ ମା ସତ ଧର୍ମ ନ୍ୟାୟ

ହୋଇଛି ଶେଷେ ବିଜୟୀ

ଅସତ ଅଧର୍ମ ଟାଣପଣ କାହିଁ

ବିଜୟୀ ତ ହୋଇ ନାହିଁ ।

ଜାତି-ସ୍ୱାର୍ଥ ଲାଗି ବ୍ୟକ୍ତି-ପ୍ରାଣ ବଳି

ସବୁଠାରୁ ବଡ଼ ଦାନ

ଜାତି-ସ୍ୱାର୍ଥ ନାମେ ଗୋଷ୍ଠୀ ଉପଭୋଗ

ସବୁ କାମ ଠାରୁ ହୀନ

କୋଟିକ ପାଇଁକି ଗୋଟିକ ମରଣ

ହେଲେ ରକ୍ଷା ହୁଏ ସୃଷ୍ଟି

ସମୂହ ମଙ୍ଗଳେ ଅଧର୍ମ ହୁଏ ନି

ବିନାଶିଲେ ନିଜ ଗୋଷ୍ଠୀ ।

ସେହି ଭାଗ୍ୟବାନ ଦେଶେ ମୁଁ ଜନମି

ପାଇ ତୋ ପରି ଜନନୀ

ନିଜ ସୁଖ ଆଶେ ଜାତୀୟ ଦୁର୍ଗତି

ବଢ଼ାଇବି ଜାଣି ଶୁଣି ?

ନ ରହୁ ପଛେ ଏ ଜୀବନ ମୋର ମା

ଅକାଳେ ମରିବେ ଭଲ

ଅନିତ୍ୟ ଜୀବନ ଡରେ କିପାଁ ହେବି

ନିଜ ସୁଖ ଆଶେ ଭୋଳ ?

ହସି ହସି ଢାଳ ଆଶୀଷ ଶିରେ ମା

ହୁଏ ମୁଁ ସୁପୁତ୍ର ତୋର

ନିଃସ୍ୱ ଦୁଃସ୍ଥ ସେବା କରି ଏ ଜୀବନ

ଯାଉ ଗୋ ଜନନୀ ମୋର ।’’

Image

 

Unknown

ଜାତୀୟ ସମସ୍ୟା ଓ ଅଚ୍ଛବ ସଂଗଠନ

 

ଘେନି ଦୀନବଂଧୁ ପିତା ମାତାଙ୍କ ଆଶୀଷ

ପାଦଧୂଳି ଶିରେ ବୋଳି ତେଜି ନିଜ ବାସ

ଅଛବ ସାହିରେ ଏକ କୁଟୀର ତୋଳାଇ

ସମାଜ ମଙ୍ଗଳ ଲାଗି କାମ କଲେ ତହିଁ ।

ଏକାଠି କରିଲେ ସବୁ ଅଚ୍ଛବ ଯୁବକ

ବୁଝାଇଲେ ସେମାନଙ୍କୁ ଦେଶର ବିପାକ

ଅତୀତର ଏହି ଆମ ପୂତ ଜନ୍ମଭୂମି

ଧରିଥିଲା କୋଳେ କେତେ ବିଜ୍ଞ ଋଷି ମୁନି

ତାଙ୍କ ଜ୍ଞାନ ଦାନେ ଆମ ସମାଜ ସଂସ୍କୃତି

ଗଢ଼ିଥିଲା ଦେଶେ ଶାନ୍ତି ପ୍ରଗତିର ଭିତ୍ତି

ସମୂହ ମଙ୍ଗଳ ପାଇଁ ଏ ଦେଶ ଜନତା

ଇତିହାସେ ଗଢ଼ିଥିଲା ଚାରି ଜାତି କଥା

ଗୁଣ, କର୍ମ ଅନୁଯାୟୀ ଏ ଦେଶର ପିଲା

ଜାତି ପାଇଁ ନିଜ କାମ ବାଛି ନେଉଥିଲା

ସେ କର୍ମ-ବିଭାଗ ଆଜି ଗଢ଼ି ଜାତି ଭେଦ

ସମୂହ ଉନ୍ନତି ପଥ କରେ ଅବରୋଧ ।

ସମାଜେ ବିବାଦ-ନିଆଁ ଜଳିବାରୁ ଖରେ

ଜାତୀୟ-ଏକତା ପୋଡ଼ି ଭସ୍ମୀଭୂତ କରେ

ଏ ସୁବିଧା ନେଇ ଅନ୍ୟ ବିଦେଶୀ ଭଗାରି

ନିଜ ମଧ୍ୟେ ଗଢ଼ି ଶତ ମହମ୍ମଦ ଘୋରୀ

ଏ ଦେଶ ଫସଲ ନେଇ ଖାଇଲେ ସେ ବଳେ

ଭୋକେ ଆମେ ଖାଉ ଗଛ ପତର ବିକଳେ

ସେ ଖାଇ ଆମ ଆହାର ହୋଇଲେ ଦୀର୍ଘାୟୁ

ବାଇଶି ବରଷ ହେଲା ଆମ ଜାତି ଆୟୁ ।

ମ୍ୟାଲେରିଆ ମହାମାରୀ ଆଦି ରୋଗ ଗଣେ

ନିତ୍ୟ ଲୀଳାଭୂମି କରି ରହିଲେ ଏ ସ୍ଥାନେ

ଶିଶୁ-ମରଣରେ ଆମ ଦେଶ ଆଗୁସାର

ପ୍ରଥମ ଆସନ ବିଶ୍ୱ ଦରବାରେ ତା’ର

ମୂରୁଖ ପଣରେ ଆମ ଜାତୀୟ ଜୀବନ

ଶହେ କେ ମୂରୁଖ ସଂଖ୍ୟା ପଞ୍ଚାଅଶୀ ଜଣ

ଜଣ ପିଛା ହାରାହାରି ଆମ ଜାତି ଆୟ

ଅନ୍ୟ ସାଥେ ତଉଳିଲେ ଲାଗେ ମହାଭୟ

କେଉଁ ଦେଶେ ପାଞ୍ଚଟଙ୍କା ହେଲେ ଜଣ ପିଛା

ଆମ ଦେଶେ ଦଇନିକ ବାଇଶି ପଇସା

ଦୁର୍ଭିକ୍ଷର ଧୂମକେତୁ ଉଠି ଆମ ଦେଶେ

କୋଟି କୋଟି ମଣିଷଙ୍କୁ ଭରୁଥିଲା ଗ୍ରାସେ

ଜାତିର ଜନକ ଗାନ୍ଧୀ ବୁଝି ଏ ଦୁର୍ଗତି

ଡାକ ଦେଲେ ଭାଙ୍ଗିବାକୁ ଜାତିଭେଦ ନୀତି

ଫିଟିଲା ସଭିଙ୍କ ଆଖି ତୁଟିଗଲା ମୋହ

ସ୍ୱାଧୀନତା ପାଇବାକୁ କରିଲେ ବିଦ୍ରୋହ

ବିଦେଶୀ ଶାସନ ଭାଙ୍ଗି ହୋଇଲେ ସ୍ୱାଧୀନ

ଏଣିକି କରିବା ଦେଶ ଉନ୍ନତି ବିଧାନ

ନିଜ ମଧ୍ୟୁଁ ଭୁଲିଯିବା ସବୁ ଦଳାଦଳି

ଭାଇ ଭାଇ ପରି ଏବେ ହେବା କୋଳାକୋଳି

ଦେଶ କାମେ ନ ବିଚାରି ପର ଓ ଆପଣା

ଦେଶର ଉନ୍ନତି ପାଇଁ ହୁଏ ଯେ ଯୋଜନା

ତାହାରି ସାଫଲ୍ୟ ପାଇଁ ହୋଇ ଏକମନ

ସକଳେ କରିବା କାମ ଢାଳି ମନ ପ୍ରାଣ

ନ ରଖିବା ଦେଶେ ଟିକେ ଦୁଃଖ ଦୂରଗତି

କାମ କରି ବଢ଼ାଇବା ଦେଶର ସମ୍ପତ୍ତି

ଦେଶର ମଙ୍ଗଳ ହେଲେ ଆମର ମଙ୍ଗଳ

ଏଇ କଥା ଭାବି କାମେ ଲାଗିବା ସକଳ

ତେଣୁ ଆସ ଆଜିଠାରୁ କରି ଦୃଢ଼ପଣ

ଜାତୀୟ ସେତୁବନ୍ଧକୁ କରିବା ନିର୍ମାଣ

ଗୁଣ୍ଡୁଚି ମୂଷା ସମାନ ନିଜ ବାହୁବଳେ

ଦେଶ ଦୁଃଖ ନାଶେ ଆମେ ଲାଗିବା ସକଳେ ।

Image

 

ଅବିଚାର

 

ତେଜି ଏକମାତ୍ର ସଂଖାଳି ବୃଦ୍ଧ ମିଶ୍ର-ଦମ୍ପତ୍ତି

ମନ ମରୁଭୂମେ ବାଲୁକା ଝଡ଼ ଛୁଟିଲା ନିତି

ଅଶାନ୍ତି ବଉଦ ଢାଙ୍କିଲା ତାଙ୍କ ମନ-ଆକାଶ

ଲୋତକ ଧାରାରେ ତିନ୍ତିଲା ସଦା ହୃଦୟ ଦେଶ

ବସିଲେ ଯେଉଁଠି ଚିନ୍ତାରେ ମୁଣ୍ଡ ତଳକୁ ପୋତି

ଅସଜ ଲାଗିଲା ଜୀବନ ଦୁଃଖେ ଫାଟିଲା ଛାତି

ବଣଜନ୍ତୁ-ଘେରା ବନସ୍ତ ପରି ମଣିଲେ ଘର

ଶୂନ୍ୟ ହୃଦୟରେ ଦିଶିଲା ଶୂନ୍ୟ ସାରା ସଂସାର

ସ୍ନେହ ଡୋରେ ଗୁନ୍ଥା ସକଳ ପ୍ରାଣୀ ଜୀବନ ଫୁଲ

ଜଗତରେ କିଛି ହୁଏ ନି ସ୍ନେହ ସମାନ ତୁଲ

ସବୁ ସହି ମିଶ୍ର ଦମ୍ପତ୍ତି ଥିଲେ ନିଜ ସଦନେ

ଶେଷେ ତା’ ସମ୍ଭବ ନୋହିଲା ଖଳ-ଜନ-ପୀଡ଼ନେ

ଭଲ କାମେ କେବେ ନୁହଇ ଖଳଲୋକ ଉଲ୍ଲାସ

ସୁଖୀ ସେ ହୁଅଇ ମହତ ଜନେ କରି ବିନାଶ

ଦୀନବଂଧୁ ତେଜି ସକଳ ସ୍ନେହ ମାୟା ମମତା

ଯିବା ଦେଖି ଉଚ୍ଚ ଜାତିଏ ବସି କରିଲେ ଚିନ୍ତା

ଟାଣପଣ ତା’ର ମୂଳରୁ ଭାଙ୍ଗି ନ ଦେବା ଯେବେ

ଆମକୁ ଶେଷରେ ଅଛୁଆଁ ଲୋକେ ଶୂଳ ହୋଇବେ

କବିରାଜେ ନେଲେ ନେତୃତ୍ୱ କରି ସକଳେ ଠୁଳ

କରିଦେଲେ ମିଶ୍ର ଦମ୍ପତ୍ତି ନିଜ ଗ୍ରାମୁଁ ବାହାର

Image

 

ସ୍ନେହ ବଂଧନ

 

ପାଖେ ଦୀନବଂଧୁ

ଦେଖି ପିତାମାତା

ଆନନ୍ଦେ ଚରଣ ତଳେ ଲୋଟିଲେ

ସରସ ବିରସ

ମିଶାମିଶି ମୁହେଁ

ସେନେହ ସରାଗେ ପଚାରିଥିଲେ ।

‘‘କେତେ ଦିନୁଁ ମାଆ

କୋଳେ ତୋ ନ ବସି

ଘାରି ହୁଏ ମନ ଦାରୁଣ ଦୁଃଖେ

ନିଜ କାମେ ନିଜେ

ସୁଖୀ ହୋଇଲେ ବି

ଦୁଃଖୀ ମୁଁ ନ ପାଇ ତୋ କୋଳ ଟିକେ ।’’

ପୁଅ କଥା ଶୁଣି

ମାଆଙ୍କ ନୟନ

ସେନେହ ଲୋତକେ ଉଠିଲା ପୂରି

ଗେଲ ବସରରେ

ଟାଣି ନେଇ କୋଳେ

ଚୁମା ଦେଲେ ଛୋଟ ଛୁଆଟି ପରି ।

ବାପ, ମାଆ, ପୁଅ

ତିନିଙ୍କ ଆଖିରୁ

ବହିଲା ଆନନ୍ଦେ ଲୋତକ ଧାରା

ଛପି ରହିଥିବା

ଅନ୍ତର ଗହୀରୁ

ଦୁଃଖ-ଖତଗଦା ଧୋଇ ଆଣିଲା ।

ଦୁନିଆର ଡୋରି

ଧନ, ଜନ, ଶିରୀ

ତୁଟାଇ ତିନିହେଁ ହେଲେ ଫକୀର

ମଣିଷ ସେବାରେ

ତିନିଙ୍କ ଜୀବନ

କଟାଇ ଦେବାକୁ କରିଲେ ସ୍ଥିର ।

ବାପାଙ୍କ ମୁହଁରୁ

ସକଳ ଖବର

ଶୁଣି ଦୀନବନ୍ଧୁ ନ ହେଲେ ବ୍ୟସ୍ତ ।

କହିଲେ ‘‘ତୁମଠୁଁ

ଦୂରେ ରହି ବାପା

ମନେ ଲାଗୁଥିଲା ବଡ଼ ଆଘାତ ।

ତମ ସ୍ନେହ ସ୍ମୃତି

ଶୁଣାଉ ଥିଲା ମୋ

ଜୀବନ ଜଂଜାଳେ ଦୁଃଖର ଗୀତି

ଏବେ ସେ ଶରଧା

ଯୋଗାଇବ ମୋତେ

କାମ କରିବାରେ ନୂଆ ଶକତି ।’’

ଶରଧାରେ ବାପା

ଆଉଁଶି କପାଳ

କହିଲେ, ‘‘ତୋ ଶ୍ରମ ସାର୍ଥକ ହେଉ ।

ତୋ ଉଦ୍ୟମେ ଦେଶ-

ଜାତୀୟ ଜୀବନେ

ନୂତନ ଜୀବନ ସଂଚରି ଯାଉ ।

ତୋ କର୍ମ-ଜାହ୍ନବୀ

ଧାରା ଧୋଇ ଦେଉ

ଆବିଳତା ବୋଳା ସମାଜ ବକ୍ଷ

ଭୋକ ଦୁଃଖ ଶୋକେ

ପତିତ ହୋଇ କେ

ଜନମଭୂଇଁରେ ନୋହୁ ଅରକ୍ଷ ।

Image

 

ଗ୍ରାମ ସଂଗଠନ

 

ପ୍ରଭାତ ଆସନ୍ତେ ନିଶା ଅବସାନେ

ସରବ ଅଛବ ନରନାରୀ ଗଣେ

ଆଶରମ ଘରେ ହୁଅନ୍ତି ଏକାଠି

ବାଣ୍ଟି ନେବା ପାଇଁ ନିଜର ପାଇଟି ।

ମୂଲ ଲାଗିବାକୁ ଯେତେ ଆବଶ୍ୟକ

ଆଶ୍ରମ ଆଦେଶେ ଯାଆନ୍ତି କେତେକ

ବାକି ଯେ ରହନ୍ତି ଜୀବିକା ଅଭାବେ

ଗାଁ ସଫେଇରେ ଲାଗନ୍ତି ସରବେ ।

ପୂରୁବେ ଯେଉଁଠି ଯେତେ ପାଣି ଖାଲ

ଭରି ରହିଥିଲା ଖାଲି ଦଳମଳ

ଏବେ ସଂଗଠିତ ସମୂହ ଉଦ୍ୟମେ

ସଫା ହୋଇଲାଣି ସର୍ବଶ୍ରମ ଦାନେ ।

ଗାଁ ଦାଣ୍ଡ ଯେତେ ଖତଗଦା ଥିଲା

ପାଣି ଖାତ ପୋତି ସବୁ ସଫା ହେଲା

ଘର ଚାରିପଟେ ଥିବା ବଣ ବୁଦା

କଟା ହୋଇ ଏବେ ହୋଇଲାଣି ପଦା ।

ଗାଁ ଦାଣ୍ଡ ବାଟ ନଟା-ଗଛ-ବେଢ଼ା

କଟା ହୋଇ ଏବେ ହେଲାଣି ଚଉଡ଼ା

କାମର ଅଭାବେ ରହନ୍ତି ଯେ ଘରେ

ବସି ରହନ୍ତି ନି ଘରେ ଅଳସରେ ।

ନ ଭାବନ୍ତି କେହି ପର ବା ଆପଣା

ସଫେଇ କରନ୍ତି ଅଳିଆ ଅସନା

ଏହିପରି ଦଶ ବାର ଗାଁ ମିଶି

ଚଳାନ୍ତି ଜୀବିକା ସେବାଶ୍ରମେ ମିଶି

ହିଂସା ବାଦ ଭାବ ମନୁ ପୋଛି ଦେଇ

ଗାଁ ପରେ ଗାଁ କରନ୍ତି ସଫେଇ

ହଇଜା, ବସନ୍ତ, ଜ୍ୱର ଆଦି ରୋଗେ

ଅସହାୟ ହୋଇ ଦୁଃଖ କେ ନ ଭୋଗେ ।

ଜଣକା ଦିନକୁ ଅଣାଏ ଲେଖାଏଁ

ଆଶରମ ପାଇଁ ଚାନ୍ଦା ଦେଇଯାଏ

ଓଷଦ ପତର ଆସଇ ସେଥିରେ

ଦିଆ ହୁଏ ଯିଏ ପଡ଼ନ୍ତି ରୋଗରେ ।

କେହି ଯଦି ଦୁଃଖ ବିପ ଦେ ପଡ଼ଇ

ସମସ୍ତେ ମିଳି ତା ଦିଅନ୍ତି ତୁଟାଇ ?

ବାଳକ ବାଳିକା ସବୁ ଘରୁ ଆସି

ପଢ଼ନ୍ତି ଆଶ୍ରମ ବିଦ୍ୟାପୀଠେ ବସି ।

ଦଶ ବାର ଗାଁ ଗୋରୁଜଗା କାମ

ଚଳାନ୍ତି ଆଶ୍ରମ ଛାତ୍ରଛାତ୍ରୀଗଣ

ସଂଜ ହେବା ପରେ ନୈଶ ବିଦ୍ୟାଳୟେ

ପ୍ରୌଢ଼ ଯୁବଗଣେ ଶିକ୍ଷା ଦିଆଯାଏ ।

କାହିଁ ଯଦି କେବେ ଘଟଇ ଅଶାନ୍ତି

ଆଶ୍ରମେ ହୁଏ ତା ଆପୋଷ ନିଷ୍ପତ୍ତି

ଧନ ଦଉଲତ ବଢ଼ାଇବା ଲାଗି

କୃଷି ଗୋପାଳନେ ସମସ୍ତେ ଉଦ୍‌ଯୋଗୀ ।

ସମବାୟ ସୂତ୍ରେ ଚାଲେ ବ୍ୟବସାୟ

ବିଳାସ ସାମଗ୍ରୀ ହୁଏ ନି ବିକ୍ରୟ

ଆଶ୍ରମ ଇଙ୍ଗିତେ ଚଳଇ ସକଳ

ଚଳନ୍ତି ସରବେ, ଯଥା ଚଳେ କଳ ।

ଦୁଃଖେ ସୁଖେ ତହିଁ ସକଳେ ଆନନ୍ଦେ

ନାହିଁ କା’ ଅନ୍ତରେ ତିଳେ ଅବସାଦ

ନ ହୁଏ କେ ତହିଁ ଦୁଃଖରେ କାତର

ଜଣକ ଦୁଃଖରେ ସର୍ବେ ଭାଗୀଦାର ।

ହିଂସା ବାଦ ଛେଦ ନାହିଁ ସେଠି ଟିକେ

ସମସ୍ତେ ଆନନ୍ଦ ସମସ୍ତଙ୍କ ସୁଖେ

ବହୁଥିଲା ଯହିଁ ତପ୍ତ ବୈତରଣୀ ।

ଆଜି ବହେ ତହିଁ ଶାନ୍ତି ମନ୍ଦାକିନୀ ।

ମଣିଷ ହୃଦର ସ୍ନେହ ସରଳତା

ମଣିଷ ପାଇଁକି କିରେ ତହିଁ ଚିନ୍ତା

ହୁଅନ୍ତୁ କିପରି ସକଳେ ଆନନ୍ଦ

ଭାବୁଛି ଅସଭ୍ୟ ଅନାବିଳ ହୃଦ ।

ଆଜିର ସଭ୍ୟତା ଛାୟା ସେଠି ନାହିଁ

ନାହିଁ ଆଗଚଲା ବୈଜ୍ଞାନିକ ଭାଇ

ମୁଖେ ମିଠା କଥା ହୃଦୟେ କତୁରୀ

ସ୍ୱାର୍ଥ ଲାଗି ପର ବୁକେ ଦେଇ ଛୁରୀ

ନାହିଁ ତହିଁ କେହି କର କଳପନା

ମଣିଷକୁ ମାରି ସଭ୍ୟତାର ବାନା

ଅସଭ୍ୟ, ସରଳ ମଣିଷ ସମାଜେ

ଗୌରବ କେତନ ଉଡ଼ାଇ ନିର୍ଲଜେ

ମଣିଷ ସମାଜେ ପଶୁର ରାଜୁତି

ଭିତ୍ତି ଥାପିବାକୁ ବଳାଇବ ମତି

ଅଛି ତହିଁ ପର ସୁଖ ଶାନ୍ତି ଚିନ୍ତା

ଅସଭ୍ୟ ସମାଜ ସ୍ନେହ ସରଳତା

ଅଳସ କପଟ ନାହିଁ ଟିକେ ତହିଁ

ସମୂହ-କଲ୍ୟାଣ ଭାବ ମନେ ବହି

ସଭ୍ୟ ସମାଜର ଉପଭୋଗ ଚିନ୍ତା

ନିଜ ସୁଖ ପାଇଁ ପର ନାଶ କଥା

ନାନା କଳ କଉଶଳ କୂଟ ବୁଦ୍ଧି

ମଣିଷକୁ ମାରି କରେ ସ୍ୱାର୍ଥ ସିଦ୍ଧି

ନାହିଁ ସେ ଅସଭ୍ୟ ସରଳ ସମାଜେ

ଦେବତା ରାଇଜ ଶାନ୍ତି ତହିଁ ରାଜେ ।

Image

 

ଅସହଯୋଗ

 

ଆଶ୍ରମରେ ଦେଖି ମିଶ୍ର ବୁଢ଼ା ବୁଢ଼ୀ ଦୁଇ

ସବୁ ପତିତ ଯୁବକ ହେଲେ କୁହାକୁହି

ଅସମୟେ ଏଥି କିମ୍ପା ହେଲେ ଉପସ୍ଥିତ

ସମାଜର ଅତ୍ୟାଚାରେ ହେଲେ କି ଲାଞ୍ଛିତ ?

ବିସ୍ମୟେ ସକଳେ ଯାଇଁ ବୃଦ୍ଧଙ୍କ ପାଖରେ

ପଚାରିଲେ କି କାରଣେ ଆସିଲ ଏଠାରେ

ଶୁଣି ବୃଦ୍ଧ ମୃଦୁ ହସି କହିଲେ ଗମ୍ଭୀରେ,

‘‘ପୁଅ ମୋ ଯେଉଁଠି ଆମ ଘର ସେହିଠାରେ ।’’

‘‘ଏତେ କାଳ ଛାଡ଼ି ପୁଏ ଥିଲ ଘରେ ରହି

ଆଜି କିମ୍ପା ଘର ଛାଡ଼ ପୁଅ ସ୍ନେହ ପାଇଁ ?’’

ଉପାୟ ନ ଦେଖି ବୁଢ଼ା ଫିଟାଇ କହିଲେ

ସକଳେ ଶୁଣି ଏ କଥା ଦୁଃଖେ ଝାଉଁଳିଲେ ।

ସବୁ କଥା ଶୁଣି ଜଣେ ମନେ କରି ଘୃଣା

କହିଲେ-‘‘ଉଚ୍ଚ ଜାତିର ଏହି ବୁଝାମଣା ।

ଏହି କି ସେ ସଭ୍ୟ ଜାତି ଶିକ୍ଷିତ ସମାଜ

ମଣିଷର ରକ୍ତ ମାଂସେ କରେ ଯେ ମଉଜ ।

ଅସଭ୍ୟ ସମାଜେ ଭେଇ ଦୁଃଖ ଦଳାଦଳି

ସ୍ୱାର୍ଥ-ଆଶା ପାଖେ ଦିଏ କୋଟି ନରବଳି ।

ସଭ୍ୟତା ଆଳରେ ଚାଲେ ପଶୁର ରାଜୁତି

ଶାନ୍ତି ବାହାନାରେ ବଢ଼େ ସମର ପୀରତି ।

ନ୍ୟାୟ ପୀଠେ ଅନ୍ୟାୟର ହୁଅଇ ବିଜୟ

ସଭ୍ୟତା ବିଚାରେ ବସି ନିଜର ପ୍ରଳୟ ।

ବିଜ୍ଞାନୀ ହୋଇ ମରଣ ବାଟ ସଫା କରେ

ନିଜ ଗଢ଼ା ଗୁଳି ପଶେ ନିଜ କଙ୍କାଳରେ ।’’

ଶୁଣି ସର୍ବେ ଉଠିଗଲେ ତହୁଁ ଅନ୍ୟ ସ୍ଥାନେ

କରିଲେ ବିଚାର ବସି ତା’ପ୍ରତି ବିଧାନେ

‘‘ଅନ୍ୟାୟ ବିରୁଦ୍ଧେ ଆମେ ଲଢ଼ିବା ନିକର

ଅସହଯୋଗ କରିବା’’ ହେଲା ଶେଷ ସ୍ଥିର ।

‘‘ଶ୍ରେଣୀ ଗୋଷ୍ଠୀ ନିର୍ବିଶେଷେ ସକଳ ପତିତ

ଅନ୍ୟାୟ ବିରୁଦ୍ଧେ ଆମେ ହୋଇ ଏକତ୍ରିତ ।

ନ କରିବା କିଛି କାମ ଉଚ୍ଚ ଜାତିଙ୍କର

ନ ହୋଇବା ଯାଏ ଏହି ଅନ୍ୟାୟ ବିଚାର’

ଏହା ହିଁ ହୋଇଲା ସ୍ଥିର ସକଳ ମତରେ

ଲୋଡ଼ିଲେ ଦୀନବଂଧୁଙ୍କୁ ଶେଷ ନିଷ୍ପତ୍ତିରେ

ମତ ଦେଇ କହିଲେ ସେ ‘‘ନୁହେଁ ଏହା ଭଲ

ନିଜ କାମ ବଳେ ସବୁ ହେବ ଫଏସଲ ।

ସେବା ନାମେ ଦେବା ଯେବେ କଳି ନିଆଁ ଜାଳି

ସରବେ ମରିବା ତହିଁ ପୋକ ମାଛି ପରି ।

ସେବା ଧର୍ମେ ନାହିଁ କେବେ ପ୍ରତିହିଂସା କଥା

ସେବାଧର୍ମ ଅଙ୍ଗ ଅଟେ ସହନଶୀଳତା ।

ଆମ ବାଟେ ଆମେ ଯେବେ ହେବା ଅଗୁସାର

ସବୁ ବାଧାବିଘ୍ନ ଆପେ ହୋଇଯିବ ଦୂର ।

ଅଯଥା ବିବାଦ ପାଇଁ ଲଗାଇଲେ ନାଟ

ଛାଡ଼ି ନିଜ ବାଟ ଆମେ ଧରିବା ଅବାଟ ।’’

ଅଛବ ଯୁବକ ଜଣେ ଶୁଣି ଏ ଉତ୍ତର

କହିଲେ-‘‘ନୁହଇ ଏହା ନ୍ୟାୟର ବିଚାର ।

ଅନ୍ୟାୟ ବିନାଶ ପାଇଁ ନେଲେ ପ୍ରତିହିଂସା

ନ୍ୟାୟର ପ୍ରକାଶ ପାଇଁ ପାଇବା ମୀମାଂସା ।

ସେବିଛୁ ଯାହାକୁ ଆମେ ଯୁଗ ଯୁଗ ଧରି

ସହିଛୁ ସବୁ ଜୁଲମ ବଣ ପଶୁ ପରି ।

ନ ହୋଇ ବିରୁଦ୍ଧମତ ଦିଅ ସମର୍ଥନ

ଅନ୍ୟାୟ ବିରୁଦ୍ଧେ ଆମ ଚାଲୁ ଅଭିଯାନ।

‘‘ସକଳ ମତରେ ତୁମେ କର ଯାହା ସ୍ଥିର

ଚଳାଅ ସଂଯତ ହୋଇ ନୋହି ହିଂସ୍ରକ୍ରୂର ।’’

ଅନୁକୂଳ ମତ ପୁଣି ହୋଇଲେ ଆନନ୍ଦ

ଉଚ୍ଚ ଜାତି ଜନ କାମ ହୋଇଲା ବାସନ୍ଦ ।

ପତିତ ଅସହଯୋଗେ ଉଚ୍ଚ ଜାତି ଜନେ

ହୋଇଲେ ଅକ୍ଷମ ନିଜ କର୍ମ ସମ୍ପାଦନେ ।

ଦିନୁଦିନ କ୍ଷତି ସହି ହୋଇଲେ ଅସ୍ଥିର

ଏକାଠି ହୋଇ ସମସ୍ତେ କରିଲେ ବିଚାର ।

କବିରାଜେ ଦୋଷୀ ହେଲେ ସମୂହ ମତରେ

ବିନା ଦୋଷେ ମିଶ୍ରଙ୍କୁ ସେ ଗାଁରୁ ତଡ଼ିଲେ ।

ଭୟରେ କାତର ହେଲେ ଶୁଣି କବିରାଜ

ନିଜର ଦୁର୍ବୁଦ୍ଧି ଲାଗି ମନେ ପାଇ ଲାଜ ।

ନିଜ ଅପକର୍ମ ବୁଝି ଦୋଷ ମାଗି ନେଲେ ।

ଉପାୟ ବତାଇବାକୁ ଅନୁରୋଧ କଲେ ।

ସମୂହ ବିଚାରେ ଯାହା ହୋଇବ ନିଷ୍ପତ୍ତି

କାମେ ଲଗାଇବି ତାହା ଦେଲି ସନମତି ।

ଶୁଣି କବିରାଜ କଥା କଲେ ସର୍ବେ ସ୍ଥର

‘‘କ୍ଷମା ପାଇଁ ଦୀନବନ୍ଧୁ ପାଶେ ତୁମେ ଚଳ

ଫେରିଲେ ଏକାଠି ମିଶି ତାଙ୍କ ପାଶେ ଯିବା

ଅଛବ ସମସ୍ୟା ବସି ବିଚାର କରିବା ।’’

Image

 

ସତ୍ୟର ଜୟ

 

ନିଜ ଅପକର୍ମ ଅବିଚାର ଲାଗ

ପାଇ କବିରାଜ ହୃଦେ ସନ୍ତାପ

ଦୀନବନ୍ଧୁ ପାଶେ ଚଳିଲେ ସରାଗେ

ପୋଛିବାକୁ ତାଙ୍କ ମନରୁ ପାପ ।

ପହଞ୍ଚି ସେଠାରେ ମନ ଆନନ୍ଦରେ

ଆଲିଙ୍ଗନ କରି କହିଲେ ‘‘ଭାଇ,

ଏ ନିର୍ବୋଧ ଆଜି ପାଇଛି ଚେତନା

ତେଣୁ ଆସିଅଛି ତୋପାଶେ ଧାଇଁ

ସଦଗୁଣେ ତୋର କ୍ଷମା କର ଆଜି

ସରଳ ବାଟରେ ଚଳାଅ ମୋତେ

ଭୁଲିଯାଅ ମନୁ ମୋ ଲାଗି ପାଇଛୁ

ଦୁଃଖ, ଅପମାନ, ଲଞ୍ଛନା ଯେତେ ।’’

ଦେଖି ଦୀନବନ୍ଧୁ କବିରାଜ ହୃଦ

ସତ ବୁଝିବାର ନୂଆ ଚେତନା

ଆନନ୍ଦେ ଅଧୀରେ ଗାଢ଼ ଆଲିଙ୍ଗନେ

ଧରି କବିରାଜେ ଦେଲେ ସାନ୍ତ୍ୱନା ।

‘‘ହୁଅ ଭାଇ ସ୍ଥିର ନ ଆଣ ମନରେ

ପର କାମ ଲାଗି ଅଯଥା ବ୍ୟଥା

ସତ୍ୟ, ନ୍ୟାୟ ବାଟେ ଚାଲିଲେ ସକଳେ

ନ କରିବା କେହି ଦୁଃଖର ଚିନ୍ତା ।

ନିଜ ସୁଖଲାଗି ହେଲେ ଅତ୍ୟାଚାରୀ

ଅତ୍ୟାଚାରିତ କି ନ ବୁଝେ ତାହା

ବୁଝି ଯେବେ ତା’ର ପ୍ରତିକାର କରେ

ସମୂହ ବିପଦେ ନ ମିଳେ ରାହା ।

ଦେଖ ଏ ଜଗତେ ଯେତେ ଦୁଃଖ ଆସେ

ସ୍ୱାର୍ଥ ଆଶା ସବୁ ଦୁଃଖର ମୂଳ

ପର ସ୍ୱାର୍ଥ ଲାଗି ଆଖି ବୁଜି ଦେଲେ

ଜଳେ ସର୍ବଗ୍ରାସୀ ଯୁଦ୍ଧ ଅନଳ ।

ତା’ ବିଚାରେ କେହି ନୁହେଁ ସୁଖୀ, ଦୁଃଖୀ

ସଭ୍ୟ ଅସଭ୍ୟକୁ ମଣି ସମାନ

ଅତ୍ୟାଚାରିତ କି ଅତ୍ୟାଚାରୀ ହୋଇ

କରେ ସେ ସଭିଙ୍କ ଶୋଣିତ ପାନ ।

ଚାହାଁ ଥରେ ଭାଇ ଅନ୍ତର୍ଦୃଷ୍ଟି ଖୋଲି

ଆଜି ଯେ ଶୁଭୁଛି ଯୁଦ୍ଧର ଡାକ

ନୀଚ୍ଚ ସ୍ୱାର୍ଥ ଲିପ୍‌ସା ଉପଭୋଗ ଆଶା

ଲୁଟିଛି ମଣିଷ ବୁଦ୍ଧି ବିବେକ ।

କ୍ରୀଡ଼ା ପୁତ୍ତଳିକା କରି ନଚାଉଛି

ନିଜ ନିଜ ହୃଦ ଖଳ ପ୍ରକୃତି

ମୃତ୍ୟୁ ପାରାବାରେ ଜୀବନ ତରଣୀ

ଭସାଇ ଲୋଡ଼ୁଛି ଶାନ୍ତି ପ୍ରଗତି ।

ପ୍ରକୃତି ବିଜେତା ମଣୁଛି ନିଜକୁ

ଆତ୍ମା ବଡ଼ିମାରେ ହୋଇଛି ଅନ୍ଧ

ମଣିଷ ସୃଷ୍ଟିର ପ୍ରଳୟ ରଚୁଛି

ଶାନ୍ତି ନାମେ ଧର ଯୁଦ୍ଧ ଆୟୁଧ ।

ଜଗତେ ବିପ୍ଳବ ଦୀର୍ଘଜୀବୀ ହେଉ

କରୁଛି କାମନା ପ୍ରଗତି ନାମେ

ସ୍ୱାର୍ଥ ପାଇଁ ସାଜି ଦରିଦ୍ରର ବନ୍ଧୁ

ଲୁଟଇ ସରଳ ନିରୀହ ଜନେ

ପରିଣାମେ ଶାନ୍ତି ମରିଚିକା ସମ

ଚଳେ ଦିନୁଁ ଦିନ ଦୂରୁଁ ଦୂରକୁ

ଅଳପକ ପାଇଁ ଲଗାଇ ବିବାଦ

ମଣିଷ ଚିରୁଛି ମଣିଷ ବୁକୁ ।

କ୍ଷଣକ ପାଇଁକି ଉତ୍ତେଜନାଶୀଳ

ନ ହୋଇ ବିଚାର ଧୀର ହୃଦୟେ

ନ ଆସିବ କେଭେଁ ଶାନ୍ତି ବା ପ୍ରଗତି

ସରଳ ନ ହେବା ଯେ ଦିନ ଯାଏ ।

ନିଜ ସୁଖ ଆଶେ ପର ସୁଖ ନାଶ

ଅଟଇ ସମୂହ ଦୁଃଖର ହେତୁ

ପର ସୁଖ ପାଇଁ ଅକପଟ ଚେଷ୍ଟା

ଗଢ଼ିବ ଜଗତେ ସୁଖର ସେତୁ ।

ତୁମ ସୁଖ ପାଇଁ ଭାବେ ଯେ ସନ୍ନତ

ତୁମେ ଲୋଡ଼ି ଯଥା ତା ସୁଖ ଶିରୀ

ତୁମେ ଲୋଡ଼ି ଯା’ର ଦୁଃଖ ଦୁର୍ବିପାକ

ତୁମ ସୁଖେ ସିଏ ହୁଏ ଭଗାରି ।

‘ମୁଁ ବଡ଼’ ଭାବ ପୋଛି ଦେଇ ମନୁ

ଅସଭ୍ୟ ପତିତେ ନ କରି ଘୃଣା

ନିଜ ପରି ତାଙ୍କୁ ଗଢ଼ିବା ପାଇଁକି

ଆଣ ନିଜ ହୃଦେ ନୂଆ ଚେତନା ।

ନିଜ ସୁଖ ଭୋଗ ଆଶା ତେଜି ମନୁ

ସମୂହ ଦାରିଦ୍ର୍ୟ ମୋଚନ ଲାଗି

ମନ ପ୍ରାଣ ଦେଇ ଅନାବିଳ ହୃଦେ

ସମୂହ ମଙ୍ଗଳେହେଲେ ଉଦ୍‌ଯୋଗୀ;

ଘୁଞ୍ଚିବ ମଣିଷ ଦୁଃଖ ଦୁର୍ବିପାକ

ଲିଭିବ ଜଗତୁ ଯୁଦ୍ଧର ନିଆଁ

ବହିବ ଶାନ୍ତିର ମଞ୍ଜୁ ମନ୍ଦାକିନୀ

ଧୋଇବ ମଣିଷ-ହୃଦ ଅଳିଆ ।

ଫିଟିବ ତହିଁରେ ଶାନ୍ତିର ସରଣି

ଆସିବ ପ୍ରଗତି ସେତିକିବେଳେ

ଏଇ ମା ବସୁଧା ଦେବ ଭୂଇଁ ହେବ

ଯେଉଁଠି ସରଗ ଦେବତା ଖେଳେ ।’’

ଶୁଣି କବିରାଜ ହୋଇ ମହାସୁଖୀ

କହିଲେ ‘‘ଭାଇ, ମୁଁ କରୁଛି ପଣ

ଆଜିଠାରୁ ଛାଡ଼ି କୂଟ କପଟତା

ପତିତ ମୋଚନେ ଦେବି ଜୀବନ ।’’

Image

 

ପତିତ ମୋଚନ

 

ଅପସରି ଗଲା ରଜନୀ ରାଣୀ

ଆସିଲେ ପ୍ରଭାତ ଆଲୋକ ଘେନି

ଉଇଁଲେ ପ୍ରାଚୀ ଗଗନେ ତପନ

ଅପୂର୍ବ ଶୋଭାରେ କରି ମଣ୍ଡନ

ନିଷ୍ପନ୍ଦ ଥିଲା ଧରଣୀ

ଦିବାକର କର ପରଦା ବିଶ୍ୱରେ

ଦେଲା କୋଳାହଳ ଆଣି ।

ପ୍ରାତଃ କର୍ମ ଶେଷ କରି ସକଳ

ସଭା ଥାନେ ଆସି ହୋଇଲେ ଠୁଳ

ଛୁଆ ଅଛୁଆ ଆଦି ଜନ ସର୍ବେ

ଜନ ସାଗର ସରକି ସେଠାରେ

ମେଘ ଘଡ଼ଘଡ଼ି ପରି

ଜନ ମୁଖ ରବ ଶବଦ ଶୁଭିଲା

ସିନ୍ଧୁ ଗରଜନ ସରି ।

ଦୀନବଂଧୁ ତାଙ୍କ ସେବକ ଦଳ

ସାଥେ ଧରି ଆସି ହୋଇଲେ ମେଳ

ଦେଖି ତାଙ୍କୁ ସର୍ବେ ଆନନ୍ଦ ହେଲେ

ଦେବତା କି ନର ରୂପେ ମିଳିଲେ

ହେଲେ ସବୁ କୁହାକୁହି

ପର ଉପକାର ଲାଗ ଏ ଯୁବକ

କେତେ ଦୁଃଖ ସହି ନାହିଁ ।

ପିତା ତାଙ୍କ ସର୍ବସମ୍ମତି କ୍ରମେ

ବସିଲେ ସଭାପତିଙ୍କ ଆସନେ

ତହୁଁ ଉଠି ଜଣେ ବୃଦ୍ଧ କହିଲେ

‘‘ପତିତେ କିପାଇଁ ପତିତ ହେଲେ

କି ପାଇଁ ଶାସ୍ତ୍ର ପୁରାଣେ ?

ଯୋଗୀ ଋଷିଗଣ ଚଣ୍ଡାଳେ ଅସ୍ପୃଶ୍ୟ

ରଖିଲେ କେଉଁ କାରଣେ ?

କିପାଇଁ ବେଦ ବେଦାନ୍ତ ଆଦିରେ

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ରରେ

ବିଭେଦ ରଖି ସରଳିଲେ ବିଧି

କିପାଁ ସମାଜେ ଚଳେ ଏ ଅବିଧି

କିପାଁ ମୁନି ଋଷି ଗଣ ?

ଷଡ଼ ଦରଶନେ ହୋଇ ଜ୍ଞାନବାନ

ନ କଲେ ଏହା ମୋଚନ ?

ଶାସ୍ତ୍ର ପୁରାଣରୁ ଉପମା ଦେଇ

ସକଳ କହ ଆମ୍ଭଙ୍କୁ ବୁଝାଇ

ବଂଶ ପରମ୍ପରା ଜନିତ ମନେ

ଅନ୍ଧାର ଘୋଟିଛି ମନ ଗଗନେ

କହ ବୁଝାଇ ସକଳ

ବୁଝିଲେ ଅଜ୍ଞାନ ଅନ୍ଧାର ବିନାଶି

ଦେବ ହୃଦୟ ନିର୍ମଳ ।’’

ଶୁଣି ଦୀନବଂଧୁ ଆନନ୍ଦ ମନେ

ଉଠି ପ୍ରଣମିଲେ ସରବ ଜନେ

ଲୋଡ଼ିଲେ ସମସ୍ତଙ୍କ ଆଶୀର୍ବାଦ

କହିଲେ ନୁହେଁ ମୁଁ ଜ୍ଞାନୀ ବିବୁଧ

ଅଟେ ହୀନ ଅକିଞ୍ଚନ

କେଉଁ ଜ୍ଞାନ ବଳେ ଭରସା କରି ମୁଁ

ଦେବି ଜ୍ଞାନୀ ଜନେ ଜ୍ଞାନ ?

ପାଇ ତବ ଶୁଭ ଆଶୀଷ ବଳ

ଜାଣେ ମୁଁ ଯାହା କହିବି ସକଳ

ସତ ଧର୍ମ ନ୍ୟାୟ ଦୃଷ୍ଟିରେ ରଖି

ବିଚାର କରିବ ଏହି ସୃଷ୍ଟ କି

ନିଜ ପରି ସବୁ ମଣି

ନିଜ ଦୁଃଖେ ଯେହ୍ନେ ହୁଅ ବିଚଳିତ

ତେସନ ସରବ ପ୍ରାଣୀ ।

ଛୁଆଁ ଅଛୁଆଁ ଯେଉଁ ଦୁଇକଥା

ଭାବନ୍ତି ସୃଷ୍ଟି କରିଛି ବିଧାତା

ସକଳ ପୁରାଣ ଶାସ୍ତ୍ରରେ ଅଛି

ଆଜି କିପରି ସେ ମିଛ ହେଉଛି

ଯେଉଁ ଜନ ଏହା କହେ

ଶାସ୍ତ୍ର ପୁରାଣକୁ ନ ଜାଣି କହେ ସେ

ଅଜ୍ଞାନ ଅନ୍ଧାର ମୋହେ ।

ଚାତୁର୍ବର୍ଣ୍ଣ୍ୟ ମୟାସୃଷ୍ଟ ଗୁଣକର୍ମ୍ମ ବିଭାଗସଃ (ଗୀତା ୪-୧୩)

ସ୍ୱୟଂ ଭଗବାନ ମୁଖ ନିସୃତ

ଗୀତା ଅଟେ ବୋଲି ସରବ ମତ

ଗୀତା ଅଟେ ସର୍ବ ଶାସ୍ତ୍ରର ମୂଳ

ଗୀତା ଶୁଣି ମୋହ ହୋଇବ ଦୂର

କହିଛନ୍ତି ତହିଁ କୃଷ୍ଣ

ଗୁଣ କର୍ମ ଭେଦେ ଚାରିବର୍ଣ୍ଣ ତାଙ୍କ

ଦ୍ୱାରା ହୋଇଛନ୍ତି ସୃଷ୍ଟ ।

ଏହିଠାରେ ଭ୍ରମେ ପଡ଼ଇ ମନ ।

ଶୁଣି ଚାର ଜାତି ସୃଷ୍ଟି ବିଧାନ

ବୁଝନ୍ତି ନାହିଁ ତା’ଅସଲ ମର୍ମ

ବଡ଼ିମା ଦେଖାଇ ନ ମାନି ଧର୍ମ

ନ ବୁଝି ଅସଲ ଅର୍ଥ

ନିଜ ବଡ଼ ପଣେ ଭୋଳ ହୋଇ ଯାଇ

ଘଟାନ୍ତି ବାର ଅନର୍ଥ ।

ବୁଝନ୍ତି ନି ଗୁଣ କରମ ଭେଦ

ସରଜନ୍ତି ଛୁଆଁ ଅଛୁଆଁ ବାଦ

ନୁହଇଁ ବ୍ରାହ୍ମଣ ପୁଅ ବ୍ରାହ୍ମଣ

ଶୁଦ୍ର ପୁଅକରି ବ୍ରହ୍ମ ଦର୍ଶନ

ବ୍ରାହ୍ମଣରେ ଗଣାଯିବ

ବୀରତ୍ୱ ଦେଖାଇ ଅଚ୍ଛବ ସନ୍ତାନ

କ୍ଷତ୍ରୀୟ ହୋଇପାରିବ ।

ବ୍ରାହ୍ମଣ କ୍ଷତ୍ରୀୟ ବିଶାଂ ଶୂଦ୍ରାଣାଞ୍ଚ ପରନ୍ତପ

କର୍ମଣି ପ୍ରବି ଭକ୍ତାନି ସ୍ୱଭାବପ୍ରଭବୈର୍ଗୁଣୈଃ

ଶମୋଦମସ୍ତପଃ ଶୌଚଃ କ୍ଷାନ୍ତରାର୍ଜବମେବଚ

ଜ୍ଞାନବିଜ୍ଞାନ ମାସ୍ତିକ୍ୟଂ ବ୍ରହ୍ମକର୍ମ ସଭାବଜଂ

ଶୌର୍ଯ୍ୟଂ ତେଜୋଧୃତିର୍ଦାକ୍ଷଂ ଯୁଦ୍ଧେ-ଚାପ୍ୟପଳାୟନଂ

ଦାନମୀରଶ୍ୱରଭାବଶ୍ଚ କ୍ଷାତ୍ରକର୍ମ ସ୍ୱଭାବଜଂ

ପରିଚର୍ଯ୍ୟାତ୍ମକଂ କର୍ମଂ ଶୂଦ୍ରକର୍ମ ସ୍ୱଭାବଜଂ

(ଗୀତା-୧୮-୪୧-୪୪)

ସ୍ମଭାବ ଜାତ ପ୍ରକୃତି ଗୁଣରେ

ମଣିଷ ସମାଜ ଚାରି ଶ୍ରେଣୀରେ

ସ୍ୱକର୍ମ ରୁଚି ବଳେ ଜଣାଯାନ୍ତି

ଜାତିଭେଦ ବୃଥାସରବେ ଭ୍ରାନ୍ତି

କେଉଁ ଲୋକକୁ ବ୍ରାହ୍ମଣ

କହିବ, ଦେଖିବ- ଯାହାଠାରେ ଥିବ

ସଦ୍‍ଗୁଣ ବ୍ରହ୍ମଜ୍ଞାନ ।

ଯାହା ମନ ତିଳେ ନୁହେ ଆବିଳ

ବାହାର ଭିତର ସବୁ ନିର୍ମଳ

ସତ, ଶାନ୍ତି, ଦୟା, କ୍ଷମା ଆଚରି

ଈଶ୍ୱର ଭକତି ହୃଦରେ ଭରି

ଶୂଦ୍ରେ ଏ ସକଳ ଗୁଣ

ଦେଖିଲେ ଚରଣେ ପ୍ରଣତି କରିବ

ସେ ଏକା ଅଟେ ବ୍ରାହ୍ମଣ ।

ଯାହା ଦେହେ ଥିବ ବଳ ସାହସ

ଧୈର୍ଯ୍ୟ, ବୀର୍ଯ୍ୟ, ତେଜ ବୀରତ୍ୱ ଯଶ

ନିରପେକ୍ଷ ହୋଇଥିବ ଶାସନେ

ମରିବାକୁ ଡର ନ ଥିବ ପ୍ରାଣେ

ହେଉ ସେ ଯେଉଁ ଜାତିର

କ୍ଷତ୍ରୀୟ ହିସାବେ ବୁଝିବ ତାହାକୁ

ନ ରଖି ବାଛ ବିଚାର ।

ବେପାର ବଣିକ ଚାଷ ଜୀବିକା

କଲେ ବୈଶ୍ୟକୁଳେ ହୁଅଇ ଲେଖା

ପର ଖିଜିମତେ କାଟେ ଯେ ଦିନ

ଶୁଦ୍ରବୋଲି ଗଣା ହୁଏ ସେ ଜନ

ଏହା ହିଁ ଜାତି ବିଚାର

ସ୍ୱଭାବ ଗୁଣୁରୁ ଜାଣିବ ଲୋକକୁ

ଅଟେ ସେ କେଉଁ ଶ୍ରେଣୀର

ଚଣ୍ଡାଳୋଽପି ମୁନି ଶ୍ରେଷ୍ଠଃ ବିଷ୍ଣ ଭକ୍ତି ପରାୟଣ

ବିଷ୍ଣୁଭକ୍ତି ବିହୀନେଶ୍ଚ ଦ୍ୱିଜପି ସମ୍ପରାଧମ

ଶଙ୍କରାଚାର୍ଯ୍ୟ ପଣ୍ଡିତ ଶେଖର

ହିନ୍ଦୁ ଧର୍ମକୁ ଯେ କଲେ ଉଦ୍ଧାର

ତାଙ୍କ ମତେ ଯେବେ ଚଣ୍ଡାଳ ଜାତି

ଦୃଢ଼ ପଣେ କରେ ବିଷ୍ଣୁ ଭକତି

ବ୍ରାହ୍ମଣ ବୋଲାଏ ସେହି

ଚଣ୍ଡାଳରୁ ହୀନ ହୁଅଇ ବ୍ରାହ୍ମଣ

ସଦଜ୍ଞାନ ଯେବେ ନାହିଁ ।

ଜନମ ପାଇଣ ବ୍ରାହ୍ମଣ କୋଳେ

ବ୍ରାହ୍ମଣ କରମ କରି ନ ପାରେ

ହୋଇ ନ ପାରେ ସେ କେବେ ବ୍ରାହ୍ମଣ

ଶାସ୍ତ୍ରରେ ରହିଛି ବହୁ ବିଧାନ

ଏହାହିଁ ଜାତ ବିଭାଗ

ଜାତିଭେଦ ନୋହି ମଣିଷ ଜାତିର

ଅଟେ ଏ ଶ୍ରେଣୀ ବିଭାଗ ।

ଜନ୍ମାତେ ଜାୟତେ ଶୁଦ୍ର ସଂସ୍କାରାତ୍‌ ଦ୍ୱୀଜ ମୁଚ୍ୟତେ

ବେଦାଭ୍ୟାସେ ଭବେତ୍‌ ବିପ୍ର ବ୍ରହ୍ମ ଜାନାତି ବ୍ରାହ୍ମଣଃ

ଜନ୍ମବେଳେ ସର୍ବେ ଶୁଦ୍ର ସନ୍ତାନ

ଲଭିଲେ ସଂସ୍କାରଜନିତ ଜ୍ଞାନ

ଦ୍ୱିଜ ବୋଲି ତାକୁ ଶାସ୍ତ୍ରରେ କହି

ବେଦ ଜ୍ଞାନ ବୁଝି ବିପ୍ର ହୁଅଇ

ଦ୍ରହ୍ମ ଦରଶନ ଲାଭେ

ଜାତି ନିର୍ବିଶେଷେ ସକଳେ ମାନବେ

ବ୍ରାହ୍ମଣ ହୁଅନ୍ତି ଭବେ ।

ବ୍ରହ୍ମଜ୍ଞ ମହର୍ଷି ଶ୍ରେଷ୍ଠ ବ୍ରାହ୍ମଣ

ବଶିଷ୍ଠ ଅଟନ୍ତି ବେଶ୍ୟା ନନ୍ଦନ

ପରାଶର ବ୍ୟାସ ଦେବଙ୍କ ତାତ

ଚଣ୍ଡାଳୁଣୀଠାରୁ ହୋଇଣ ଜାତ

ଜନମିଣ ଛୋଟ କୁଳେ

ବ୍ରାହ୍ମଣ ସୃଷ୍ଟିର ମୂଳ ପିଣ୍ଡ ହେଲେ

ଚିତ ଗୁଣ ଜ୍ଞାନ ବଳେ ।

ପଣ୍ଡିତଙ୍କ ମଧ୍ୟେ ଶ୍ରେଷ୍ଠ ପଣ୍ଡିତ

ଦେବତାଙ୍କଦ୍ୱାରା ଚିର ବନ୍ଦିତ

ବ୍ରାହ୍ମଣ କୁଳର ଯିଏ ଗୌରବ

ମହାଜ୍ଞାନୀ ବିବୁଧ ବ୍ୟାସଦେବ

କେଉଟୁଣୀ ଗର୍ଭୁ ଜାତ

ହୋଇ ନିଜ ଜ୍ଞାନ ଗରିମା ବଳରେ

ହେଲେ ବ୍ରହ୍ମ ପଦେ ସ୍ଥିତ ।

ଜ୍ଞାନ ଦାନ ଧର୍ମ ଶୌର୍ଯ୍ୟ ପଣରେ

ତୁଳନା ଯାହାର ନାହିଁ ସଂସାରେ

ବିଶ୍ୱ ପୂଜ୍ୟ ଯେଉଁ ପଞ୍ଚ ପାଣ୍ଡବ

ଶ୍ରୀକୃଷ୍ଣ ତାଙ୍କର ଶ୍ରେଷ୍ଠ ବାନ୍ଧବ

ଜାରଜ ବୋଲି ସେ ଲେଖା

ନୀଚ୍ଚ ବୋଲି ଘୃଣା ନ କରି ଶ୍ରୀକୃଷ୍ଣ

ହେଲେ କିପା ତାଙ୍କ ସଖା ।

ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣ ଗର୍ବ ହସ୍ତିନୀ

ଶୁନି ଚୈବ ସ୍ୱପାକେଚ ପଣ୍ଡିତଃ ସମଦର୍ଶିନଃ

(ଗୀତା-୫-୧୮)

ବିଦ୍ୟା ବିନୟାଦି ଗୁଣେ ଭୂଷିତ

ହୁଏ ଯେ ବ୍ରାହ୍ମଣ ବିଶ୍ୱେ ବିଖ୍ୟାତ

ସମଦରଶୀ ପଣ୍ଡିତ ପାଖରେ

ନୁହେଁ ସେ ବଡ଼ ଅନ୍ୟ ତୁଳନାରେ

ଗୋରୁ କୁକୁରଙ୍କ ସମ

ଶୁଦ୍ଧ ଆତ୍ମ ଜ୍ଞାନେ ପଣ୍ଡିତ ମଣ୍ଡଳୀ

କରନ୍ତି ତାକୁ ସମାନ ।

ଯାବତ୍‌ ସଂଯାୟତେ କିଞ୍ଚିତ୍‌ ସତ୍ୱସ୍ଥାବର ଜଙ୍ଗମଂ

କ୍ଷେତ୍ରକ୍ଷେତ୍ରଜ୍ଞ ସଂଯୋଗାତ୍‌ ତଦ୍‌ବିଦ୍ଧି ଭରତଷ ଭ

(ଗୀତା-୨୩-୨୬)

ମମଯୋନି ମହଦ୍‌ବ୍ରହ୍ମ ତସ୍ମିନ୍‌ ଗର୍ଭ ଦଧାମ୍ୟହ

ସମ୍ଭବ ସର୍ବଭୂତାନାଂ ତତୋ ଭବତି ଭାରତ

ସର୍ବ ଯୋନିଷୁ କୌନ୍ତେୟ ମୂର୍ତ୍ତୟ ସମ୍ଭବନ୍ତି ଯାଃ

ତାସାଂ ବ୍ରହ୍ମ ମହଦ୍‌ଯୋନି ରହଂ ବୀଜପ୍ରତଃ ପିତା

(ଗୀତା-୧୪-୩-୪)

ଜଡ଼ ଜଙ୍ଗମ ଯେତେ ପ୍ରାଣୀଗଣ

ଯାହା ସବୁ ଦେଖ ସୃଷ୍ଟ ଭିଆଣ

ସମସ୍ତେ ଏକ ବାପ ମାଆ ଠାରୁ

ଜନମ ଲଭନ୍ତି ଦୈବୀକ୍ରିୟାର

ତେଣୁ ସକଳ ଦେହରେ

ବାପ ମାଆ ରୂପେ ପ୍ରକୃତି ପୁରୁଷ

ରହି ସୃଷ୍ଟି କ୍ରିୟା କରେ ।

ପ୍ରକୃତି ରୂପରେ ମହତ ଯୋନି

ଅଟନ୍ତି ସବୁ ସୃଷ୍ଟିର ଜନନୀ

ପରମବ୍ରହ୍ମ ସମସ୍ତଙ୍କ ତାତ

ଏ ଦୁଇ ସଂଯୋଗୁ ସକଳେ ଜାତି

ନୁହେଁ କେହି ବଡ଼ ସାନ

ଏକ ମାଆ କୋଳୁ ଜାତ ଏ ଜଗତ

ନୁହେଁ ଏ କେହି ହୀନ ।

ଯଥା ସର୍ବଗତଂ ସୌକ୍ଷ୍ମା । ଦାକାଶଂ ନୋପ ଲିପ୍ୟତେ

ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମାନୋପଲିପ୍ୟତେ

ଯଥା ପ୍ରକାଶୟତ୍ୟେକଃ କୃତସ୍ନଲୋକମିମ ରବିଃ

କ୍ଷେତ୍ରଂ କ୍ଷେତ୍ରିଂ ତଥା କୃତସ୍ନଂ ପ୍ରକାଶୟତି ଭାରତଃ

(ଗୀତା-୧୩-୩୨,୩୩)

ଆକାଶ ଯେସନେ ସବୁଠି ଘେରି

ରଖିଛି ସୃଷ୍ଟିକୁ କୋଳରେ ଧରି

ପରମ ଆତ୍ମାରୂପେ ଭଗବାନ

ସଭିଙ୍କ ଶରୀରେ ରହି ତେସନ

ସୂର୍ଯ୍ୟ ଦେବତାଙ୍କ ପରି ।

ସରବେ ତାଙ୍କର ସନ୍ତାନ ଯେଣୁ ସେ

ରହନ୍ତି ସବୁ ଆବୋରି ।

ସମ ସର୍ବେଷୁ ଭୁତେଷୁ ତିଷ୍ଠନ୍ତଂ ପରମେଶ୍ୱର

ବିନସ୍ୟତ୍‌ ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି

ସମଂ ପଣ୍ୟନ୍‌ ହି ସର୍ବତ୍ର ସମବସ୍ଥିତମୀଶ୍ୱରଂ

ନହିନସ୍ତ୍ୟାତ୍ମାନାତ୍ମାନଂ ତପୋଜାତି ପରାଂଗତି

(ଗୀତା-୧୩-୨୭, ୨୮)

ସଂସାରର ସବୁ ମଣିଷ ଦେହେ

ପରମ ଆତ୍ମା ସମଭାବେ ରହେ

ନାହିଁ ତା’ର ଘୃଣା ଗରବ ଭାବ

ଉଚ୍ଚ ନୀଚ୍ଚ ଜାତି ଠାବ ଅଠାବ

ସାରା ବିଶ୍ୱ ତା’ସନ୍ତାନ

ରହଇ ତେଣୁ ସେ ସକଳ ଶରୀରେ

ମଣି ସକଳ ସମାନ ।

ଦେହ ମରିଗଲେ ଆତ୍ମା ନ ମରେ

ଏ କଥା ଜାଣି ଯେ ନିରହଙ୍କାରେ

ମଣଇ ସଭିଙ୍କୁ ନିଜ ସମାନ

ଯେଣୁ ସବୁଠୁଁ ଅଛି ଭଗବାନ

ସେହି ଏକା ବଡ଼ ଜ୍ଞାନୀ

ସମଦର୍ଶୀ ଗୁଣେ ମୁକତି ପାଏ ସେ

ସବୁଙ୍କୁ ସମାନ ମଣି ।

ଅହଂକାରଂ ବଳଂ ଦପଂ କାମଂ କ୍ରୋଧଞ୍ଚ ସଂଶ୍ର ତା

ମାମାତ୍ମା ପରଦେହେଷୁ ପ୍ରଦ୍ୱିଷ୍ୟନ୍ତଭ୍ୟସ୍ୱୟକା

କାମ, କ୍ରୋଧ, ଦର୍ପ ଅହଂ ସ୍ୱଭାବେ

ଯେଉଁ ମୂଢ଼ ଜନ ମତ୍ତ ଗରବେ

ଦେଖାଇ ଅଯଥା ବଡ଼ିମା ପଣ

ଗରବେ ଭାବଇ ପରକୁ ହୀନ

ମଣେ ଯେ ଆପଣା ପର

ପରେ ନିନ୍ଦା କରି ଈଶ୍ୱରଙ୍କୁ ନିନ୍ଦି

ନରକେ କରଇ ଘର ।

ସର୍ବ ଧର୍ମାନ୍‌ ପରିତ୍ୟଜ୍ୟଂ ମାମେକଂ ଶରଣଂ ବ୍ରଜ

ଅହଂତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟୀସ୍ୟମ ମା ଶୁଚଃ

(ଗୀତା-୧୮-୬୬)

ଶ୍ରୀକୃଷ୍ଣ କହି ଅଛନ୍ତି ଗୀତାରେ

ସମସ୍ତଙ୍କୁ ଭାବି ନିଜ ପ୍ରକାରେ

ହୀନ ତୁଚ୍ଛ ଭାବି ଘୃଣା ନ କରି

ସଭିଙ୍କୁ ଦେଖିବ ଆପଣା ପରି

ଛାଡ଼ି ସରବ ଧରମ

ଭଜିଲେ ତାହାଙ୍କୁ ସମଦର୍ଶୀ ଜ୍ଞାନେ

ପାଇବ ପରମ ଧାମ ।

‘‘ଉଦ୍ଧବ କର ମୋତେ ଧ୍ୟାନ

ମୋ ବିନୁ କିଛି ନାହିଁ ଆନ

ମୁହିଁ ନିର୍ମଳ ନିରାଧାରେ

ବସଇ ସକଳ ଶରୀରେ

ସ୍ୱଭାବେ ମୁହିଁ ବିଶ୍ୱରୂପୀ

ଦେଖ ଗଗନ ଯେହ୍ନେ ବ୍ୟାପୀ

ଏଣୁ ମୁଁ ସର୍ବ ଭୂତେ ଥାଇ

ପର ଅପର ମୋର ନାହିଁ

ଏ ଘେନି ସକଳ ସମାନେ

ଦେଖ ତୁ ପ୍ରେମ ତତ୍ତ୍ୱ ଜ୍ଞାନେ

ବ୍ରହ୍ମ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର,

ଚଣ୍ଡାଳ, ପତିତ ବା କ୍ଷୁଦ୍ର

ସର୍ବ ସମାନ ଦେଖ ଚିତ୍ତେ

ଶୁଣ କହଇ କିଛି ତୋତେ ।’’

(ଭାଗବତ-୧୧ଶ-୩୦ ଅଧ୍ୟାୟ)

ଉଚ୍ଚ ନୀଚ୍ଚ ଛୁଆଁ ଅଛୁଆଁ କଥା

ସରଜି ଥାଆନ୍ତେ ଯେବେ ବିଧାତା

ଆକାଶ, ପବନ, ବସୁଧା ମାତା,

ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ଦେବତା

ନ ମାନି ବିଧାତା ନୀତି

ପାଳନ୍ତେ କାହିଁକି ନିଜ ପୁଅ ପରି

ସଭିଙ୍କୁ ସମାନ ଚିନ୍ତି ।

ପୂର୍ବ ପୁରୁଷ ଋଷି ମୁନି ଗଣ

ମାନିଥାନ୍ତେ ଯେବେ ଜାତି-ବିଧାନ

ପରାଶର, ବ୍ୟାସଦେବ, ବଶିଷ୍ଠ

ଅନାର୍ଯ୍ୟ ରମଣୀ ଗଭୁ ଭୂମିଷ୍ଠ

ହୋଇ କିପାଁ ଧରାତଳେ

ସମଦର୍ଶୀ ଜ୍ଞାନେ ବ୍ରହ୍ମପଦ ପାଇଁ

ସଂସାରେ ବ୍ରାହ୍ମଣ ହେଲେ ?

ଗୀତରେ ଶ୍ରୀକୃଷ୍ଣ କିପାଁ କହିଲେ

ଉଚ୍ଚ ନୀଚ୍ଚ କେହି ନୁହେଁ ସଂସାରେ

ଏକରୁ ଅନେକ ହୁଅନ୍ତି ଜାତ

ନୁହେଁ କେ ସଂସାରେ ହୀନ ପତିତ

ନୁହେଁ କେହି ବଡ଼ ସାନ

ମୁଁ ବଡ଼ ଭାବ, ମନରେ ନ ରଖି

ଦେଖ ସକଳେ ସମାନ ।

ବ୍ରାହ୍ଣଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ରାଦି

ସୃଷ୍ଟି କରିଥାନ୍ତେ ଯେବେ ଅନାଦି

ବ୍ରାହ୍ମଣ ଶରୀର ସମାନ ମଣି

ଶୂଦ୍ର ଦେହେ କିପାଁ ରହନ୍ତେ ପୁଣି

ଘୃଣା ଯେ କରେ ନୀଚ୍ଚକୁ

ନୀଚ୍ଚହୋଇ, ଘୃଣା ନ କରି ନୀଚ୍ଚକୁ

ଘୃଣା କରେ ଈଶ୍ୱରଙ୍କୁ ।

ଧରମ ନାମରେ ନାଶେ ଧରମ

ପୁଣ୍ୟ ନାମେ କରେ ପାପ କରମ

ବ୍ରାହ୍ମଣ ବୋଲାଇ ହୁଏ ପତିତ

ପତିତେ ନିନ୍ଦି ସେ ନିନ୍ଦେ ଜଗତ

ଲଭେ ନିଜେ ଅଧୋଗତି

ଭେଦ ଭାବ ଭେଇ ଦେଶ ଓ ସାମାଜେ

ବଢ଼ାଏ ଦୁଃଖ ଦୁର୍ଗତି ।

ପୃଥ୍ୱୀ, ଆପ, ତେଜ ବାୟୁ ଆକାଶ

ପଞ୍ଚ ମହାଭୂତୁଁ ସବେ ପ୍ରକାଶ

ଉଚ୍ଚ, ନୀଚ୍ଚ, ଛୁଆଁ, ଅଛୁଆଁ ଜାତି

ଏଇ ପାଞ୍ଚଟିରୁ ସବୁ ଉତ୍ପତି

ସୃଷ୍ଟି ପରମାଣୁମୟ

ପରମାଣୁ ପୁଞ୍ଜୁ ସବୁ ଆସି ଶେଷେ

ହୁଅନ୍ତି ତହିଁ ବିଲୟ ।

ବ୍ରାହ୍ମଣ କ୍ଷତ୍ରୀୟ ଶୂଦ୍ରାଦି ଜନେ

ସମସ୍ତେ ଗଢ଼ା ଏକ ଉପାଦାନେ

ଭଗବାନ ସତ୍ତା ସବୁରି ଦେହେ

ସଚରାଚର ସମ ଭାବେ ରହେ

ଅଚ୍ଛବ ଦେହେ ସେ ଯେଣୁ

ବ୍ରାହ୍ମଣ ଶରୀର ସମ ମଣି ରହେ

ଅଚ୍ଛବସେ କେଉଁଗୁଣୁ ?

ମାଛି ବସିଯାଏ ମଳ ଉପରେ

ତେଣୁ ଉଡ଼ି ପଶେ ସବୁରି ଘରେ

ବ୍ରାହ୍ମଣ ବାଉରୀ ଭାତ ଥାଳିରେ

ବସି ଚାଲିଯାଏ ଘଉଡ଼ି ଦେଲେ

ସବୁ ଜାତି ଲୋକେ ତାହା

ବିକାର ନ ରଖି ଭୋଜନ କରନ୍ତି

ନ ବାରନ୍ତି କିପାଁ ଛୁଆଁ ?

ମଣିଷ ଦେହେ ଦେଇ ଦିବ୍ୟଜ୍ଞାନ

ଭଗବାନ ସୃଷ୍ଟି କଲେ ଭିଆଣ

ସେ ପୁଣି ହୋଇବ ମାଛିରୁ ହୀନ

ଏହା ତେବେ ଆମ ମଣିଷ ପଣ ।

କେଉଁ ଧର୍ମ ଆଇନରେ

ଅଛୁଆଁ ମଣିଷ ମାଛି ଠାରୁ ହୀନ

ହେବ ଆମ ସମାଜରେ ?

ଧରମକୁ ଆଳ କରି ଯେ ଜାତି

ବଡ଼ ହେବା ପାଇଁ ଭେଇ ଅନୀତି

ଭେଦ ଭାବ ଗଢ଼େ ଆପଣା ଦେଶେ

ପରକୁ ଖୋଇ ସେ ରହେ ଉପାସେ

ଥାଉ ଯେତେ ଧନ ଜନ

ପରାଧୀନ ହୋଇ ପରକୁ ଖୁଆଇ

ନିଜେ ହୁଏ ହୀନିମାନ ।

ଆମେ ଯେହ୍ନେ ଚାହୁ ନିଜ ସମ୍ମାନ

ରଖିବାକୁ ଘରେ ପ୍ରଚୁର ଧନ

ସୁନ୍ଦର ପୋଷାକ ଦେହେ ପିନ୍ଧିବୁ

ସବୁ ଭଲ ଚିଜ ଆମେ ଖାଇବୁ

ନ ପଡ଼ିବୁ କେବେ ଦୁଃଖେ

ରୋଗ ବଇରାଗ ନ ଭୋଗିବେ କେହି

ଆମ ପରିବାର ଲୋକେ ।

ନିଜେ ଯେବେ ଭୋଗୁ ଭୋକ ଉପାସ

ମନେ ଭରି ଯାଏ ହା ହୁତାଶ

ନିଜ ପରିବାରେ ଦେଖି ଅସୁଖ

ଦୁଃଖ ବିଷାଦରେ ହେଉ ବିମୁଖ

ସବୁ ଲାଗେ ବିଷ ପରି

ବିକଳରେ ପ୍ରାଣ ବିଳାପ ଉଠଇ

ମନେ ମନେ ହେଉ ଘାରି ।

ଚିର ଦୁଃଖୀ ଯେଉଁ ଅଚ୍ଛବ ଲୋକେ

ଭସାନ୍ତି ଜୀବନ ନେତ୍ର ଲୋତକେ

ରୋଗ ବଇରାଗ ଉପାସେ ପଡ଼ି

ଦେହରୁ ମାଉଁସ ପଡ଼ଇ ଝଡ଼ି

ନ ହୁଏ କି ତାଙ୍କ ମନ,

ଆମ ପରି ସୁଖେ ଦିନ କାଟିବାକୁ

ନ ହୋଇଣ ହୀନିମାନ ?

ହୀନ, ଦୁଃଖୀ, ରଙ୍କି ପତିତ ଜନ

ଉପବାସେ ସଦା କାଟେ ଯେ ଦିନ

ଦୁଃଖ ଭୋକ ଅଟେ ଯାହାର ସାଥୀ

ରୋଗ ସାଥେ ଯାର ନୀତି ପୀରତି

ଦେଖି ଏହି ଦୁରୁଗତି

ଯେ ଦେଶ ଲୋକଙ୍କ ମନ ତଟେ ନାହିଁ

ସେଠି କି ହେବ ଉନ୍ନତି ?

ତୁମ ଚିତ୍ତ ରଖି ତା’ ଚିତ୍ତ ମଧ୍ୟେ

ତା’ ଚିତ୍ତକୁ ରଖି ତୁମରି ହୃଦେ

ତୁଳନା କରି କରିଲେ ବିଚାର

ଦେଖି ପାରିବ ସେ ଦୁଃଖୀ ଅନ୍ତର

ଦୁଃଖ ନିଆଁ ତହିଁ ଜଳି

ପୋଡ଼ୁଛି ସତତ ହୃଦୟ ତାହାର

ନ ପାରେ କେ ତାହା କଳି ।

କେଉଁ ନ୍ୟାୟ ଜ୍ଞାନ ବିଚାର ବଳେ

ଦେଶର ସନ୍ତାନ ହୋଇ ସକଳେ

ଦଳେ ହେବେ ଚିରକାଳ ପତିତ

ଦୁଃଖ, ଭେକ, ଅପମାନେ ଲାଞ୍ଛିତ

ଦେଇ ଯେ ନିଜର ଲହୁ

ଗଢ଼େ ଦେଶ ଧନ ମହୁମାଛି ସମ

ଭିଡ଼ି ଆନ ନେବ ମହୁ ?

ଦେଶ, ଜାତି ନାମେ ଯେ ଦେଶ ଲୋକ

ମନେ ମନେ ଭାବେ ନିଜର ସୁଖ

ନିଜ ସୁଖେ ହୋଇ ଆନନ୍ଦେ ଭୋଳ

କାଟେ ସେ ଦେଶର ଉନ୍ନତି ମୂଳ

ବୁଝେ ନା ନିଜ ଦୁର୍ବୁଦ୍ଧି

ନିଜ ସୁଖ ପାଇଁ ଅନ୍ଧ ହୋଇ କରେ

ଜାତୀୟ ଦୁର୍ଗତି ବୃଦ୍ଧ ।

ଦୂର କର ମନୁ ସ୍ୱାର୍ଥ ସାଧନା

ଭୁଲିଯାଅ ଛୋଟ ବଡ଼ ଭାବନା

ଅଚ୍ଛବ ଚଣ୍ଡାଳ ନ ଭାବି କା’ରେ

ଦେଶ ଦୁଃଖେ ଦୁଃଖୀ ହୁଅ ସକଳେ

ଦେଶ ଦଶର ଉନ୍ନତି

ଏକମାତ୍ର କରି ମନର ଧାରଣା

ଦେଶ ହିତେ ଉଠ ମାତି ।

ପୋଡ଼ି ସକଳ ଭେଦାଭେଦ ଜ୍ଞାନ

ପର ଆପଣାକୁ ମଣି ସମାନ

ସମୂହ ମଙ୍ଗଳେ ନିଜ ଜୀବନ

ଦେବାକୁ ସକଳେ କରିବା ପଣ

ଏପରି ସମସ୍ତ କଲେ,

ଏ ଦେଶ ମାଟିରୁ ଦୁଃଖ ଲଭିଯିବ

ରହିବା ସବୁ ସୁଖରେ ।’’

କହି ଦୀନବନ୍ଧୁ ପ୍ରଣାମ କରି

ଆସିଲେ ନିଜ ଆସନକୁ ଫେରି

ଶୁଣି ସକଳେ ତାଙ୍କ ଉପଦେଶ

ଅସୀମ ଆନନ୍ଦେ ହେଲେ ଉଲ୍ଲାସ

କରିଲେ ସକଳେ ପଣ,

ଆଜିଠାରୁ ଆମ ସମାଜ ପୋଛିବା

ଛୁଆଁ ଅଛୁଆଁ ଦୂଷଣ ।

Image

 

 

 

 

 

 

 

 

 

 

ନର୍ତ୍ତକୀ

[ପାଲା]

ଶ୍ରୀ ନରହରି କର

 

ପ୍ରଥମ ଛାନ୍ଦ

(ରାଗ-ବଙ୍ଗଳାଶ୍ରୀ)

 

ମଥୁରା ନଗର ଶୋଭା-ଗନ୍ତାଘର

ଜଗତେ କାହିଁଛି ସମ

ସିନ୍ଧୁ ରାଜ ସୁତା ପୁରେ ପୁରେ ସ୍ଥିତା

ଅଟ୍ଟାଳିକା କୁଟୀକମ ।

ପଖାଳି ଦେଉଛି ଯା ପଦ ଯୁଗଳ

ନିତି ତପନ-ତନୟା,

ଅତୀତ ଯୁଗଳ ମୂକ ସାକ୍ଷୀ ରୂପେ

ପ୍ରକାଶି ବିରାଟ କାୟା ।

ଏ ଜଗତେ ଯେତେ ପ୍ରାଚୀନ ନଗରୀ

ଲଭିଛି ତା’ ମଧ୍ୟେ ସ୍ଥାନ

ଯହିଁ ଭୋଜ ରାଜା ବିଜୟର ଧ୍ୱଜା

ଏକ ଛତ୍ରାଧୀଶାସନ ।

ଗଣିବା ମୁକୁଟ- ମଣି ସେ ରମଣୀ

ବାସବଦତ୍ତା ଯା ନାମ,

ଛନ୍ଦ ନର୍ତ୍ତନରେ ସ୍ୱର ଝଙ୍କାରରେ

ବାଣୀ କାଣିଚାଏ ସମ ।

ପ୍ରାସାଦ ଦ୍ୱିତଳେ ଧନୀଗଣ ମେଳେ

ବିତି ଯାଉଥିଲା କାଳ

ନ ଥିଲା ଅଭାବ ଦୁଃଖ କ୍ଲେଶେ କେବେ

ଆସିନି ନୟନେ ଜଳ ।

ଉଦ୍ଦାମ-ଯୌବନ ରଙ୍ଗେ ହୋଇ ଗୋଳି

ଦିଶୁଥିଲା ଅତି ତୋରା,

ଘୋର ବିଭାବରୀ- କୋଳେ ଯେଉଁ ପରି

ଶୋଭା ଲଭେ କାବ୍ୟ ତାରା

ସ୍ଫୀତ ବକ୍ଷ ତାର ପୀନ ପୟୋଧର

ଭାରେ ଦିଶୁଥିଲା ଶୋଭା

ଛନ୍ଦହୀନ ଗତି ଦୋଳାୟତ କଟି

ସୁରସିକ ମନ ଲୋଭା ।

ରଙ୍ଗିମା ଅଧରେ ଫୁଟୁଥିଲା ଯେବେ

ଲଳିତ ମଧୁର ହାସ,

ନିରେଖିବା ଜନ ମନ ହେଉଥିଲା

ତା ରଙ୍ଗ-ଚରଣେ ଦାସ

ବିକଚ କମଳ- କାନ୍ତି ଜିଣା ମୁଖଁ

ଝରେ କି ପୀୟୁଷଧାର,

ସେ ପୀୟୁଷ ପାନେ ମତ୍ତ ଅନୁକ୍ଷଣେ

ମଥୁରା ନଗରୀ ଜନ।

କଟାକ୍ଷ କମାଣ ହାଣି ଦେଉଥିଲା

ଥରେ ଥରେ ଯେବେ ବାଳା,

ବାଞ୍ଛନ୍ତି ପ୍ରେମିକେ ଆଦେଶ ହୋଇଲେ

ଦିଅନ୍ତେ ବାଟି ସ୍ପରଳା ।

ସୁତୀର ବସନ ଅତି ଝଲମଲ

ସଦା ଅଙ୍ଗେ ପରିଧାନ,

ଝଳି ଦିଶୁଥାଏ ସୁଷମା ଭଣ୍ଡାର

ରସିକ-ମନ-ମୋହନ ।

ଅଠାକାଠରୁ କି ବିହଙ୍ଗମ କେବେ

ଲଭିପାରେ ପରିତ୍ରାଣ,

ରସିକା ପରଶ ଏଡ଼ିବା ସାହସ

ନ ଆସିଛି ତା’ର ମନ ।

ରୂପ, ଯଉବନ ଧନ ଯହିଁ ଠୁଳ

ତ୍ରିଭୁବନ ତାର କିଣା,

ନ୍ୟାୟ ଅନ୍ୟାୟର ସମାଧାନ ପାଇଁ

ସ୍ଥାନ ତହିଁ ନାହିଁ ସିନା ।

Image

 

ଦ୍ୱିତୀୟ ଛାନ୍ଦ

(ରାଗ–ରାମକେରୀ)

 

ଗଣିକା ପ୍ରେମରେ ମଜ୍ଜିଲେ

ସାରା ନଗର ବାସୀ

ଯୁବକ ମେଳରେ ଚହଳ

ବେଗେ ଗଲା ପ୍ରକାଶି ।

ଧନ୍ୟ ମନେ କଲେ ପରଶ

ଯେହୁ ପାଇଲେ ତାର,

ମତ୍ତ ମଧୁକରେ ଲୁଟନ୍ତି

ଯଥା ମଧୁ ସମ୍ଭାର ।

ସୁରସ-ପ୍ରବୀଣା ବାସବ-

ଦତ୍ତା ପ୍ରେମ ପ୍ଲାବନେ,

ଅବଗାହି ପୁଂସ ରସିକେ

ନିତି ସୁଖ ସ୍ୱପନେ ।

ପ୍ରେମ ବିନା ଆନ ନ ଜାଣେ

ସେହି ଗଣିକାମଣି,

ସୁରସ ରସରେ ମଜ୍ଜିଲା

ନିତି ଦିବା ରଜନୀ ।

ତା ନାମ ଶ୍ରବଣେ ପୁଲକି

ଉଠେ ନାଗର ଅଙ୍ଗ,

ଇଚ୍ଛୁଥାନ୍ତି ସଦା ହେବାକୁ

ବରବର୍ଣ୍ଣନୀ ସଙ୍ଗ ।

ବିଧାତା ଘଟଣ ଜଗତେ

ଆନ କରିଛି କେହି

ବିଚିତ୍ର ଲୀଳା ତା ପ୍ରକାଶେ

ବନ ଭାଗ୍ୟରେ ରହି ।

ସାଜି ବେଶଭୂଷା ରୁଚିରେ

ଭୂରୁଭଙ୍ଗୀ ଖେଳାଇ,

ଲାକ୍ଷା ବିରଞ୍ଜିତ ପୟର

ଧୀରେ ଧୀରେ ଚଳାଇ ।

ଅର୍ଦ୍ଧାବୃତ୍ତ ଅଳସେ ମେଲି

ତାର ଶୋଭା ସମ୍ଭାର,

ଲକ୍ଷ୍ୟହୀନ ଭାବେ ବିହରେ

ତୁଙ୍ଗ ପ୍ରସାଦ ପର ।

ଦିନ କାମ ଶେଷେ ଦିବସ

ପତି ଫେରନ୍ତି ଘରେ,

ଫଗୁଖେଳେ ମାତି ବାରୁଣୀ

ରାଣୀ ସାଥେ ବିଭୋରେ ।

ରକ୍ତ, ପୀତ ରଙ୍ଗେ ରଞ୍ଜିତ

ଖଣ୍ଡ ଖଣ୍ଡ ବାଦଲ,

ବାରୁଣୀ ସାଗର ଖେଳନ୍ତି

ଯଥା ବୋଇତ ମାଳ ।

ଅସ୍ତାଚଳମୁଖୀ ସବିତା

ଚାହିଁ ବିହଗଗଣ,

ନୀଡ଼ ଅଭିମୁଖେ ଫେରନ୍ତି

କରି କଳ ନିଃସ୍ୱନ ।

ଗୋଷ୍ଠିରୁ ବାହୁଡ଼ି ଆସନ୍ତି

ଧୀରେ ଗୋଧେନୁ ପଲ,

ଗୋପାଳ ବଇଁଶୀ ମଧୁରେ

ତୋଳେ ଓଗାଳ ତାଳ ।

ସେ ବାସବଦତ୍ତା ସେବଇ,

ସାନ୍ଧ୍ୟ ବାୟୁ ହିଲ୍ଲୋଳ,

ସମବେତ ବନ ନୟନ

ହୁଏ ତା’ ଠାରେ ଠୁଳ ।

ଏ କାଳେ ଶୁଭିଲା ତୋରଣ

ଦ୍ୱାରେ ଲଳିତ ସ୍ୱର ।

ସପ୍ତସ୍ୱରେ କେବା ତୋଳୁଛି

ଅବା ବୀଣା ଝଙ୍କାର ।

ପ୍ରାସାଦ ଉପ ବାସବ-

ଦତ୍ତା ଢାଳିଲା ନେତ୍ର,

ସେ ରୂପ ମାଧୁରୀ ଦର୍ଶନେ

ହୃଦ ହେଲା ଦୋଳିତ ।

ଦୀର୍ଘବପୁ-ଶ୍ମଶ୍ରୁ-ମଣ୍ଡନ

ଶୋଭା ଚନ୍ଦ୍ର ବଦନ,

କାମିନୀ-ହୃଦୟ-ମୋହନ

ଯୁବା-କୁଳ-ମଣ୍ଡନ ।

ସୁଦୀପ୍ତ ବଦନେ ଫୁଟିଛି

ଜ୍ୟୋତି ବିଲୋଳ ହାସ,

ଶିରେ ଜଟାଭାର ମଣ୍ଡନ

ଶୋଭା ଦ୍ୱତି ମହେଶ ।

ଗୈରିକ ବସନ ଧାପନ

ଭିକ୍ଷା ଝୁଲି ଶ୍ରୀକରେ;

ଦଣ୍ଡ କମଣ୍ଡଳୁ ଶୋଭନ

ଜନ-ନୟନ ହରେ ।

ଅସ୍ଥିର ମାନସ ବାସବ-

ଦତ୍ତା ସେ ରୂପେ ଚାହିଁ,

ବିହି କି ନିଷ୍ଠୁର ଭ୍ରମାଏ

କିମ୍ପା ଯୋଗୀ ସଜାଇ ।

ମୋ ଗଳାରମାଳା ହୁଅନ୍ତେ

ଯେବେ ଯୋଗୀଶେଖର,

କିଂତୃପ୍ତି ଲଭନ୍ତା-ଅନ୍ତର

ଲଭି ପରଶ ତାର ।

କ୍ଷଣିକ ଦର୍ଶନେ ହୃଦୟେ

ଯେଉଁ ପୁଲକ ଆସେ,

କି ସୁଖ ଲଭନ୍ତି ବାନ୍ଧନ୍ତି

ଯେବେ ପ୍ରଣୟ-ପାଶେ ।

ସତେ କି ହୋଇବେ ସେ ମୋର

ମନ-ରାଇଜ-ରାଜା,

ଜାଳି ମୁଁ ପ୍ରଣୟ-ଦୀପାଳୀ

ସତେ କରିବି ପୂଜା ।

ଉତ୍ସୁକ ମାନସେ ଚାଲିଲା

ଚାରୁ ରଙ୍ଗ ପୟର,

ଯଥା ନଦୀ ସ୍ରୋତ ଉତ୍ସୁକ

ଲଭିବାକୁ ସାଗର ।

Image

 

ତୃତୀୟ ଛାନ୍ଦ

(ରାଗ–କଳହଂସ କେଦାର)

 

ଲେଉଟି ଯାଉଥିଲେ ତପସ୍ୱୀବର

କୋମଳ ନାରୀକଣ୍ଠ ବାଣୀ ଝଙ୍କାର ଯେ ।

ବାଜନ୍ତେ ଶ୍ରୁତିପଥେ ଚାହିଁଲେ ଫେରି

‘ନିଶୀଥ ସୂର୍ଯ୍ୟ’* ପ୍ରଭା ହୁଏ ଯେପରି ଯେ ।

ଭାଷେ ବାସବ ଦତ୍ତା କୋମଳ ଗୀର,

‘‘କିମର୍ଥେ ଆଚମନ ମୋର ଦୁଆର ହେ ।

କି ନାମ କେଉଁଠାରେ ତବ ବସତି,

ଅବଲମ୍ୱି କି ଧର୍ମ ହୋଇଛ ଯତି ହେ,’’

‘‘ଭିକ୍ଷାର୍ଥେ ଆଗମନ’’ ଭାଷି ତପସ୍ୱୀ

ଉପଗୁପ୍ତ ମୋ ନାମ ଶୁଣ ସୁକେଶୀ ଗୋ’’

ବାଲ୍ୟକାଳୁ ମୁଁ ବୌଦ୍ଧଧର୍ମେ ଦୀକ୍ଷିତ

ନିର୍ଦ୍ଦିଷ୍ଟ ବାସସ୍ଥାନ ନାହିଁ ଜଗତ ଗୋ

ଭିକ୍ଷା ଲବ୍‌ଧ ତଣ୍ଡୁଳ କରେ ଆହାର

ଅହିଂସା ଧର୍ମ ନୀତି କରେ ପ୍ରଚାର ଗୋ

ଭମଇ ପଦବ୍ରଜେ ସ୍ଥାନ ସକଳ

ଜଗତ ହିତେ ନିତି ହୃଦ ବ୍ୟାକୁଳ ଗୋ’’

‘‘ଭିକ୍ଷା ନିମନ୍ତେ ଯେବେ ଆସିଛ ଏବେ

ଦେବାକୁ ଭିକ୍ଷା ଏକ ମାନସେ ଭାବେ ହେ

ଅମୂଲ୍ୟ ଜଗତରେ ଅଟଇ ଯାହା

ଇଛନ୍ତି ସୁର ନରେ ହରଷେ ତାହା ହେ ।

ଜୀବନେ କେବେ ଲଭି ନ ଥିବ ତପୀ

ଶାସନ ପ୍ରଭାବ ଯା ଜଗତେ ବ୍ୟାପି ହେ

ସେ ଭିକ୍ଷା ନାମେ ‘ପ୍ରେମ’ ବେନି ଅକ୍ଷର

ଯା ନାମ ରୋମାଞ୍ଚିତ କରେ ଶରୀର ହେ ।

ପ୍ରଦାନ କରୁଅଛି ସେ ଭିକ୍ଷା ଆଜି

ନେବାକୁ ଯୁବା-ତପୀ ନୁହଁ ଅରାଜି ହେ’’

ଶ୍ରବଣେ ଉପଯୁକ୍ତ ପୋତିଲେ ମଥା

କର ପରଶେ ଯଥା ‘ଲାଜରା’ ଲତା ହେ ।

‘କିପରି ମୁଖେ ତବ ଆସେ ଏ ବାଣୀ

କି ଉପାଦାନେ ଗଢ଼ା ନ ପାରେ ଜାଣି ଗୋ

ଜଗତ-ନାରୀ ଜାତି ଜନନୀ ପରି

କୁମର ହୋଇ କେହ୍ନେ ପାରିବି ହରି ଗୋ ।

ବୌଦ୍ଧଧର୍ମେ ନିଷେଧ ଅଛି ଟି ଯାହା

କି ବିଚାରେ ମୁଁ ଆଜି କରିବି ତାହା ଗୋ

ତେଜ ସେ ଅଭିଳାଷ ଜନନୀ ମୋର

ବ୍ରହ୍ମଚାରୀ ମୁଁ ସିନା ଧରା ବକ୍ଷର ଗୋ ।’’

ବାସବଦତ୍ତା କହେ ‘‘ଛଇଳବର

ନ ମୋଡ଼ି ଦିଅ ଆଶା-କଳିକା ମୋର ହେ

ପଦ୍ମିନୀ ଯଥା ରବି ଉଦୟ ଚାହିଁ

ପୁଲକେ ପୁରେ ତନୁ ମୂରତି ଧ୍ୟାଇ ହେ ।

ଜିଣିଲେ ତପୀ ଆଜି ଜୀବନେ ମୋରେ

ସଲିଳ ମିଳେ କାହିଁ ତୃଷାର୍ତ୍ତଠାରେ ହେ

ପୟରେ ଦିଅ ସ୍ଥାନ ନବ ନାଗର

ଯୌବନ-ଭିକ୍ଷା ସମ୍ପି ଦେଉଛି କର ହେ ।’’

ଏତେ କହି ଚତୁରୀ ବାସବଦତ୍ତା

ବିହ୍ୱଳ ମତି ହୋଇ କାମେ ଆରତା ଯେ

ଅପାଙ୍ଗେ ଥରେ ଥରେ ଢାଳଇ ନେତ୍ର

ଖସିପଡ଼େ ଉତ୍ତରୀ ବକ୍ଷୁଁ ସତତ ଯେ ।

ପୁଷ୍ପପେଣ୍ଡା ପ୍ରହାରେ ଗରିକି ଟଳେ

ତଥା ବୌଦ୍ଧ ସନ୍ନ୍ୟାସୀ ଉଭା ନିଶ୍ଚଳେ ଯେ

ଭାଳିଲେ ନିରାପଦ ନୁହେଁ ଏ ସ୍ଥାନ

ଚାଳିଲେ ପାଦ କରିବାକୁ ପ୍ରସ୍ଥାନ ଯେ ।

ପ୍ରସ୍ଥାନ କାଳେ ଏତେ ଭାଷିଲେ ବାଣୀ

‘‘ମୋ ଉପଦେଶ ମନେ ରଖ ତରୁଣୀ ଗୋ

ସମୟେ ଦେଖା ଦେବି ଏ ଜୀବନରେ

ନେବି ସେ ଦିନ ଭିକ୍ଷା ନିଜ ଇଚ୍ଛାରେ ଗୋ ।’’

ଚାଲିଲେ ପାଦ ବେଗୁଁ ବେଗେ ତପସ୍ୱୀ

ଦୃଷ୍ଟ ପଥୁଁ ଅନ୍ତର ଦେଖି ରୁପସୀ ଯେ

କାଟିଲା ଚିନ୍ତା-କୀଟ ମନ-ସୁମନେ

ବିହ୍ୱଳିତ ପରାଣ ମନ୍ମଥ ବାଣେ ଯେ ।

 

* ନରଓୟେରେ ସୂର୍ଯ୍ୟ ଅସ୍ତ ଯାଉଥିବା ସମୟରେ ପୁଣି ପଶ୍ଚିମରୁ ପୂର୍ବକୁ ଫେରନ୍ତି । ଏହାକୁ ‘ନିଶୀଥ ସୂର୍ଯ୍ୟ’ କହନ୍ତି ।

Image

 

ଚତୁର୍ଥ ଛାନ୍ଦ

(ରାଗ–ଚୋଖି)

 

ନୟନୁ ଝରିଲା ନୀର ଅବିରାମ ଝରଝର

ବ୍ୟାକୁଳ ପରାଣୁ ଉଠେ ଉର୍ଦ୍ଧ୍ୱ ନିଶ୍ୱାସ ।

ନିଷ୍ପଭ ନୟନ ଜ୍ୟୋତି ଅସ୍ତଗାମୀ ଶଶୀ ମତି

ମତ୍ତ କରିବାରେ ଯଥା ନଳିନୀ ଧ୍ୱଂସ

ଥର ଥର ଅଧର ଥରେ ।

କୁରରୀ ପରାୟ ଲୋଟେ ରଜନିକରେ ।

ଅସଂଯତ ହେଲା ବେଶ ଫିଟିଲା କୁଟୀଳ କେଶ

ଯା ଶୋଭା ହରାଇ ଜନ-ମନ ନୟନ ।

ତପନ ବିଲୀନ ଚାହିଁ ନଳିନୀ ଯଥା ଝୁରଇ

ବିରହ ବିଧୁରେ ତଥା ହୃଦ କମ୍ପନ ।

ସଦ୍ୟ ଫୁଟା କୁସୁମ ଗୋଟି

ଅଯତ୍ନେ ଧରାରେ କିବା ଯାଉଛି ଲୋଟି ।

କପାଳେ ନିବେଶି କର ବାଷ୍ପାକୁଳ କଣ୍ଠେ ଗୀର,

‘‘ବ୍ୟର୍ଥ ତେବେ ଏ ମୋହର ରୂପ ଯୌବନ

ମୋ ଶୋଭା ନିରେଖି ନେତ୍ରେ କେତେ ଧନୀ ଯୁବା ଚିତ୍ତେ

ପ୍ରଣୟ-ବିପଞ୍ଚି ତୋଳେ ମଧୁର ତାନ

ଆଜି ତପୀ ମର୍ଦ୍ଦଲା ପାଦେ

ନ ଟଳିଲା ଚିତ୍ତ ତା’ର ପ୍ରଣୟ ମଦେ ।

‘‘ମନେ ପଡ଼େ ଆଜି ମୋର ଅତୀତର ସମାଚାର

ଘୋର ତପେ ବିଶ୍ୱାମିତ୍ର ଧ୍ୟାନେ ମଗନ,

ନିରେଖି ମେନକା ରୂପ ଟଳିଲା ତପୀଙ୍କ ତପ

ଅସୀମ ପ୍ରଣୟ-ସିନ୍ଧୁ ତୀର ଲଘଂନ,

ତହୁଁ ଶ୍ରେଷ୍ଠ କି ଯୋଗୀବର,

ନ ଟଳିଲା ଦେଖି ମୋର ରୂପ-ସମ୍ଭାର ।

‘‘ମତ୍ସଜୀବି-ସୁତା ଚାହିଁ ପରାଶର ହେଲେ ମୋହି

ଯୋଜନଗନ୍ଧା ନାମରେ ପ୍ରକାଶ ଭବେ ।

ଲଘିଂଲେ ବିଧି ନିୟମ ଦିବସେ ରତି ବିଷମ

ପୁଣି ସରିତ ବକ୍ଷରେ ସଚଳ ନାବେ

ସେ ତ ତପୀକୁଳ ମଣ୍ଡନ,

ବଳିଶ୍ରେଷ୍ଠ ବୌଦ୍ଧ ଭିକ୍ଷୁ ବିଚାରେ ମନ ।

‘‘ମୁଁ ଭାବିଥିଲି ସାଗର ମେଣ୍ଟାଇବି ତୃଷା ମୋର

କର୍ମ ଅବଳେ ପାଲଟେ ସିକତା ଶେଯ,

ନବୀନ ଜଳଦ ଚାହିଁ ଚିତ୍ତ-ଚାତକ ଆଶାୟୀ

ସ୍ଖଳନ ନୋହିଲା ବିନ୍ଦୁ ଭାବନା ବ୍ୟାଜ

ଶଶୀ ଦେଖି ଶଶା ଯେପରି,

ଆଶା ନିରାଶାରେ ଗଲା ମାନସେ ମରି ।

‘‘ଯେ ପ୍ରଣୟ ପାଶେ ମୋର ଭୂଲୋକ ନରେ କି ଛାର

ଅମରେ ହୋଇବେ ବନ୍ଦୀ ତେଜି ଅମର,

ଭିକ୍ଷାଶୀ-ଧୈର୍ଯ୍ୟ କୃପାଣ ଚ୍ଛେଦି କଲା ଚ୍ଛିନ ଭିନ୍ନ

ନ ସ୍ଫୁରେ ବଦନୁଁ ଭାଷା କି ଚମତ୍କାର

ତା ନୟନେ ମୋ ରୂପ ଶୋଭା

ସୁଷମା ବିହୀନ ହେଲା ବିଚାରେ ଅବା ।

‘‘ମୋ କଟାକ୍ଷ ନେତ୍ର ପାତେ କେ ବଶ ନୋହେ ଜଗତେ

ଶେଳ ବିଦ୍ଧ ସମ ଯୁବା ହୃଦୟେ ଭେଦେ,

ନିରେଖି ମା ମଧୁ ହାସ କା’ ମାନବ ନୋହେ ବଶ

ମୋ କୁଚ ପରଶ କେହୁ ନ ଇଚ୍ଛେ ଶ୍ରଦ୍ଧେ,

ଉନମତ୍ତ ଯୌବନ ମୋର,

ପାନେ କେ ହେବ ବିମୁଖ ଯୁବା-ଭ୍ରମର ।’’

ଆଘାତ ଲାଗିଛି ପ୍ରାଣେ କାନନ ଦହନ ଜାଣେ

ଜଗତ ସିନା ମରମ ଦାହ ବେଦନା

ଜାଣି କି ପାରଇ କେହୁ ଧମ ହୀନ ଭସ୍ମ ସେହୁ

ଅନୁଭବୀ ଏକା କରିପାରେ କଳ୍ପନା,

ଯୋଷାବର ଦଶା ତେସନ

ନୟନ ଲୋତକ ପୋଛି ଭଲା ସଦନୁ ।

Image

 

ପଞ୍ଚମ ଛାନ୍ଦ

(ରାଗ–ଚଉଦ ଅକ୍ଷରୀ)

 

ଗାଢୁଁ ଗାଢ଼ତର ହେଲା ଘୋର ବିଭାବରୀ

ସୁପ୍ତ ହେଲା ମୁଖରିତ ଧରଣୀ ସୁନ୍ଦରୀ ।

ଅକାଳ ବଉଦ କାହୁଁ ଘୋଟିଲା ଗଗନେ

ବରଷାର ତାଳେ ତାଳେ କୁଳୀଶ କମ୍ପନେ ।

ଜୀର୍ଣ୍ଣ ସରସୀ କୂଳରେ ଡାକ ଦେଲା ଭେକ

ବଂଶ ବନ କମ୍ପାଇବା ରାବରେ ଡାହୁକ ।

ତହୁଁ ବଳି ବାଳା ମନ ଗଗନ ପଟରେ

ଚିନ୍ତା ଅକାଳ ବଉଦ ଘୋଟିଲା ସତ୍ୱରେ ।

ଏକ ଚିନ୍ତା ତପୀ ତାରେ କଲା କିମ୍ପା ତ୍ୟାଗ

ତା ଯୌବନ ମଧୁ ପାନେ ଲଭିଲା ବିରାଗ ।

ପ୍ରସ୍ଫୁଟିତ ସୁମନାକୁ ଦେଖି ମଧୁକର

ନ ଚୁମ୍ୱି ହୋଇଛି କାହିଁ ପାଶରୁ ଅନ୍ତର ।

ଭାବନାର ପାରାବାରେ ଡୁବିଯାଏ ମନ

ଚଳଚ୍ଚିତ୍ର ଚିତ୍ର ସମ ତପସ୍ୱୀ ଦର୍ଶନ ।

ଅଧିକୁଁ ଅଧିକ ବୃଦ୍ଧି ଲଭିଲା ବେଦନା

ନ ଶମିଲା ବ୍ୟଥା ଭାର କଲେ ଆଶ୍ୱାସନା ।

ଦୀନ ହସ୍ତସ୍ଥିତ ଧନ ହରାଇଲେ ଯଥା

ସେତିକି ଲଭିଲା ବ୍ୟଥା ସେ ବାସବଦତ୍ତା

ଦ୍ୱାର କପାଟେ ଅଙ୍ଗୁଳି ଘାତେ ଧନୀ ଗଣ

ସମ୍ଭାସିଲେ ସ୍ୱକାମନା ହେବାକୁ ପୂରଣ ।

ବାଣୀ ବାଣ ହେଲା ଶତ କୁଳୀଶୁଁ କଠିନ

ପ୍ରାବୃଟ ତଟିନୀ ସମ ବୃଦ୍ଧି କ୍ଷଣୁକ୍ଷଣ ।

କର ଧରି ସମାଦରେ ଯେ ଆଣେ ଭବନେ

ଚମତ୍କାର ସେ ଆହ୍ୱାନ ନ ଶୁଭେ ଶ୍ରବଣେ ।

ପ୍ରେମେ ବଶ କରିବାକୁ ପୁଲକେ ଯା ତନୁ

ନିସ୍ତେଜ ନିଷ୍ପଭ ଅଂଗ ହେଲା କି କାରଣୁ ।

ସ୍ମିତ ହାସ୍ୟ ଖେଲୁଥିଲା ଯା ରଂଗ ଅଧରେ

ଫିକା ପଡ଼ି ଆଜି କିମ୍ପା ଥର ଥର ଥରେ ।

ଯେ ନୟନେ ଦେଉଥିଲା ପ୍ରଣୟ ସଂକେତ

ସେ ନୟନେ ଅଶ୍ରୁବାରି ହୁଏ ପ୍ରତିଭାତ ।

ମେଦିନୀ ନାମରେ ଥିଲା ପରିଚାରୀ ତା’ର

ବିଟପରେ ଜଣାଇଲା ସର୍ବ ସମାଚାର ।

କୁସୁମ ଶର ଆଘାତେ ବିହ୍ୱଳିତହୋଇ

ଫେରିଲେ ରସିକେ ବ୍ୟଥା ଭରା ତନୁ ବହି ।

ଅନ୍ନଦାତ୍ରୀ ବେଦନାରେ ବ୍ୟଥିତା ମେଦିନୀ

ସର୍ବାଙ୍ଗେ ବୁଲାଇ କର କହେ ମଞ୍ଜୁ ବାଣୀ ।

‘‘ବାଳିଶ ପରାୟେ କିମ୍ପା ହେଉରେ ବାଳୀଶ

ଦୀନ ହୀନ ଯୋଗୀ ପ୍ରତି ବଳାଉ ମାନସ ।

ବନ୍ଧୁକ ଅଧରୀ ତୋର ଅଙ୍ଗ ସ୍ପର୍ଶ ଲାଗି

କେତେ ଧନୀ ମାନି, ଜ୍ଞାନୀ ହ୍ୱନ୍ତି ଅନୁରାଗୀ ।

ଦ୍ୱାରେ ଦ୍ୱାରେ ଭ୍ରମି ଯେହୁ ପୋଷଇ ଉଦର

ଭିକ୍ଷା ମୁଷ୍ଠି ସାରାଦନେ ସମ୍ୱଳ ଯାହାର ।

ଧନୀକର ନିର୍ଯ୍ୟାତନା ଯାହାସରେ ଠୁଳ

ସେ କାହୁଁ ଜାଣିବ ଅବା ପ୍ରଣୟର ମୂଲ୍ୟ ।

ସମ ଶୋଭା, ବୟଃ, ବୃଦ୍ଧି ଯହିଁ ଏକ ଠାବ

ସେ ସ୍ଥାନରେ ହୁଏ ସିନା ପ୍ରଣୟ ସମ୍ଭବ ।

ମୋତି ମହତ୍ୱ ଜାଣେ କି କାନନ ଶବର,

ପିୟୂଷ କଣିକା କେବେ ଇଚ୍ଛେ କି ଶୂକର

ଜ୍ଞାନବତୀ ହୋଇ କିମ୍ପା ହେଉ ବ୍ୟାକୁଳିତ

ଧନୀ ଅଙ୍କେ ବୃଦ୍ଧି ଲାଭ ହେବ ତୋ ମହତ୍ତ୍ୱ ।

ସରସୀ ଅମଳ ଜଳେ ତଳଇ କମଳ

କୂପରେ ବିକାଶ କେବେ ସମ୍ଭବ କି ତାର ?

ପୋଛିଦିଅ ମନ ପଟୁ ଅତୀତ କାହାଣୀ

ଭବିଷ୍ୟତେ ଦିଅ ଦୃଷ୍ଟି ନୀରଜ-ନୟନୀ’’ ।

ପରିଚାରୀ ବାଣୀ ଚିନ୍ତା-ରୋଗ- ଅଉଷଧ

ମାନସ ପ୍ରସନ୍ନ ହେଲା ତୁଟିଳା ବିଷାଦ ।

Image

 

ଷଷ୍ଠ ଛାନ୍ଦ

(ରାଗ–ଚଉପଦୀ)

 

ଖେଳା ଖଞ୍ଜବୀଟ ଦୃଶା ନାଗରୀ ସମାଜ-ମୁକୁଟ ଭୂଷା

ବାସବ ଦତ୍ତା, (ମନୁ) ଭୁଳିଲା ଅତୀତ କଥା ।

ଜୀବନ-ଗନ୍ତବ୍ୟ ପଥେ କାଳ କଟାଇବା ହରଷ ଚିତ୍ତେ

ସୁଖ ସ୍ୱପନେ, ମଜ୍ଜି ରହି ଅନୁକ୍ଷଣେ ।

ରାଜପୁରେ ନୃତ୍ୟୋତ୍ସବ ଅପଲକ ଦୃଷ୍ଟି ଦର୍ଶକ ବର୍ଗ

ରସ ପ୍ରବୀଣା,(ଛନ୍ଦେ) କରାଇ ପଦ ଚାଳନା ।

ବାଦ୍ୟ ତାଳେ ତାଳ ଧରି ବୀଣାଜିଣା କଣ୍ଠେ ସ୍ୱର ଝଙ୍କ

ଭୂରୁ ନଚାଇ, (ହାସ) ବିମ୍ୱାଧରେ ଉକୁଟାଇ ।

ଆବେଶ ପ୍ରେମ କୀର୍ତ୍ତନେ ମୁଦ୍ରା ସଂଯୋଗଇ ପୁଲକ ପ୍ରାଣେ

ପଦ ନୂପୁର, ତାଳେ ତାଳେ ତୋଳେ ସ୍ୱର ।

ବକ୍ଷ ତୁଙ୍ଗ ପୟୋଧର ଉତ୍‌ଥାନ ପତନେ ସଦା ରୁଚିର

ଆୟସହୀନ ତନ୍ମୟେ ନୃତ୍ୟ ରଚନ ।

ଆବର୍ତ୍ତନ, ବିବର୍ତ୍ତନ ସୁଚୀର ବସନ ଘୂର୍ଣ୍ଣାୟମାନ

ଦୋଳଇ ବେଣୀ, ଯଥା ଖଳିକାର ଫଣୀ ।

କଟି ଭଙ୍ଗୀ, ଗ୍ରୀବା ଭଙ୍ଗୀ ସ୍ଫୀତ ଭଙ୍ଗୀ ରଙ୍ଗେ କନକ ଅଙ୍ଗୀ

ଭାରତ ନାଟ* ଦର୍ଶକରେ କରେ ପ୍ରକଟ ।

ସମବେତ ଜନ ସ୍ୱର ପ୍ରଶଂସା କରଇ ନୃତ୍ୟକୁ ତା’ର

ଜଣାନ୍ତି ମତ, ବଜାଇ କର ଆଘାତ ।

ରସ ସୁନିପୁଣା ଧୀର ନାଗର-ମାନସ-ନୟନ-କାରା

ପ୍ରେମ ଦୋଳାରେ, କାଟିଲା କାଳ ସୁଖରେ ।

ଦିନ, ମାସ, ବର୍ଷ ଧରି କାଳ ଚକ୍ର ଗଲା ଚଞ୍ଚଳ ଘୂରି

ବିଧି ନିୟମ, ସୁଖ ଦୁଃଖ ସମ୍ମିଳନ ।

 

*

ଭରତ ଋଷିଙ୍କ ଦ୍ୱାରା ରଚିତ ନାଟ

Image

 

ସପ୍ତମ ଛାନ୍ଦ

(ରାଗ–ରାମକେରୀ)

 

ବିକଶିତ ହୁଏ ସୁମନା

ଯେବେ ବନୋପବନେ

ସୌରଭ ବିତରି ଉନ୍ମାଦ

ଆଣେ ମଧୁପ ପ୍ରାଣେ ।

ତା ଗନ୍ଧ ଶୋଭାରେ ଲୁବ୍‌ଧ

ହୋଇ ଷଟ୍‌ପଦ କୁଳ,

ପ୍ରାଣ ଭଳି ମଧୁ ଚୁମ୍ୱନ୍ତି

ପ୍ରେମେ ହୋଇ ବିହ୍ୱଳ ।

ସଜଫୁଲ ବାସି ହୁଅଇ

ଖସେ ଭୂତଳେ ଖରେ,

ନ ଥାଏ ଅତୀତ ସୁବାସ

ରସହୀନ ଅଙ୍ଗରେ ।

ଜଗତ ନିୟମ ଆନ କେ

ଅବା ପାରିବ କରି,

ନଶ୍ୱର ମାନବ ଶରୀର

ଶୋଭା କ୍ଷଣିକ ସରି ।

ବାସିଫୁଲ ସମ ବାସବଦତ୍ତା

ଯୌବନ ଗତ,

ପ୍ରେମେ ଆଉଥରେ ହୃଦୟ

ନୋହିଲା ଉଲ୍ଲସିତ ।

ନୟନ ହୋଇଲା ନିଷ୍ପଭ

ଚାରୁ ଗଣ୍ଡ ନିରସ,

ଅଧରେ ଆଉ ନ ଖେଳିଲା

ମୃଦୁ-ମଧୁର ହାସ ।

ତୁଙ୍ଗ ପୟୋଧର ଖସିଲା

ହେଲା ଶୋଭା ବିହୀନ,

ସୁଢ଼ଳ ସୁଠାମ ଅଙ୍ଗରେ

ଶାରା ହେଲା ଉତ୍ପନ୍ନ ।

ବେଶରୁ ଆଦର କମିଲା

ହାସ୍ୟ ରସ ପ୍ରସଙ୍ଗ,

ନ ଇଚ୍ଛିଲା ଆଉ ମାନସ

ଧନୀ ନାଗରସଙ୍ଗ ।

ସୁଖ ପରେ ଦୁଃଖ ଆସଇ

ଦିବା ଶେଷେ ରଜନୀ,

ମଧୁ ଋତୁ ଗତେ ନିଦାଘ

ମାଡ଼ିବସେ ଧରଣୀ ।

ସେ ବାସବଦତ୍ତା ଅଙ୍ଗରେ

କ୍ଷତ ଚିହ୍ନ ପ୍ରକାଶ

ଶୁକ୍ଳ ପକ୍ଷ ଶଶୀ ପରାୟ

କ୍ରମେ କ୍ରମେ ବିକାଶ ।

ଜାଣିଲେ ସରବେ ନାଗରୀ

କୁଷ୍ଠ ରୋଗେ ପୀଡ଼ିତ,

ସଂକ୍ରାମକ ରୋଗ ମଧ୍ୟରେ

ଯାହା ବର୍ଣ୍ଣନାତୀତ ।

Image

 

ଅଷ୍ଟମ ଛାନ୍ଦ

(ରାଗ–ଖଣ୍ଡକାମୋଦୀ)

 

ପ୍ରେମ ମଧୁ ଆଶେ ଆସୁଥିଲେ ଯେଉଁ

ପୁଂସ ନାଗର,

ହସ ହସ ମୁଖେ କହୁଥିଲେ କଥା

କେଡ଼େ ରୁଚିର ।

ତା ପ୍ରେମେ ତନ୍ମୟ ହୋଇଥିଲେ ଯେତେ

ରସିକବର,

ଯୌବନ ବିଗତେ ସାରାଦିନ ହେଲା

ରୁଦ୍ଧ ଦୁଆର ।

କିଙ୍କର କିଙ୍କରୀ ଗଲେ ଅପସରି

ଥିଲେ ଯେ ପାଶେ,

ଏକାକିନୀ ହୋଇ ବିତାଏ ଗଣିବା

କାଳ ବିରସେ ।

ସମ୍ପଦେ ଜଗତେ ମିଳେ ବହୁ ସାଥି

ଲୋଡ଼ିବ ଯେତେ,

ବିପଦେ ଗୋଟିଏ ଦିଅନ୍ତି ଦେଖା କି

ଥାଆନ୍ତି ଯେତେ ?

ଉତ୍ତୁଙ୍ଗ ପ୍ରାସାଦ ବଦଳେ ସରଣୀ

ହେଲା ସଦନ

ସୁଝୀନ ଅମ୍ୱର ସ୍ଥାନେ ସ୍ଥାନ ନେଲା

ଜୀର୍ଣ୍ଣ ବସନ ।

ଦିନେ ସୁକୋମଳ ଶଯ୍ୟା ଯା’ରେ ରୁଚି

ହେଉ ନ ଥିଲା,

ଧରା ଶଯ୍ୟା ଆଜି ପାଳିବା ବିଧାତା

କର୍ମେ ଲିହିଲା ।

ନାନା ଗନ୍ଧ ଦ୍ରବ୍ୟ ହେଉଥିଲା ଅଙ୍ଗେ

ନିତି ଯେ ବୋଳି,

ସେ ଆଜି ବ୍ୟାକୁଳେ ଗୋଳି ହେଉଅଛି

ଧରଣୀ ଧୂଳି ।

ଆକର୍ଷୁ ଥିଲା ଯାସୁଷମା ସମ୍ଭାର

ଜନ-ନୟନ,

ପଥର ପଥିକ ବ୍ୟସ୍ତେ ନାସାପୁଟେ

ଦିଏ ବସନ ।

ନାଗର ମହଲେ ହେଉଥିଲା ଯା’ର

ଶୋଭା ବର୍ଣ୍ଣନ,

କରନ୍ତି ଆଜି ତାକୁତ୍ସିତ କର୍ମର

ଫଳ ବର୍ଣ୍ଣନ ।

ମକ୍ଷିକା ଦଂଶନେ ବ୍ୟସ୍ତେ କାଳ ଯାପେ

ବାସବଦତ୍ତା,

ମନ ଚିତ୍ର ପଟେ ନୃତ୍ୟ ରଚେ ଗତ

ବିଳାସ କଥା ।

Image

 

ନବମ ଛାନ୍ଦ

(ରାଗ–ଚିନ୍ତାଭୈରବ)

 

ପଥ ପ୍ରାନ୍ତେ ସେ ବାସବଦତ୍ତା

ବସି ଭାଳଇ ବିଗତ କଥା

ନୟନୁ ଲୋତକ ଗଣ୍ଡ ଦେଇ ବହେ

କରି ଆନତ ତଳକୁ ମଥା

ସେ ଗଣିକା ।

 

ଧରାଧାମେ ବ୍ୟର୍ଥ ଜନ୍ମ ମୋର ।

ପାପ କର୍ମେ ମଜ୍ଜି ନିରନ୍ତର ।

ଉଦ୍ଦାମ ଯୌବନ ପାପ ପୁଣ୍ୟ ଜ୍ଞାନ

ଶୂନ୍ୟ କରି ଦେଲା ମୋର

ରେ ଦଇବ ।

 

ଧାତା ଏ ବୁଦ୍ଧି କିମ୍ପାଇଁ ଦେଲୁ

ମାୟା-ଇନ୍ଦ୍ରଜାଲେ ଭ୍ରମାଇଲୁ ।

ନାରୀ ଜନ୍ମ ଯେବେ ସୃଷ୍ଟି କଲୁ ଭବେ

କିମ୍ପା ଯଉବନ ସଜାଇଲୁ

ରେ ଦଇବ ।

 

ଜଗତରେ ଯଉବନ ମଦ

ବଳି ନାହିଁଟି ଆନ ପ୍ରମାଦ ।

ଯାବତ କଳଙ୍କ ଠୁଳ କରି ଆଣି

ସୁଖ ପରେ ଆଣଇ ବିଷାଦ

ରେ ଦଇବ ।

 

ନିମ୍ନମୁଖୀ ସରିତର ଧାର

ବାଲି ବନ୍ଧେ କେ କରିବ ସ୍ଥିର ।

ଯଉବନ-ସ୍ରୋତ ମାନଇ କି ବାଧା

ସ୍ରୋତ ଉନମତ୍ତ ଉଚ୍ଛୃଙ୍ଖଳ

ରେ ଦଇବ ।

 

ପୂର୍ବ ଜନ୍ମେ କି ପାତକ କଲି

ତେଣୁ ଦୁଷ୍କର୍ମରେ ନିମଜ୍ଜିଲି ।

ଶହସ୍ର ଶଯ୍ୟାର ନାୟିକା ରୂପରେ

ମଧୁ-ଯଉବନ ବିତାଇଲି

ରେ ଦଇବ ।

 

ପ୍ରେମେ ମତ୍ତଥିଲି ଯେଉଁ କାଳେ

ମନେ ଆସି ନ ଥିଲା ସେ ବେଳେ ।

ପ୍ରେମ-ମଧୁ ଧାରା ବିଗତେ ଆସିବ

ଗୁରୁ ଦୁର୍ଦ୍ଦିନ କର୍ମ ଅବଳେ

ରେ ଦଇବ ।

 

ଯାହା ହେବାର ଯାଇଛି ହୋଇ

ବୁଦ୍ଧି ବେଦନା ସିନା ତା ଧ୍ୟାଇ ।

ମୃତ୍ୟୁ ମୋର କାମନା ଜୀବନରେ ଆନ

ମଧୁର କଳ୍ପନା ନାହିଁ

ରେ ଦଇବ ।

Image

 

ଦଶମ ଛାନ୍ଦ

(ରାଗ–ଶଙ୍କରାଭରଣ)

 

ରାଜପଥ ଧାରେ ଥିଲା ବଟ ତରୁ ଉଚ୍ଚ

ପତ୍ର ଗହଳେ ନିଘଞ୍ଚ ଦିଶଇ ସୁସଞ୍ଚ

ଛାୟା ଦାନେ ତୋଷି ପାନ୍ଥ,

ପର ଉପକାରେ ସଦାକାଳେ ଥିଲା ରତ ।

ସାଧୁଜନ ସହ୍ୟ କରି ବେଦନାର ଭାର

ଆନ ଜନେ ସୁଖ ଦିଏ ସେହି ପରକାର

ସହି ତପନ କିରଣ,

ମହା ଧୈର୍ଯ୍ୟବନ୍ତ ଗୁଣେ ଉଭା ଅନୁକ୍ଷଣ ।

ଘନ ନବ କିଶଳୟେ ବିହଗ ନିକରେ

ଏକ ତାଳେ ସ୍ୱର ତୋଳି କଳକଣ୍ଠ ସ୍ୱରେ

ଯହିଁ ଗୁଣ୍ଡୁଚି ମୂଷାର,

ସଦାକାଳେ ଶୁଭୁଥାଏ ଶ୍ରୁତିକଟୁ ଗୀର ।

ଏକାକିନୀ ନିଶି ଘୋରେ ଜୀର୍ଣ୍ଣକନ୍ଥା ପରେ

ଶୋଇଛି ବାସବଦତ୍ତା ବୃକ୍ଷଛାୟା ତଳେ

ତନ୍ଦ୍ରା ନ ଆସେ ନୟନେ,

ଯନ୍ତ୍ରଣାରେ ବ୍ୟାକୁଳିତ ଅଙ୍ଗ ଅନୁକ୍ଷଣେ ।

ଯମୁନା ତଟୁ ଶୃଗାଳ ରବ ଶୁଣାଗଲା

ଦାତ୍ୟୁହ ରବରେ ବଂଶବନ କମ୍ପାଇଲା

ଦେଲେ ନିଶୀଥ ଜଣାଇ,

ସ୍ରଷ୍ଟା ଆଦେଶେ ଧରାରେ ପ୍ରହରୀ କି ସେହି ।

ଏ କାଳେ ଶୁଭେ ଅତୁରେ ପଦ ସଞ୍ଚାରଣ

ରାତ୍ର ଖଡ଼ ଖଡ଼ ଦେଲା ସୂଚାଇ ତା ତାନ

ଚେତି ବସିଲା ଗଣିକା,

ହଂସ ସ୍ୱାପଦ ଭୟରେ କମ୍ପେ ଯେଣୁ ଏକା ।

ଅସ୍ପଷ୍ଟେ ଦିଶିଲା ଏକ ମାନବ ମୂରତି

ବୋଇଲା ବାସବଦତ୍ତା ଉନ୍ମାଦିନୀ ମତି

‘‘ଆସ ଆସ କୃତାନ୍ତକ,

ମୁକ୍ତି ଦିଅ ମୁକ୍ତି ଦିଅ ମିନତି ଏତେକ’’ ।

‘‘ନୁହେଁ ମୁଁ ଗୋ ଜନ୍ତୁପତି ଗଭୀର ନିଶୀଥେ

ଆସିଛି ଏ ସ୍ଥଳେ ତବ ପ୍ରାଣ ନେବା ଅର୍ଥେ

ନୁହେଁ ଚୋର କି ତସ୍କର

ଦୀନା ହୀନା ପାଶେ ତାର କିବା ଦରକାର ।

‘‘ଅତୀତ ଦିବସ ସ୍ମୃତି ପଥେ ଥରେ ଆଣ

ଆସିଥିଲି ଭିକ୍ଷା ଆଶେ ତବ ସନ୍ନିଧାନ

ଯାଚିଥିଲ ପ୍ରେମ ଭିକ୍ଷା,

ସେ ଭିକ୍ଷା ଗ୍ରହଣେ ମୁହିଁ କରିଛି ଉପେକ୍ଷା ।

‘‘କହିଥିଲି ସମୟରେ ଦେବି ଦରଶନ

ଘେନିବି ସେ ଦିନ ମୁହିଁ ଇଚ୍ଛା ଭିକ୍ଷା ଦାନ

ଆଜି ସେ ଦିନ ଆସିଛି,

ଉପଗୁପ୍ତ ବୌଦ୍ଧ ଭିକ୍ଷୁ ମନେ ପଡ଼ୁଛି କି ?’’

‘‘କି ଅଛି ମୁଁ ଭିକ୍ଷା ଦେବି ଆସିଛ ମୋ ପାଶେ

ଆଜି ମୁଁ ସମ୍ୱଳହୀନା ରୋଗଗ୍ରସ୍ତା ବେଶେ

ପଥ ଧାରେ ମୋର ବାସ,

ଅତୀତ ମାନସେ ଆଣି ନ ବଢ଼ାଅ ପ୍ରାସ ।

‘‘ନାହିଁ ସେ ଯୌବନ ମୋର ମାଦକରେ ଭରା

ଫୁଟୁନାହିଁ ନେତ୍ର କୋଣେ ପ୍ରଣୟ-ଇସାରା

ଚାରୁ ଭଙ୍ଗିମା ଅଧର,

ନାହିଁ ଅତୀତର ସେହି ସ୍ଫୀତ ବକ୍ଷ ମୋର ।

‘‘କି ଦେବି ଭିକ୍ଷା ମୁର୍ ଆଜି ଆସିଛି କିମ୍ପାଇଁ’’

‘‘ଜୀବନେ ସେ ଭିକ୍ଷା ମୋର ଆବଶ୍ୟକ ନାହିଁ

ସେବା ମାନବ କର୍ତ୍ତବ୍ୟ,

ସମ୍ପାଦିବି ଧରା ବକ୍ଷେ ଯାହା ଅସମ୍ଭବ ।’’

Image

 

ଏକାଦଶ ଛାନ୍ଦ

(ରାଗ–ଚଉଦଅକ୍ଷରୀ)

 

ଯମୁନା ତଟିନୀ ତଟ ସୁରମ୍ୟ କାନନ

ଗର୍ବେ ଉଭା ମଥା ତୋଳି ମହୀରୂହଗଣ ।

ନବ ପଲ୍ଲବ ଶ୍ୟାମଳ ସଦା କୁସୁମିତ

ଛନ୍ଦା ଲତା ପୁଞ୍ଜେ ଯଥା କାନ୍ତା ସଙ୍ଗେ କାନ୍ତ ।

ବହେ ମୃଦୁ ସମୀରଣ ପତ୍ର ଦିଏ ତାଳ

ସମତାନେ ତାନ ରଚେ ଯମୁନାର ଜଳ ।

ବୃକ୍ଷଶାଖେ ଶୁକଶାରୀ ପରଭୃନ ସଙ୍ଗେ

ତୋଳନ୍ତି ମଧୁର ସ୍ୱର ନବ ନବରଙ୍ଗେ ।

ମଧୁ ସଉରରେ ମତ୍ତ ମଧୁପ ନିକର

ଲୁଟନ୍ତି ମଧୁ-ସମ୍ପଦ ‘‘ଗୁଣୁ’’ ‘‘ଗୁଣୁ’’ ସ୍ୱର ।

ସଦା ସୁଶୀତଳ ବାଧା ଦେଇ ସୁରତାପେ

ଉଲ୍ଲସି ଉଠଇ ପ୍ରାଣ ଜଳସିକ୍ତ ବାତେ ।

ନିବାରବୀଜ ଭକ୍ଷଣେ ଦଳବଦ୍ଧହୋଇ

କୁରଙ୍ଗ କୁରଙ୍ଗୀ ଯହିଁ ସୁଖେ ଥାନ୍ତି ରହି ।

ସେ ଯମୁନା ତୀରେ କରି କୁଟୀର ନିର୍ମାଣ

ରୋଗୀ ସେବା ବ୍ୟସ୍ତ ସଦା ତପସ୍ୱୀ ପ୍ରଧାନ ।

କ୍ଷତ ସ୍ଥାନ ପରିଷ୍କାର କରନ୍ତି ସ୍ୱକରେ

ଘୃଣା ବିକାର କଦାପି ନ ଆସେ ଅନ୍ତରେ ।

ମହାଜ୍ଞାନୀ, ସତ୍ୟନିଷ୍ଠ, ତ୍ୟାଗୀ, ଶାନ୍ତକାନ୍ତ

ସୁଖେ ଉଚ୍ଚାରନ୍ତି ‘‘ବୁଦ୍ଧ’’ ଯେ ନାମ ପବିତ୍ର ।

ବନୁଁ ଅଉଷଧମାନ କରନ୍ତି ସଂଗ୍ରହ

ପ୍ରଲେପ କରନ୍ତି କ୍ଷତ ସ୍ଥାନେ ଅହରହ ।

‘‘ଅହିଂସା ପରମ ଧର୍ମ’’ ବୁଦ୍ଧଙ୍କର ବାଣୀ

ତତ୍ତ୍ୱମାନ ଶୁଣେ ସଦା ଉତ୍ସୁକେ ତରୁଣୀ ।

ଜନ୍ମ ଜନ୍ମାନ୍ତର ଗାଥା ଶୁଣି ବୁଦ୍ଧଙ୍କର

କଳ୍ମଷ-କାଳିମା ମନ ପଟ ହେଲା ଦୂର ।

ସମ୍ମୁଖେ ଦିଶିଲା ଏକ ସରଣୀ ଉଜ୍ଜ୍ୱଳ

ଦୁଃଖେ ଶୋକେ ଯହିଁ ପ୍ରାଣ ନ ହୁଏ ବ୍ୟାକୁଳ ।

ସେବା ଯତ୍ନେ ବ୍ୟାଧି ଅଙ୍ଗୁ ଗଲା ଅପସରି

ପୂର୍ବ ସମ ବିକଶିଲା ଶରୀର ମାଧୁରୀ ।

‘‘ଜୀବନେ ମୋ ଆବିର୍ଭାବ କେଉଁ ଦେବଦୂତ

ବିନାଶି ଦୁଷ୍କୃତ ଦେଖାଇଲ ଦିବ୍ୟ ପଥ ।’’

‘‘ଦେବଦୂତ ନୁହେଁ ମୁହିଁ ଗୋ ବରବରନା

ବିଭୁ କୃପାବଳେ ମୁହିଁ ବୌଦ୍ଧ ଭିକ୍ଷୁସିନା ।

ଭିକ୍ଷା ଛଳେ ଉପଦେଶ ଦେଇଥିଲି ମୁହିଁ

ମାତ୍ର ଯୌବନ ତରଙ୍ଗେ ଗ୍ରାହ୍ୟ ହେଲା ନାହିଁ ।

ବାଧା ମାନେ କି ଗୋ ବୃଦ୍ଧି ସମୟେ ଜୁଆର

ଭଟ୍ଟା ବେଳେ ହୋଇପାରେ ତାର ପ୍ରତିକାର ।

ବିଦାୟ ଦିଅ ଯାଉଛି ଗୋ ଗନ୍ତବ୍ୟ ପଥେ’’-

ଏତେ ଭାଷି ଉପଗୁପ୍ତ ଚଳିଲେ ତୁରିତେ ।

ସେ ବାସବଦତ୍ତା ମନେ ହେଲା ଭାବୋଦୟ

ସୁରତାପେ ଲଭେ ଯଥା ତିମିର ବିଜୟ ।

ନ ଇଚ୍ଛିଲା ସେ ବାସବଦତ୍ତା ଆଉ ଧନ

ସୁରମ୍ୟ ପ୍ରସାଦେ କାଟିବାକୁ ସୁଖେ ଦିନ ।

ଗୈରିକ ବସନ ଅଙ୍ଗେ କଲା ପରିଧାନ

ବୌଦ୍ଧଧର୍ମ ମହାମନ୍ତ୍ର ମୁଖେ ଉଚ୍ଚାରଣ ।

ଉଦର ପୋଷଣେ ଭିକ୍ଷା ମୁଷ୍ଠି କଲା ସାର

ଲଭିଲା ମୁକତି ସତ୍ୟ ଧର୍ମ କରି ସାର ।

ପଙ୍କୁ ଯଥା ପଙ୍କଜର ହୁଅଇ ଉଦୟ

ଦୁଷ୍କୃତୁ ଧାର୍ମିକା ନାମ ନାମ ହେଲା ଥୟ ।

Image

 

 

 

 

 

 

 

 

 

 

 

କୁଳ ଚନ୍ଦ୍ରମା

[ପାଲା]

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

କୁଳ ଚନ୍ଦ୍ରମା

(ପ୍ରଥମ ଛାନ୍ଦ)

 

ଜୟ ଜୟ ସରସ୍ୱତୀ ପଙ୍କଜ-ବାସିନୀ

ବିଦ୍ୟା ପ୍ରଦାୟିନୀ ଦେବୀ ବିପଦ-ନାଶିନୀ

ଶୁକ୍ଳ ବସ୍ତ୍ରେ ଶୋଭା ପାଏ ତୁମ ଦେହ ଗୋଟି

ପାଦଯାଏ ପଡ଼ିଥାଏ ପଣତ ଯେ ଲୋଟି

ବାହନ ହଂସ ତୁମର ହସ୍ତେ ଶୋଭେ ବୀଣା

ପଣ୍ଡିତ ଭାବୁକ ଜ୍ଞାନୀ ତୁମ ପଦେ କିଣା

ସଙ୍ଗୀତ ସାହିତ୍ୟ କଳା ସଂସ୍କୃତି ପ୍ରସାର

ତୁମ ଦୟାବଳେ ହୋଇଅଛି ମା ପ୍ରଚାର

ତୁମରି କରୁଣା ପାଇ ଏହି ଜଗତରେ

ଧନ୍ୟ ହୋଇଛନ୍ତି ମାଆ କେତେ ନାରୀ ନରେ

ତୁମ ଦୟା ପାଇ ମୁହିଁ ଭାବିଅଛି ମନେ

ଗାଆଁର ଗୋଟିଏ ଚିତ୍ର ଆଙ୍କିବି ଯତନେ

ନୁହେଁ ରାମାୟଣ ଅବା ଏ ମହାଭାରତ

କୁମାର ସମ୍ଭବ କିବା ରଘୁଙ୍କ ଚରିତ

ଅତି ଛୋଟ କଥାଟିଏ ଲାଗେ ବଡ଼ ମୋତେ

ନିତି ପ୍ରତି ଘଟୁଅଛି ଆଜି ଯା ଭାରତେ

ଅତି କ୍ଷୁଦ୍ର ଅଟେ ସିନା ଏ ଉତ୍କଳ ଦେଶ

ଯୁଗେ ଯୁଗେ ଦେବଙ୍କର ହୋଇଅଛି ବାସ

ଜଗତର ନାଥ ନିଜେ ବିରାଜନ୍ତି ଯହିଁ

ଯାର ଶିଳ୍ପ କଳା ଭବେ ଅତୁଳ ଅଟଇ

କୋଣାର୍କ ଯାହାର ଯଶ କରୁଛି ଗାୟନ

ଲିଙ୍ଗରାଜ ବିରାଜନ୍ତି ଯା ଏକାମ୍ରବନ

ମହାନଦୀ କଳକଳ ଯହିଁ ଖେଳା କରେ,

ଚିଲିକା ଯା କୋଳେ ରହି ସର୍ବ ଶୋଭା ଧରେ

ବ୍ରାହ୍ମଣୀ ବଇତରଣୀ ଯୋଗାନ୍ତି ଅମୃତ

ଆକାଶକୁ ଟେକି ଅଛି ଶିର ଯା ପର୍ବତ

ଯେଉଁ ଦେଶ ମାଟିତଳେ ରତ୍ନ ଅଛି ଭରି

ଯୁଗ ଯୁଗ ଖର୍ଚ୍ଚ କଲେ ଯିବ ନାହିଁ ସରି

ପଥର କୋଇଲା ଲୁହା ଅଭ୍ର ଆଦି ଯେତେ

ଗୋଟି ଗୋଟି କରି ମୁହିଁ ବର୍ଣ୍ଣିବି ବା କେତେ

ହୀରା ନୀଳାଠାରୁ ବଳି ଅଟେ ମୂଲ୍ୟବାନ

କରିଛି ପ୍ରକୃତି ସିନା ଏ ଦେଶକୁ ଦାନ

ବହୁ ପୁଣ୍ୟ ବଳେ ଆମ ଜନ୍ମ ଏ ଦେଶରେ

ଏ ମାଟି ଶେଯରେ ପୁଣି ଶୋଇବ ଶେଷରେ

ମଝିରେ ଅଢ଼େଇ ଦିନ ମାତ୍ରକ କୁଣିଆ

ତେବ କିଆଁ ଭୁଲି ଯିବା ଗର୍ବେ ଏ ଦୁନିଆ

ଦେଶ ପାଇଁ ଜାତି ପାଇଁ କରିଗଲେ କାମ

କାଳେ କାଳେ ଦେଶବାସୀ ଘୋଷୁଥିବେ ନାମ

ନାତି ଅଣନାତି ଯେତେ ଭାବୀ ବଂଶଧର

ଭଲ କାମ କଲେ ନାମ ଜପିବେ ଆମର

କେହି ନୁହେ ଶତ୍ରୁ ଏଥି କେହି ନୁହେ ପର

ସକଳେ ଭଉଣୀ ଭାଇ ଆତ୍ମୀୟ ସୋଦର

ଏହି କଥା ଗୋଟି ଯେବେ ରଖିଥିବ ମନେ

ହିଂସା ଦ୍ୱେଷ କ୍ରୋଧ ଛାଡ଼ି ପଳାଇଲେ ବନେ

Image

 

(ଦ୍ୱିତୀୟ ଛାନ୍ଦ)

 

ମଧୁପୁର ନାମେ ଗ୍ରାମ ଅଟେ ଅତି ମନୋରମ

କୁସୁମ ଉଦ୍ୟାନ ସମ ଦୂରରୁ ଦିଶେ

ଚିତ୍ରୋତ୍ପଳା ନାମେ ନଈ ମଧୁର ସଙ୍ଗୀତ ଗାଇ

ଗ୍ରାମ ମୁଣ୍ଡେ ଯାଏ ବହି, ସାଗର ମିଶେ

ତାହା ଜଳ ଅମୃତ ପାଇ

ଗ୍ରାମବାସୀ ଦୁଃଖ କଷ୍ଟ ଜାଣନ୍ତି ନାହିଁ ।

ବ୍ରାହ୍ମଣ ବାଉରୀ ସେଠୀ ଜାତି ଭେଦ ନାହିଁ ସେଠି

ବିଲରେ ସକଳ ଖଟି କରନ୍ତି ଚାଷ

ବଉଳ ମଇତ୍ର ବସି ବାଳକ ଯୁବକ ମିଶି

ଏକ ସ୍ଥାନେ ହସି ହସି ଖେଳନ୍ତି ତା’ସ

ଜଣକର ବିପଦ ହେଲେ

ଆସନ୍ତି ସାହାଯ୍ୟ ପାଇଁ ଧାଇଁ ସକଳେ

ଗ୍ରାମେ ଯେତେ ବୃଦ୍ଧ ଜନ ସରଳ ସରସ ମନ

ସନ୍ଧ୍ୟାରେ ମିଳନ ସ୍ଥାନ ଶିବ ମନ୍ଦିର

ଭାଗବତ ରାମାୟଣ ନିତି ହୁଏ ପାରାୟଣ

ଭଜନ ନାମ କୀର୍ତ୍ତନ ଶାସ୍ତ୍ର ବିଚାର

ଛାଡ଼ି କିଛି ଯାଏ ତ ନାହିଁ

ଶେଷେ ଗ୍ରାମ ହାନିଲାଭ ପଡ଼ଇ ତହିଁ ।

ଯେତ ଅଛନ୍ତି ବୁଢ଼ୀ ମାଉସୀ ଦେଠେଇ ଖୁଡ଼ୀ

କୋଠାରେ କରନ୍ତି ବଡ଼ି ବସି ଖରାରେ,

କେ ବସି ବାଟଇ ବିରି ଫେଣାଏ କେ ଯତ୍ନ କରି

କେ ହାତେ ଚିମୁଟି ଧରି ରଖେ କୁଲାରେ

ଦେଇଥାଏ ପିଠୋଉ ବୋଳି

ଶୁଖିଗଲେ ସୁବିଧାରେ ଛାଡ଼ିବ ବୋଲି ।

ବୃଦ୍ଧ ଗୋପାଳ ପ୍ରଧାନ ପାଆନ୍ତି ବେଶି ସମ୍ମାନ

ସାଧୁ ଦୟାମନ୍ତ ଜନ ଅଟନ୍ତି ଗ୍ରାମେ

ତିନିପୁଅ ଧୁରନ୍ଧର ସାଧୁ ମଧୁ ରତ୍ନାକର

ପିତାଙ୍କ ଯୋଗ୍ୟ କୁମର ଧନେ ଓ ମାନେ

ବୁଦ୍ଧିମାନ ଜ୍ଞାନୀ ସକଳେ

ପକାନ୍ତି ନାହିଁ ପିତାଙ୍କ ବଚନ ତଳେ ।

ସାଧୁ ଜ୍ୟେଷ୍ଠ କୁମର ଚାଷ କାମ ଧୁରନ୍ଧର

ବିଲଟି ପ୍ରାଣ ତାଙ୍କର ଭାବନ୍ତି ମନେ

ରାତି ଦିନ ବିଲେ ଖଟି ଯାଉଥାଏ ଦିନ କଟି

ତାଙ୍କ ହାତ ଲାଗି ମାଟି ହସେ ମଉନେ

ଧାନ ମୁଗ କୋଳଥ ବିରି

ଦିଅନ୍ତି କେତେ ଫସଲେ ଭଣ୍ଡାର ଭରି

ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ ମଝିଆଁ ପୁଅ ବିଶ୍ୱାସ

ମଧୁ ତେଣୁ ବାରମାସ ବେପାରେ ରତ

ମଟରେ ହୋଇ ବୋଝାଇ ନିତି ମାଲ ଆସୁଥାଇ

ଟଙ୍କା ଗଣିବାର ପାଇଁ ବେଳ ନାହିଁ ତ

କାରବାର ସତତ ଚାଲେ

ଧନୀ ବୋଲି ଖ୍ୟାତି ଅଛି ବଡ଼ ସହରେ ।

ରତ୍ନାକର ସାନ ସୁତ ସରସ୍ୱତୀ ବର ପୁତ୍ର

ବିଦ୍ୟା ବୁଦ୍ଧି ଜ୍ଞାନ ଯୁକ୍ତ ଜିଲ୍ଲା ହାକିମ

ସାଗର ସମ ଗମ୍ଭୀର ତେଜୀ ଯେହ୍ନେ ଦିବାକର

ସାର୍ଥକ ଯେ ରତ୍ନାକର ତାଙ୍କର ନାମ

ନାମ ଶୁଣି ଗର୍ଭିଣୀ ଗାଈ

ଭୟେ ଥରହର ହୋଇ ପଥ ଛାଡ଼ଇ ।

ବଳିୟାର ଜଣୁ ଜଣ ଏଭଳି ତିନି ନନ୍ଦନ

ପାଇ ସେ ବୃଦ୍ଧ ପ୍ରଧାନ ଥାନ୍ତି ହରଷେ,

କାଳର ବଡ଼ କଟାଳ ନାହିଁ ତା ବାଛ ବିଚାର

ଧନ, ମାନ, ବିଦ୍ୟା ବଳ ତୁଚ୍ଛ ତା ଫାଶେ,

କାହାରିକୁ ନାହିଁ ତାର ଡର

ବୃଦ୍ଧଙ୍କୁ ଗ୍ରାସିବା ପାଇଁ ହେଲା ତତ୍ପର ।

Image

 

ତୃତୀୟ ଛାନ୍ଦ

 

କାହିଁ କେଉଁ ଦେଶୁ ମାଘ ପୁଷ ମାସ ଶେଷେ,

ଆସିଗଲା ଧରାପରେ ଅତି ବୃଦ୍ଧ ବେଶେ,

ପାଦ ହୁଏ ଟଳମଳ,

କମ୍ପୁଥାଏ ଦେହ ଯେହ୍ନେ ବରଡ଼ା ପତର ।

ଶୁଖିଲା ଦିଶିଲା ଦେହ, ଗଛ ପତ୍ର ହୀନ

ଧାନ ଜମି ହୋଇଗଲା ପଡ଼ିଆ ସମାନ

ବହି ଉତ୍ତରା ପବନ,

ଚମକାଇ ଦେଲା ବୁକୁ ବୁଢ଼ାବୁଢ଼ୀମନ ।

ଶୀତେ ହୋଇଗଲେ କାବୁ ଆମ ଗାଁ ଗୋପାଳ,

ବୟସ ପ୍ରଭାବେ ତୁଟି ଯାଇଅଛି ବଳ,

ମନେ କରିଲେ ବିଚାର

ଝଡ଼ି ମୁଁ ପଡ଼ିବି ଯେହ୍ନେ ଶୁଖିଲା ପତର ।

ନିକଟରେ ଡାକୁଅଛି ଯମ ହାତଠାରି

ଭୋଗ ଭାଗ୍ୟ ସରିଲାଣି ଯିବି ମୁଁ ବାହାରି,

ଆଉ ନାହିଁ କିଛି ବାକି

ଶେଷ କଥା କହିଯିବି ପିଲାଙ୍କୁ ମୁଁ ଡାକି ।

ବଡ଼ ପୁଅ ବୋହୁ ସିନା ରହିଛନ୍ତି ପାଶେ

ଆନ ଦୁଇ ଭାଇ କାହିଁ ରହିଲେ ବିଦେଶେ

ଶେଷ ଦରଶନ ପାଇଁ

ଚିଠି ଲେଖି ତାଙ୍କୁ ପାଶେ ଆଣିବି ଡକାଇ ।

ଏହା ଭାବି ବୁଢ଼ା ଦିନେ ଲେଖିଲେ ପତର,

ପ୍ରଭୁଙ୍କ ଦୟାରେ ମୋର ସକଳ କୁଶଳ

ତୁମେ ଆସିବାର ପାଇଁ

ଚାତକ ପରାୟ ବସିଅଛି ବାଟ ଚାହିଁ ।

ତିନିଲକ୍ଷ ଟଙ୍କା ମୋର ଅଛି ଗଣ୍ଠିଧନ

କାହା ହାତେ ଦେଇ ଯିବି କରି ସମର୍ପଣ

ଭାବି ହେଉଛି ଅଥିର

ତୁମେ ଆସି ଏ ସଙ୍କଟୁ କରି ଦିଅ ପାର ।

ତୁମ ପାଇଁ ମୋର କିଛି ନାହିଁ ତ ଭାବନା

ଏହି ଟଙ୍କା କରୁଅଛି ମୋର ବୁଦ୍ଧି ବଣା,

ଜଣୁ ଜଣେ ବଳିୟାର

ତୁମ ଲାଗି ବଢ଼ିଅଛି ଗଉରବ ମୋର ।

ତଥାପି କିଏ ସେ ଅଟେ କୁଳର ଚନ୍ଦ୍ରମା

ଯେତେ ମୁଁ ଭାବିଲେ ବୁଝିପାରୁ ନାହିଁ ଜମା,

କାହା ହାତେ ଦେଲେ ଟଙ୍କା

ପାଣିରେ ପଡ଼ିବ ବୋଲି ନ ରହିବ ଶଙ୍କା

ଯେ ପୁଅ ଅଟଇ ସବୁଠାରୁ ରୋଜଗାରୀ

ତାହା ହାତେ ଟଙ୍କା ଦେବି ଭାବନା ମୋହରି ।

ଜାଣି ଏହି ଅସାର

ପତ୍ର ପ୍ରାପ୍ତିମାତ୍ରେ ଚାଲି ଆସିବ ମୁକର ।

Image

 

(ଚତୁର୍ଥ ଛାନ୍ଦ)

 

କଚେରୀର କାମ ସାରି ଜିଲ୍ଲା ମେଜେଷ୍ଟର

ଚିଠି ଧରି ଖୁସି ମନେ ପ୍ରବେଶିଲେ ଘର ।

ମେଏମ ଯେ ଶୋଇଥିଲେ ପଲଙ୍କ ଉପରେ

ଚାକରାଣୀ ଚିପେ ପାଦ ଠିଆ ହୋଇ ତଳେ ।

ଚାକର ବାଳକ ବସି ଭାଙ୍ଗୁଥାଏ ପାନ

ହାତ ଯୋଡ଼ି ଉଭା ପଦାରେ ଯେ ଦରଓ୍ୱାନ ।

କାମ କରି କରି କ୍ଳାନ୍ତି ଆସିଗଲେ ମନେ

କେବଳ ଅଠର ଘଣ୍ଟା କଟଇ ଶୟନେ ।

ବାକି ଚାରି ଘଣ୍ଟା ଯାଏ କରି ପାଟି ତୁଣ୍ଡ

ବାଢ଼ୁଥାନ୍ତି ସବୁବେଳେ ଦାସଦାସୀ ପିଣ୍ଡ ।

ଦୁଇଘଣ୍ଟା କଟିଯାଏ ରେଡ଼ିଓ ଶ୍ରବଣେ

ନ ହେଲେ ଯାଆନ୍ତି ବୁଲି ବାନ୍ଧବୀ ସଦନେ ।

କାମ କରି କରି ଝଡ଼ି ଗଲାଣି ଶରୀର

ପାଣିରେ ବତୁରା ଚୁଡ଼ା ପରି କଣ୍ଟା ସାର ।

ସଞ୍ଜ ଦିଆ ବେଳେ ପଡ଼ିଥିଲେ ସେ ଘୁମାଇ

ମେଜେଷ୍ଟ୍ର ସାହେବ ଧୀରେ ଡାକି ଦେଲେ ଯାଇଁ ।

ଫାଟିଲା ମାଦଳପରି ଉଠିଲା ଗର୍ଜ୍ଜନ

‘‘ଟିକେ ହେଲେ ଶାନ୍ତି ଦେଲେ ନାହିଁ ରାତି ଦିନ ।

ବଥାଉଛି ମୁଣ୍ଡ ମୋର ଦେହ ଝୋଲା ମାରେ

କାହିଁକି କଅଁଳ ଡାକ ଏତେ ଶରଧାରେ ?’’

ଯାହା ଡରେ ଥରହର ହୁଅନ୍ତି ଅମଲା,

ଘରେ ଆସି ସେହି ଯେହ୍ନେ ହୋଇଗଲା ମଲା ।

କଚେରୀରେ ଥିଲେ ଯେହୁ ମହାବାଳ ବାଘ

ଘରଣୀଙ୍କ ପାଶେ ହୋଇଗଲେ ବୁଢ଼ା ଛାଗ ।

ଥରହର ହୋନ୍ତି ଲୋକେ ଯେଉଁ ପାଟି ଶୁଣି,

ଘର-ମିସଲରେ ତାହା ବାଜିଯାଏ ଖନି ।

ଯମରାଜା-ଯମ ଯେଉଁ ମେଏଁମ ସୁନ୍ଦରୀ

ମେଏଁମେ ହୁଅନ୍ତି ମେଜେଷ୍ଟର ତାଙ୍କୁ ଡରି ।

ଗରଜନ ଶୁଣି ସାହେବ ଯେ ଗଲେ ଥକି

କଅଁଳେଇ କହିଲେ ସେ ଥରେ ଛେପ ଢୋକି ।

ବୁଢ଼ା ବାପା ଦେଇଛନ୍ତି ଚିଟାଉ ଗୋଟିଏ

ଜାଣି ସେ ନାହାନ୍ତି ତାଙ୍କ ଯୋଗ୍ୟ ପୁଅ କିଏ ?

ମରିବାକୁ ବସିଲେଣି ନାହିଁ ତ ଅକଲ,

ତିନି ଲକ୍ଷ ଟଙ୍କା ପାଣ୍ଠି ରହିଛି ତାଙ୍କର

ଯୋଗ୍ୟ ପୁଅ ବୋଲି ଯାକୁ କରିବେ ବିଚାର

ତିନିଲକ୍ଷ ଟଙ୍କା ଦେବେ ହାତରେ ତାହାର ।

ବି.ଏ. ଏମ. ଏ. ପଢ଼ି ମୁହିଁ ଆଇ. ଏ. ଏସ

ମୋ ପରି ସଂସାରେ ଆଉ ଯୋଗ୍ୟ ବା କିଏ ସେ ?

ବଡ଼ ଭାଇ ଚଷା ଭୂଷା ତାକୁ କେବା ଜାଣେ ?

ଜିଲ୍ଲା ଲୋକେ ଥର ହର ସିନା ମୋହ ନାମେ,

ବେପାର କରୁଛି ପୁଣି ଭାଇଟା ମଝିଆଁ

ପାଠ ପଢ଼ି ନାହିଁ ଖାଲି ସେ କିଳାପୋତିଆ ।

ଟଙ୍କା ତକ ମୋର ଭାଗେ ପଡ଼ିବ ନିଶ୍ଚୟ

କି କରିବା ସେ ଟଙ୍କାରେ ବୁଦ୍ଧି ମୋତେ ଦିଅ ?’’

ଏତେ କହି ମେଜେଷ୍ଟର ହୋଇଲେ ମଉନ

ଜଳନ୍ତା ନିଆଁରେ ପାଣି ପଡ଼ିଲେ ଯେସନ,

ଲିଭିଯାଏ ତତକ୍ଷଣେ, ମେଏଁମ ସେପରି

ବସିଲେ ଉଠିଣ ମନେ ଶାନ୍ତଭାବ ଧରି ।

 

(ପଞ୍ଚମ ଛାନ୍ଦ)

 

ଗେଲେଇ ଗେଲେଇ ଦରହସ ହୋଇ

ମେଜେଷ୍ଟ୍ର ସାହେବ—ରାଣୀ

ଉଠି ବସି ଧୀରେ ସ୍ୱାମୀ ସମୀପରେ

କହିଲେ କୋମଳ ବାଣୀ ।

‘‘ନ କର ଉଛୁର ଯାଅ ବେଗେ ଘର

ଟଙ୍କା ତକ ଆସ ଧରି

ଅକାରଣେ ସିନା ଏତେ ଟଙ୍କା ଯିବ

ବୁଢ଼ା ଯେବେ ଯାଏ ମରି ।

ହେ କଟକ କାଳୀ ଦେବୀ ମୁହିଁ ବଳି

ବୁଢ଼ାକୁ ରଖିଲେ ଦିନେ ।

ଟଙ୍କାତକ ଦେଇ ମରିଯାଉ ସେହି

ଶୋଚନା ନ ହେବ ମନେ,

ଘରଲକ୍ଷ୍ମୀ ମୁହିଁ ମୋହ ଭାଗ୍ୟ ପାଇଁ

ତୁମେ ତ ପାଇବ ଧନ,

ରଖିଥାଅ ଚିତ୍ତେ ସବୁ ମୋର ହାତେ

କରିଦେବି ସମର୍ପଣ ।

ମୁକୁତାର ହାର କରି ଦଶ ମାଳ

ଲମ୍ୱାଇବି ମୋର ଗଳେ,

ହୀରା ନୀଳା କାଚ ଦିଶିବ ତ ସ୍ୱଚ୍ଛ

ପିନ୍ଧିବି ମୁଁ ଯେତେ କରେ ।’’

ବଙ୍କା ହସ ହସି ମେଜେଷ୍ଟର ଭାଷି

‘‘ଶୁଣ ମୋର ମନ କଥା

ରାଜାଙ୍କ ନଅର ପରି ଏକ ଘର

ଆକାଶେ ଟେକିବ ମଥା ।

ଛାଡ଼ି ଏ ଚାକିରୀ ରାଜନୀତି କରି

ମନ୍ତ୍ରୀ ଯେବେ ହେବି ମୁହିଁ,

ଜୟ ଜୟ ଧ୍ୱନି ଚାରିଆଡ଼େ ଶୁଣି

ଦୁଲୁକି ଉଠିବ ମହୀ ।’’

କେତେ ମେଜେଷ୍ଟର ହୋଇଣ କିଙ୍କର

ଖଣ୍ଡ ଦୂରେ ହେବେ ଠିଆ

ହେବ ତୁମେ ପୁଣି ଜାଣ ମନ୍ତ୍ରୀଆଣୀ

କେତେ ଫୁଲମାଳ ଥୁଆ ।

ଗୁଣୀ ରୋଜଗାରୀ କିଏ ବା ମୋ ପରି

ଯାଉଛି ଆଜି ମୁଁ ଘର

ଯେତେ ଦେଶବାସୀ ରହୁଛନ୍ତି ତ୍ରାସି

ବୁଢ଼ା ବାପ କିବା ଛାର ?

ମୁଁ ଯୋଗ୍ୟ ନନ୍ଦନ ଜାଣି ସବୁ ଧନ

ବାପା ଦେବେ ମୋର ହାତେ,

ଏଡ଼େ ଭାଗ୍ୟବାନ ମୋ ପରି କେ ଜନ

ଅଟଇ ଏହି ଜଗତେ ?

ଏତକ ବୁଝାଇ ସାରିଲେ ମଣୋହୀ

ସାହେବ ଆନନ୍ଦ ମନେ

ଅତି ତର ତରେ ବସିଲେ ମଟରେ

ଚାଲିଲେ ସେ ନିଜ ଗ୍ରାମେ ।

Image

 

(ଷଷ୍ଠ ଛାନ୍ଦ)

 

ମଧୁଙ୍କର ବ୍ୟବସାୟ କଟକ ସହରେ,

ନ ପାରନ୍ତି ବସି ଥିର ହୋଇ ସେ ପହରେ ।

ଲାଗିଅଛି ସବୁବେଳେ ଟଙ୍କା କାରବାର,

ଦଶ ନୁହେଁ ଶହେ ନୁହେଁ, ହଜାର ହଜାର ।

କେତେ ମାଲ ଯାଏ ପୁଣି ଆସୁଅଛି କେତେ,

କଣ୍ଟ୍ରୋଲ ହୋଇଛି ଲୁହା ଜାଣନ୍ତି ସମସ୍ତେ ।

ମଧୁଙ୍କ ଗୋଦାମେ ତାହା ରହିଅଛି ଭରି

କଳନା କରିବ ଶକ୍ତି ନାହିଁ ତ କାହାରି ।

ମିଳିଅଛି କଣ୍ଟ୍ରକ୍ଟରୀ ବଡ଼ କାମ ଏକ

ଦୁଇମାସେ ମିଳିଯିବ ଟଙ୍କା ଦୁଇ ଲକ୍ଷ ।

ସେହି ଚିନ୍ତା ଖେଳୁଅଛି ମନରେ ତାଙ୍କର

ଲକ୍ଷ୍ମୀଙ୍କର ବରପୁତ୍ର କାହାକୁ ବା ଡର ।

ଏହି କାଳେ ଚିଠି ଦେଇ ଗଲା ହରକରା,

ପଢ଼ିଲେ ଆସିଛି ଘରୁ ବାପାଙ୍କ ଡାକରା ।

ଶେଷବେଳେ ପିଲାଙ୍କୁ ସେ ଦେଖିଯିବେ ଥରେ

ରଖିଥିବା ଧନ ଦେବେ ଯୋଗ୍ୟ ପୁଅ କରେ ।

ନିମିଷକେ ଖେଳିଗଲା ମନେ କେତେ ଚିନ୍ତା,

କିଏ ଯୋଗ୍ୟ ପୁତ୍ର ଜାଣି ନାହାନ୍ତି କି ପିତା ?

ରତ୍ନାକର ସିନା ଉଚ୍ଚ ଡିଗ୍ରୀ ଅଛି ପାଇ

ହାକିମ ହୋଇଛି ମାତ୍ର ଗୋଲାମ ଅଟଇ ।

ମୋ ପରି କିଏ ଯୋଗ୍ୟ ଅଟେ ପୁଣି ରୋଜଗାରୀ

ଧନେ ମାନେ ବୁଦ୍ଧିବଳେ କେବା ମୋତେ ସରି ?

ଲକ୍ଷ୍ମୀଦେବୀ ମୋହ ପ୍ରତି ସୁପ୍ରସନ୍ନା ଅତି

ଛୋଟ ଏକ ଦୋକାନରୁ ଏବେ ଲକ୍ଷପତି

‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ କରିଛି ପ୍ରମାଣ

କେତେ ମାନ୍ୟ ଗଣ୍ୟ ବ୍ୟକ୍ତି ମୋର ଆଜ୍ଞାଧୀନ ।

କିଏ ନ ଜାଣଇ ଦେଶେ ମୋର ଦାତାପଣ

କେତେ କେତେ ଅନୁଷ୍ଠାନେ ଚାନ୍ଦାକରେ ଦାନ ।

ଛପା ହେଉଅଛି ନାମ ସମ୍ୱାଦ ପତରେ

ନେତାମାନେ ରହିଛନ୍ତି ମୋହରି ହାତରେ ।

କେତେ ସଭା ସମିତିରେ ମୁହିଁ ସଭାପତି

କେତେ ଉତ୍ସବରେ ହୁଏ ମୁଁ ମୁଖ୍ୟ ଅତିଥି ।

ଫୁଲ କର୍ପୂରରମାଳେ ଶୋଭଇ ମୋ ଗଳା

ଟଙ୍କା ବଳେ କରିପାରେ କଳାକୁ ମୁଁ ଧଳା ।

ଶିଳ୍ପ କାରଖାନା ଲାଗି ଫାନ୍ଦିଛି ବିଚାର

ଦଶଲକ୍ଷ ଟଙ୍କା ଦେବେ ଆମ ସରକାର ।

ବାପାଙ୍କର ତିନିଲକ୍ଷ ମିଶିଯିବ ତହିଁ

ଶିଳ୍ପପତି ବୋଲି ଖ୍ୟାତି ଯିବ ମୋର ରହି ।

ମୋ ନାମ ବସାଇ ଦେବି ଗୋଟିଏ ନଗର

ଯୁଗ ଯୁଗ ଧରି ନାମ ରହିଯିବ ମୋର ।

ଯେତେ ବିଦ୍ୟା ବୁଦ୍ଧି ଆଉ ଯେବେ ଧନ ନାହିଁ

ଏ ଜଗତେ ତାକୁ ଅବା କିଏ ପଚାରଇ ?

ଧନୀ ଏକା ଏ ଯୁଗରେ ଅଟେ ବଳବାନ

ପଣ୍ଡିତ ବିଜ୍ଞାନୀ ତାର ସେବନ୍ତି ଚରଣ ।

କବିତା ଲେଖନ୍ତି କବି ତାର ଯଶ ଗାଇ

ଗଛରେ ଫୁଟଇ ଫୁଲ ସବୁ ତାଙ୍କ ପାଇଁ ।

ମରହଟ୍ଟୀ ବୁଢ଼ା ବାପା ନାହାନ୍ତି ତ ଜାଣି

ତିନି ପୁଅ ମଧ୍ୟେ କିଏ ଅଟେ ମଥାମଣି ।

କିଏ ଯୋଗ୍ୟ, ରୋଜଗାରୀ, କୁଳର ଚନ୍ଦ୍ରମା

ଦେଶବାସୀ ଗାଉଛନ୍ତି କାହାର ମହିମା ?

ସେହି କଥା ବାପା ଆଗେ ଦେଲେ ମୁଁ ବୁଝାଇ

ସଞ୍ଚିଥିବା ଧନତକ ଦେବେ ଖୁସି ହୋଇ ।

ଖବରକାଗଜେ ତାହା କରିବି ପ୍ରଚାର

ଦେଶେ ଦେଶେ ବଢ଼ିଯିବ ମୋହର ପ୍ରସାର ।

Image

 

(ସପ୍ତମ ଛାନ୍ଦ)

 

ଗୋପାଳ ପ୍ରଧାନ ରୋଗେ ଦେହ କ୍ଷୀଣ

ଶୋଇଛନ୍ତି ଘରେ ପଲଙ୍କ ପରେ

ସାଧୁ ଜାଣି ମନ ସେବେ ରାତି ଦିନ

ନ ଛାଡ଼ଇ ପାଖ ନିମିଷେ ହେଲେ ।

ଜିଲା ମେଜେଷ୍ଟର ବାବୁ ରତ୍ନାକର

ବାବୁ ନୁହନ୍ତି ସେ ସାହେବ ପରା

ମଟରରେ ବସି ପ୍ରବେଶିଲେ ଆସି

ଚମକି ଉଠିଲା ଗାଆଁଟା ସାରା ।

କୋଟ ପ୍ୟାଣ୍ଟ୍‍ ପିନ୍ଧି ନେକଟାଇ ବାନ୍ଧି

ଗୋଡ଼େ ମୋଜା ଯୋତା ଚାଲି ଚଞ୍ଚଳ

ମୁହେଁ ନାହିଁ କଥା ତଳକୁ ତ ମଥା

ଶଙ୍କିଗଲେ ଗ୍ରାମବାସୀ ସକଳ ।

ଘର ମଧ୍ୟେ ଯାଇ ଦୂରେ ଠିଆହୋଇ

ଖଣ୍ଡି କାଶ ମାରି ଥରେ ଦି’ଥର

କହିଲେ ‘‘ଆସିଛି ଚିଠି ପାଇ ବାପା

ବଢ଼ିଗଲା ପୀଡ଼ା କିଆଁ ତୁମର ?

ଜିଲା ଗୋଟାକର ଭାର ମୋହ ମୁଣ୍ଡେ

ଏଠି ରହିବାକୁ ବେଳ ମୋ କାହିଁ ?

ତୁମେ ନିଶ୍ଚେ ଜାଣ ମୋ ପରି କୁମର

ଗାଆଁ ଗୋଟାକରେ କେହି ତ ନାହିଁ ।

ମାସକୁ ହଜାରେ ରୋଜଗାର କରେ

ତା’ଠାରୁ ମଳି ମୋ ମାନ ସମ୍ମାନ

ମଟର ମୋହର ଚାଲିଗଲେ ବାଟେ

ଭୟେ ଥରହର ସକଳ ଜନ ।

ଟଙ୍କା ଯୋଗେ ନର ହୁଏ ନାହିଁ ବଡ଼

ଦେଶରେ ତାହାର ଯେତେ ଆଦର

ସେହି ସିନା ଅଟେ ଗଣ୍ୟ ମାନ୍ୟ ବ୍ୟକ୍ତି

ଦେଶ ଜନନୀର ଯୋଗ୍ୟ କୁମର ।

ଧନୀ ବା ଗରିବ ପଣ୍ଡିତ ମୁରୁଖ

ଯାହା ନାମ ଶୁଣି କରନ୍ତି ଭୟ

ରାଜା ନ ହେଲେ ବି ରାଜା ଭଳି ସେହି

ତା ନାମେ ଗାଆନ୍ତି ସକଳେ ଜୟ ।

ଜିଲା ଗୋଟାକର ଶାସନ ପରା ମୁଁ

କେତେ ଯେ ଜଞ୍ଜାଳ ବହିଛି ମୁଣ୍ଡେ

ରାତି ଦିନ ମୋର କଟେ ଏକା ପରି

ଅବସର କାହିଁ ନ ମିଳେ ଦଣ୍ଡେ ।

ସାନ ପୁଅ ବୋଲି ଶ୍ରଦ୍ଧା କର ମୋତେ

ତେଣୁ ଡକାଇଲେ ଏ କାଳେ ସିନା

ଧନ ସବୁ ଦିଅ ମୋ ହାତେ ସମର୍ପି

ମୁହିଁ ପରା ତୁମ କୁଳ-ଚନ୍ଦ୍ରମା ।

ଯୋଗ୍ୟ ଲୋକ ହାତେ ପଡ଼ିଲେ ସମ୍ପତ୍ତି

ସେହି କରିଥାଏ ତା’ଉପଯୋଗ

ଭାଗ୍ୟହୀନ ଯେହୁ ଯେତେ ଧନ ପାଉ

କରି ନ ପାରିବ କଦାପି ଭୋଗ ।

ମୋ ଭଳି ନନ୍ଦନ ଦେଶେ କେତେ ଜଣ

କୋଟିକେ ମିଳିବେ ନାହିଁ ଗୋଟିଏ

ହଜାର ହଜାର ଲୋକ ଏ ଅଞ୍ଚଳେ

ଜିଲା ମେଜେଷ୍ଟର ହୋଇଛି କିଏ ?

ମୋ ଭଳି କୁମର ପାଏ ଯେଉଁ ପିତା

ଧନ୍ୟ ହୋଇଥାଏ ସେହି ଜଗତେ

ବଡ଼ ବଡ଼ ନେତା ମନ୍ତ୍ରୀ ବା ଆସିଲେ

ଆଦର କରନ୍ତି ତାହାକୁ କେତେ ?

ଅମୁକର ବାପ ବୋଲି ପାଏ ପୂଜା

ପୁଅ ଲାଗି ପିତା ହୁଅଇ ବଡ଼

ସବୁମନ୍ତେ ଯୋଗ୍ୟ କୁଳ ଚନ୍ଦ୍ରମା ମୁଁ

ଅଧିକ କହିବା ନୁହେ ସୁନ୍ଦର ।’’

 

(ଅଷ୍ଟମ ଛାନ୍ଦ)

 

ମେଜେଷ୍ଟର କଥା ହୋଇ ନାହିଁ ଶେଷ

ମଧୁ ଆସି ତହିଁ ହେଲେ ପରବେଶ ।

ଖର ଖର ଚାଲି ମୁହଁ ଗର ଗର

ଲୁଗା କୁଞ୍ଚ ଉଡ଼ୁଥାଏ ଫରଫର ।

ଦୁଆର ମୁହଁରେ ଗୋଡ଼ ଫରଚାଇ

ଠିଆ ହେଲେ ମଧୁ ଛାତିକୁ ଫୁଲାଇ ।

ନ ନଇଁଲା ମୁଣ୍ଡ ନ ଉଠିଲା ହାତ

ମୁହଁରେ କେବଳ ହେଲେ ପ୍ରଣିପାତ ।

କହିଲେ ‘‘ଓଲଗି ହେଉଅଛି ମୁହିଁ

ବ୍ୟସ୍ତ ଥିଲି କାର୍ଯ୍ୟେ, ତୁମ ଚିଠି ପାଇ

ଆସିବାରେ ତେଣୁ ହୋଇଗଲା ଡେରି

ତୁମ ଦେହ ରୋଗ ବଢ଼ିଲା କିପରି ?

ପାଇଥିଲେ ମୁହିଁ ଟିକେ ଅବସର

ସଙ୍ଗେ ଆଣିଥାନ୍ତି ବଡ଼ ଡାକତର ।

ପଡ଼ୁ ଯେତେ ଟଙ୍କା ଚିନ୍ତା ମୋର ନାହିଁ

ଧନ ଉପାର୍ଜନ ସିନା ତୁମ ପାଇଁ ।

ନାହିଁ ମୋ ଅଭାବ ତୁମ ଆଶୀର୍ବାଦେ

ନ ଲେଖିଲ କିମ୍ପା ସଫା କରି ପଦେ ।

ରାତି ଦିନ ମୋର ଟଙ୍କା କାରବାର ।

ଯାଏ ପୁଣି ଆସେ ହଜାର ହଜାର ।

ବଡ଼ ବ୍ୟବସାୟୀ ଯେଣୁ ମୁଁ ସହରେ

ଖାତିର କରନ୍ତି ମୋତେ ତ ସକଳେ ।

ଯେତେ ସଭା ବସେ ହୁଏ ଅନୁଷ୍ଠାନ,

ସବୁ କାମ ପାଇଁ ଆଗ ମୋର ଦାନ ।

ସଭାପତି ପାଇଁ ବେଳ ଅଣ୍ଟେ ନାହିଁ

ବେକ ପୂରିଯାଏ ଫୁଲମାଳ ପାଇ ।

ଯେତେ ଦେଶକର୍ମୀ ଅବା ନେତାମାନେ

ବନ୍ଧା ରହିଛନ୍ତି ମୋର ଧନ ଦାନେ ।

ରାତି ଦିନ ଲାଗି ଅଛି କାରବାର

କେତେ ଯେ ଗୁମାସ୍ତା କେତେ ଯେ ଚାକର ।

ଆଜ୍ଞାବହ ସର୍ବେ ମୋର ପଦ ତଳେ

ଘରେ ଆସିବାକୁ ସମୟ ନ ମିଳେ ।

ଚିଠି ପାଇ ମନ ଥୟ ହେଲା ନାହିଁ

ସବୁ କାମ ଛାଡ଼ି ଆସିଲି ପଳାଇ ।

କୋଟି ପୁଅ ମଧ୍ୟେ ମୁଁ ସିନା ଗୋଟିଏ

ମୋହ ପରି ପୁଅ ପାଇଅଛି କିଏ ?

ଭାଗ୍ୟବାନ ମୁହିଁ ପୁଣି ଲକ୍ଷ୍ମୀବନ୍ତ

ତେଣୁ ଧନ, ମାନ ମୋର କରଗତ ।

ମୋର ହାତ ଯଶ ସମସ୍ତଙ୍କୁ ଜଣା

ମୋହାତେ ପିତ୍ତଳ ହୋଇଯାଏ ସୁନା ।

ଦେଶବାସୀ ଜନେ ପଚାରିଲେ ଥରେ

ମୁଁ କୁଳଚନ୍ଦ୍ରମା କହିବେ ସକଳେ ।

ମୋ କଥା ମୋ ମୁହେଁ ନ ହେବ ସୁନ୍ଦର

ଦୟାକରି ନେତାମାନଙ୍କୁ ପଚାର ।

ଯାହା ଅଛି ଧନ କଲେ ମୋତେ ଦାନ

ତୁମ ନାମେ ଗଢ଼ି ଦେବି ଅନୁଷ୍ଠାନ ।

ଦେବତା ମନ୍ଦିର ସେବା ନିକେତନ

ମାର୍ବଲ ପଥରେ ଖୋଳାଇବି ନାମ ।

ଯୁଗ ଯୁଗ ଧରି ରହିଥିବ ଯଶ

ସ୍ୱର୍ଗେ ଦେବତାଏ ହୋଇବେ ସନ୍ତୋଷ ।

ଖବରକାଗଜେ ଛାପା ହେବ ଛବି

ସନ୍ଦର୍ଭ ଲେଖିବେ ସାହିତ୍ୟକ କବି ।

ତୁମ ପାଇଁ ହେବ ଶୋକ ସଭାମାନ

ଆତ୍ମାର ସଦ୍‌ଗତି ବିଧାନ କାରଣ ।

କେତେ ଯେ ପ୍ରସ୍ତାବ କହି ହେବ ନାହିଁ

ନେତାଏ ଭାଷିବେ ତୁମ ଗୁଣ ଗାଇ ।

ଇହକାଳ ପରକାଳ ହେବ ଧନ୍ୟ

ମୋର ହାତେ ଯେବେ ଦେବ ସବୁ ଧନ ।

ଗୁଣ ଏକା ଚିହ୍ନି ପାରଇ ଗୁଣିଆ

ସୁନା କେ ଚିହ୍ନିବ ନ ହେଲେ ବଣିଆ ।

ଧନର ମହିମା ମୋତେ ଜଣା ଏକା

ଉଚିତ ନହଇ କହିବା ଅଧିକା ।’’

 

(ନବମ ଛାନ୍ଦ)

 

ଶେଷ ହେଲା ମଧୁ ମଧୁର କଥା

ଧୀରେ ବୃଦ୍ଧ ତହୁଁ ଟେକିଲେ ମଥା

ପାଖେ ବସି ସାଧୁ ଚାପେ ଚରଣ

କହିଲେ ତାହାକୁ ଚାହିଁ ବଚନ

‘‘ତୁ ମୋର ଜ୍ୟେଷ୍ଠ ନନ୍ଦନ ଯେ

ଶୁଣିଲୁତ ସାନ ଭାଇଙ୍କ ମହିମା

କର ତୋ ଗୁଣ କୀର୍ତ୍ତନ ଯେ ।

ମୋ କୁଳ ଉଜ୍ଜ୍ୱଳକାରୀ ଯେ ହେବ

ସଞ୍ଚି ରଖିଥବା ଧନ ସେ ନେବ

କାମନା ମୋହର ହେବ ପୂରଣ

ତା’ପରେ ବୁଜିବି ସୁଖେ ନୟନ’’

କହନ୍ତେ ବୃଦ୍ଧ ଏସନ ଯେ,

କାନ୍ଦ କାନ୍ଦ ହୋଇ ସାଧୁ ବିନୟରେ

କହିଲେ ଧୀରେ ବଚନ ଯେ ।

‘‘ଚାଷ କାମ କରେ ମୁଁ ଛାର ଚଷା,

ଛାଡ଼ି ନାହିଁ ମୋର କୁଳ ବେଉସା

ବଡ଼ ବଡ଼ କଥା ନ ପାରେ କହି,

କଳା ଧଳା କରି ଆସଇ ନାହିଁ

କି ହେବ ମୋହର ଧନ ଯେ

ମୋର ଉପାର୍ଜନ ଧନେ ବଞ୍ଚୁଛନ୍ତି

କର୍ମୀ, ନେତା, ଗୁଣୀ ଜନ ଯେ ।

କାମ କରି ପେଟ ପୋଷିବା ପାଇଁ

ଧାତା ଦେଇଛନ୍ତି ଏ ବାହା ଦୁଇ

ହାତେ ବଳ ଯାର ନୁହେଁ ଅଳସ

ପର ଧନେ କିଆଁ କରିବି ଆଶ

ଯେହୁ କରେ ରୋଜଗାର ଯେ,

ପର ରୋଜଗାର ଧନ ପାଇବାକୁ

ଇଚ୍ଛା ହେବ ନାହିଁ ତା’ର ଯେ ।

ସାନ ଭାଇ ଯାହା କରେ ଅର୍ଜନ

ସେ ସବୁ ଅଟଇ ମୋହରି ଧନ ।

କର ରୂପେ ଯାହା ଦିଅଇ ମୁହିଁ ,

ସରକାରୀ ଗନ୍ତା ଘରେ ରହଇ ।

ନ କଲେ ମୁଁ ତାହା ଦାନ ଯେ

ସରକାରଙ୍କର ସେହି ଗନ୍ତାଘର

ପଡ଼ିଯିବ ସିନା ଶୂନ୍ୟ ଯେ ।

ମେଜେଷ୍ଟରଠାରୁ ଅର୍ଦ୍ଦଳି ଯାଏ,

ଦରମା ରୂପରେ ସେ ଧନ ପାଏ

ଚାକିରୀ ଛାଡ଼ିଲେ ବୁଡ଼ିବ ଭେଳା,

ଉପାର୍ଜନ ଧନ କିପରି ହେଲା ।

ଚାକିରି କରଇ ଯେହୁ ଯେ,

ପରମନ ଜାଣି ପରଧନେ ବଞ୍ଚେ

ରୋଜଗାରୀ ନୁହେଁ ସେହୁ ଯେ ।

ମଧୁ ଆମର ଯେ ମଝିଆଁ ଭାଇ

ବଡ଼ ରୋଜଗାରୀ ବୋଲି କହଇ ।

ଏଠୁଁ ମାଲ ନିଏ ସେଠାରେ ଦିଏ,

ସେଥିପାଇଁ ଯାହା ମଜୁରୀ ପାଏ ।

ନୁହଇ ତା ଉପାର୍ଜନ ଯେ

ଉପାର୍ଜନ ଯେବେ କରୁଅଛି ଏତେ

ପରଧନେ କିଆଁ ମନ ଯେ

ଘରେ ଖାଲି ଟଙ୍କା ଅଛି ଜମାଇ

ଟଙ୍କା ତ ସେ କେବେ କରଇ ନାହିଁ

ପର ଧନେ ଯେହୁ ବୋଲାଏ ଧନୀ,

କର୍ମକୁଢ଼ ମଧ୍ୟେ ତାହାକୁ ଗଣି ।

ଦୁର୍ବଳ ତାହାର ମନ ଯେ

ବ୍ୟାକୁଳ ସତତ ପାଇବ କିପରି

ପର ଝାଳ ବୁହା ଧନ ଯେ ।

ପର ଧନ ଲାଗି ନାହିଁ ମୋ ଆଶା

ବାହା ଦୁଇ ଗୋଟି ମୋର ଭରସା

ଗଉଣୀଏ ବୁଣି ପାଏ ଭରଣେ

ରୋଜଗାର ବୋଲି ଏହାକୁ ମଣେ ।

ଗୋଟେ ଶିମ୍ୱ ମଞ୍ଜି ପୋତି ଯେ

ସେର ସେର କରି ଶିମ୍ୱ ପାଏ ମୁହିଁ

ନୁହେ ସରି ତାକୁ ମୋତି ଯେ ।

ଦେଶ ଧନ ବଢ଼ୁଅଛି ମୋ ଲାଗି

କିଆଁ ଯିବି ପର ଧନ ମୁଁ ମାଗି ।

ଧାନ, ମୁଗ, ଚଣା, କୋଳଥ, ବିରି,

ସବୁ ଉପାର୍ଜନ ଅଟେ ମୋହରି

ଏଥିରେ ନ ଦେଲେ ମନ ଯେ

ଭୋକ ଉପାସରେ ବାବୁମାନଙ୍କର

ବୁଡ଼ିଯିବ ସିନା ଜ୍ଞାନ ଯେ ।

ଯେତେ ବିଦ୍ୟା ବୁଦ୍ଧି ଥାଉ ପେଟରେ

ଟଙ୍କା ସୁନା ରୂପା ଥାଉ ବା ଘରେ

ଖାଇବା ଦରବ ନ ମିଳେ ଯଦି

ହଜିଯାଏ ସବୁ ବିବେକ ବୁଦ୍ଧି ।

ଟଙ୍କା ସୁନା ଆଦି କରି ଯେ

ସିନ୍ଧୁକ ଭିତରେ ମଉଜରେ ବସି

ହସୁଥିବେ କିରି କିରି ଯେ ।

ଆଳୁ, ସାରୁ, ବାଇଗଣ, କଦଳୀ

ସବୁ ରୋଜଗାର ଅଟେ ମୋହରି

ଗାଈ ପୋଷି ମୁହିଁ ଯୋଗାଏ ଦୁଧ

ମୋ ଲାଗ ବଢ଼ଇ ପଶୁ ସଂପଦ

ସମସ୍ତଙ୍କ ପାଇଁ ମୁହିଁ ଯେ

ଭୁଲି ଯାଉଛନ୍ତି ବାବୁମାନେ ତାହା

ମୋ ପାଇଁ କେହି ତ ନାହିଁ ଯେ ।

ଶାନ୍ତି ସୁଖେ କଟୁ ତୁମ ଜୀବନ

ଲୋଡ଼ା ନାହିଁ ମୋର ତୁମର ଧନ ।

ନ ହୁଏ ମୁଁ ପଛେ କୂଳ ଚନ୍ଦ୍ରମା

ମାନ ଯଶ ଲୋଡ଼ା ନାହିଁ ମୋ ଜମା ।

କର୍ମ ମୋ ଜୀବନ ବ୍ରତ ଯେ,

ନିଜେ ଖାଟି ବିଲେ ପରଙ୍କୁ ପାଳିବି

ସେଥିରେ ଅଛି ମହତ୍ତ୍ୱ ଯେ ।’’

Image

 

(ଦଶମ ଛାନ୍ଦ)

 

ବୁଢ଼ା ଉଠ ବସି ଧୀରେ ପଲଙ୍କ ଉପରେ

ତିନି ପୁଅ ବଦନକୁ ଚାହିଁ ଗଲେ ଥରେ ।

ମୁହେଁ ହସ ଉଜ୍ଜ୍ୱଳ ଯେ ଦିଶିଲା ନୟନ,

ସାନ, ମଝିଆଙ୍କୁ ଚାହିଁ ଭାଷିଲେ ବଚନ ।

ବଡ଼ ଭାଇ ସାଧୁ ଏବେ କହିଲା ଯେ କଥା

ବୁଝି କି ପାରୁଛ ତାହା ସତ୍ୟ ଅବା ମିଥ୍ୟା

ଗୁଣଧର ପଣ୍ଡିତ ଯେ ତୁମେ ବୁଦ୍ଧିମାନ

ମୋ କୁଳ ଚନ୍ଦ୍ରମା କିଏ କର ନିରୂପଣ

ସତ କଥା କହୁଅଛି ବାବୁ, ଏତେବେଳେ

ଟଙ୍କାଟିଏ ସୁଦ୍ଧା ରଖି ନାହିଁ ମୁଁ ପାଖରେ

ତିନିଲକ୍ଷ ଟଙ୍କା ଜୀବନରେ ଦେଖି ନାହିଁ

ତିନି ଲକ୍ଷ ପରା ଅଟ ତୁମେ ତିନି ଭାଇ ।

ତିନି ଲକ୍ଷ ଟଙ୍କା ବୋଲି ଦେଲି ଯେ ଚିଟାଉ

ଟଙ୍କା ମୂଲ୍ୟ କିବା ତୁମ ଭଳି ପୁଅ ଥାଉଁ ?

ତୁମେ ତିନିପୁଅ ମୋର ଅମୂଲ୍ୟ ମୁଁ ମଣେ

ମାତର କୁଳ ଚନ୍ଦ୍ରମା ତୁମ ମଧ୍ୟୁ ଜଣେ ।

ବଡ଼ ପୁଅ ସାଧୁ ଅଟେ ତୁମ ଜ୍ୟେଷ୍ଠ ଭାଇ

ମୋ କୁଳ ଚନ୍ଦ୍ରମା ବୋଲି ମୁଁ ମଣୁ ଅଛଇ ।

ରୋଜଗାର କରୁଅଛି ସେହି ଏକାଧନ

ତା ଲାଗି ହୁଅଇ ଦେଶ ସଂପତ୍ତି ବର୍ଦ୍ଧନ ।

ତାକୁ ମୋର ଶେଷ ଜୀବନର ଆଶୀର୍ବାଦ

ଦେଇଗଲି ନ ସାଧିବ ତହିଁ ତୁମେ ବାଦ ।

ଏତିକି କଥା ମୁହଁରୁ ହୋଇଛି ବାହାର

ବିଛଣାରେ ପଡ଼ିଗଲା ବୃଦ୍ଧଙ୍କ ଶରୀର

ହାହାକାର କରି ଉଠିଲେ ଯେ ତିନିଭାଇ

ଦେଖିଲେ ପିଣ୍ଡରେ ଆଉ ଜୀବନ ତ ନାହିଁ ।

ଉଚ୍ଚେ ପଡ଼ିଗଲା କାନ୍ଦ ବୋବାଳି ସେ ଘରେ

ହରି ହରି ବୋଲ ଏବେ ସର୍ବ ନାରୀ ନରେ ।

ଏ କୁଳ ଚନ୍ଦ୍ରମା ପାଲା ବୋଇ ଗଲା ଶେଷ

ଅନୁମତି ଦେଲେ ଫେରି ଯିବି ମୋର ଦେଶ ।

Image